spot_img
Home Blog Page 1032

ବିରୋଧୀଙ୍କୁ ସାଙ୍ଗରେ ନେଇ ଗୃହ ଚଲାଇବାକୁ ଚାହୁଁ ନାହାଁନ୍ତି ସରକାର: ବିଜେଡି

ଭୁବନେଶ୍ବର: ନାରୀ ସୁରକ୍ଷାକୁ ନେଇ କଂଗ୍ରେସର ପ୍ରତିବାଦ ଓ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ବିଜେଡି ବିଧାୟିକା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ କଟାକ୍ଷ । କହିଲେ, ସରକାର ବିରୋଧୀ ଦଳକୁ ସାଙ୍ଗରେ ନେଇ ଗୃହ ଚଳାଇବାକୁ ଚାହୁଁନି ।

ସେ କହିଛନ୍ତି, କଂଗ୍ରେସ ପ୍ରଥମ ଦିନରୁ ହିଁ ନାରୀ ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରି ପ୍ରତିବାଦ କରୁଛି । ହେଲେ ବାଚସ୍ପତି କେବଳ ଗୃହ ମୁଲତବୀ କରି ଚାଲିଛନ୍ତି । ନା’ କଂଗ୍ରେସ ସହ ଆଲୋଚନା, ନା’ ଗୃହ ଚଳାଇବାକୁ କଂଗ୍ରେସର ସମର୍ଥନ ଲୋଡ଼ାଯାଉଛି । ସମସ୍ତଙ୍କୁ ବିଶ୍ୱାସକୁ ନେଇ ଗୃହ ପରିଚାଳନା କରିବା ସରକାରୀ ଦଳର ଦାୟିତ୍ବ । ଆଜି ବି ନାରୀ ସୁରକ୍ଷା ଓ ଗୃହ ପରିଚାଳନା ସରକାରୀ ଦଳ ପାଇଁ ଅପ୍ରସଙ୍ଗ ଥିବା ରାଜ୍ୟବାସୀଙ୍କୁ ବିଚଳିତ କରୁଛି ବୋଲି ଅଭିଯୋଗ କରିଛନ୍ତି ପ୍ରମିଳା । କଂଗ୍ରେସ ଏତେ ଦିନରୁ ପ୍ରତିବାଦ କରୁଥିବା ବେଳେ, ସରକାରଙ୍କ ପକ୍ଷରୁ କେହି ତାଙ୍କ ସହ ଆଲୋଚନା କରୁ ନଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ପ୍ରମିଳା ।

ଆଦିବାସୀ ବିରୋଧୀ ରାଜ୍ୟ ସରକାର: ଗୁଣୁପୁର ଓ ମୟୂରଭଞ୍ଜ ଆଦିବାସୀ ଆବାସିକ ହଷ୍ଟେଲ ସମସ୍ୟା ନେଇ ଗୃହ ହୁଲସ୍ତୁଲ

ଭୁବନେଶ୍ବର: ଗୁଣୁପୁର ଅନ୍ଵେଷା ହଷ୍ଟେଲରେ ଛାତ୍ରମାନଙ୍କୁ ଆକ୍ରମଣ । ମୟୂରଭଞ୍ଜ ଜିଲ୍ଲାର ବାସି ପିଠା ଆଦିବାସୀ ଆବାସିକ ହାଇସ୍କୁଲରେ ନିମ୍ନମାନର ଖାଦ୍ୟ ଓ ନିର୍ଯାତନା ପ୍ରସଙ୍ଗରେ ବିଧାନସଭାରେ ହୁଲସ୍ତୁଲ । ବିରୋଧୀଙ୍କ ଅଭିଯୋଗ, ବିଜେପି ସରକାର ଆସିଲା ଦିନରୁ ଆଦିବାସୀ ହଷ୍ଟେଲରେ ଛାତ୍ରଛାତ୍ରୀ ଅସୁରକ୍ଷିତ । ବିରୋଧୀ ଆସନରେ ବିଜେପି ଥିବା ବେଳେ ଯାହା କହିଥିଲା, ଆଦିବାସୀଙ୍କ ସୁରକ୍ଷା ପାଇଁ ତାହା କାମରେ କରି ଦେଖାଉ ବୋଲି ମୁଲତବୀ ପ୍ରସ୍ତାବ ଆଲୋଚନାରେ ଦାବି କରିଛି ବିଜେଡି l ଏହାର ପାଲଟା ଜବାବ ଦେଇଛି ଶାସକ ଦଳ l ଫଳରେ ଆବାସିକ ବିଦ୍ୟାଳୟର ସୁରକ୍ଷା ଓ ବ୍ୟବସ୍ଥାକୁ ନେଇ କମ୍ପିଛି ଗୃହ l

ଗୁଣପୁର ଅନ୍ବେଷା ହଷ୍ଟେଲରେ ଛାତ୍ରଙ୍କୁ ଆକ୍ରମଣ ଓ ମୟୂରଭଞ୍ଜ ଜିଲ୍ଲାର ବାସିପିଠା ଆଦିବାସୀ ଆବାସିକ ହାଇସ୍କୁଲରେ ନିମ୍ନମାନର ଖାଦ୍ୟ ଓ ନିର୍ଯାତନା ଅଭିଯୋଗ । ରାତି ଅଧରେ ହଷ୍ଟେଲ ଛାଡ଼ିଲେ ୧୧୬ ଆଦିବାସୀ ଛାତ୍ର । ୨୫ କିମି ରାସ୍ତା ଚାଲି ଚାଲି ଗଲେ । ବିରୋଧୀଙ୍କ ଅଭିଯୋଗ ବିଜେପି ସରକାରଙ୍କ ଦାୟିତ୍ଵହୀନତା ପାଇଁ ଏପରି ଘଟଣା ଘଟିଲା l ଏହି ପ୍ରସଙ୍ଗକୁ ନେଇ ହୁଲସ୍ତୁଲ ହୋଇଛି ବିଧାନସଭା l ମୁଖ୍ୟ ବିରୋଧୀ ଦଳ ବିଜେଡି ମୁଲତବୀ ପ୍ରସ୍ତାବ ଆଲୋଚନାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଅଭିଯୋଗ କରିଛନ୍ତି, ସରକାରଙ୍କ ନାକ ତଳେ ନାବାଳିକା ଛାତ୍ରୀ ପ୍ରସବ କରୁଛନ୍ତି । ୯ ମାସରେ ଆବାସିକ ବିଦ୍ୟାଳୟରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି । ଏସସି/ଏସଟି ବିଭାଗ ବଜେଟ ଅର୍ଥର ଏଯାଏଁ ମାତ୍ର ୪୨ ପ୍ରତିଶତ ଖର୍ଚ୍ଚ କରିଛି । ଏହା ସାମ୍ଵିଧାନିକ ଜାଲିଆତି । ମୁଖ୍ୟମନ୍ତ୍ରୀଙ୍କ ସମେତ ସ୍ଵାସ୍ଥ୍ଯ ମନ୍ତ୍ରୀ, ପଞ୍ଚାୟତିରାଜ ମନ୍ତ୍ରୀ ଓ  SC/ST ବିଭାଗର ମନ୍ତ୍ରୀ ହେଉଛନ୍ତି ଆଦିବାସୀ । ଏହା ପରେ ବି ରାଜ୍ୟର ଆଦିବାସୀମାନେ ଅବହେଳିତ । ଇତିହାସ ବିଜେପି ସରକାରକୁ କେବେ କ୍ଷମା ଦେବନି । ବିରୋଧୀରେ ଥିବା ବେଳେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଆବାସିକ ବିଦ୍ୟାଳୟ ପାଇଁ ଯେଉଁ ଦାବି କରୁଥିଲେ, ଏବେ ନିଜେ ସେହି ସବୁ ଦାବି ପୂରଣ କରନ୍ତୁ ବୋଲି ମନେ ପକାଇ ଦେଇଥିଲେ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ।

ବିଜେଡି ବିଧାୟକ ରମେଶ ଚନ୍ଦ୍ର ବେହେରା ଆଲୋଚନାରେ ଭାଗ ନେଇ ନବୀନ ପଟ୍ଟନାୟକ ସରକାର ଆଦିବାସୀଙ୍କ ପାଇଁ କ’ଣ କ’ଣ କରିଥିଲେ, ତାର ଲମ୍ଵା ତାଲିକା ରଖିଥିଲେ । ୨୦୦୬-୦୭ରେ ହଜାରେ ହଷ୍ଟେଲ କରିଥିଲେ । ପାଞ୍ଚ ବର୍ଷରେ ୫ ହଜାରରୁ ଅଧିକ ହେଲା । ୧୭ ଆଦିବାସୀ ଅଞ୍ଚଳର ସହରରେ ୩୦୦ରୁ ଅଧିକ ଇଂରାଜୀ ସ୍କୁଲ ପ୍ରତିଷ୍ଠା ହେଲା । ୧୦୦ରୁ ଅଧିକ ହଷ୍ଟେଲ କରାଗଲା । ହଷ୍ଟେଲରେ ତ୍ରିସ୍ତରୀୟ ସୁରକ୍ଷା ସହ ପିଲାଙ୍କ ଯିବା ଆସିବାର ହିସାବ ରଖାଯାଉଥିଲା । ଏବେ କିନ୍ତୁ ସରକାର ପିଲାଙ୍କୁ ସୁରକ୍ଷା ଦେଇ ପାରୁ ନାହାନ୍ତି। ରାତି ଅଧରେ ୧୨୬ ପିଲା ହଷ୍ଟେଲ ଛାଡ଼ି ଚାଲି ଚାଲି ଯିବା କଥା ସରକାର ଜାଣିପାରିଲେ ନାହିଁ । ବିଜେଡି ଅଭିଯୋଗରେ ଜବାବ ରଖିଥିଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି, ଆମ ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ଉନ୍ନତି ଚାହାନ୍ତି । ହଷ୍ଟେଲ୍ ଅନ୍ତେବାସୀଙ୍କ ପାଇଁ ଡିଜିଟାଲ ଡାଟା ବେସ୍ କାର୍ଡ ହେବ । ନିରନ୍ତର ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ । ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ହଷ୍ଟେଲ୍ ପାଚେରୀ ୮ ଫୁଟ କରାଯିବ । ଅନ୍ୟପକ୍ଷରେ ମୁଲତବୀ ଆଲୋଚନାକୁ କଂଗ୍ରେସ ବର୍ଜନ କରିଥିଲା ।

ଆବାସିକ ହଷ୍ଟେଲ ଅବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ଧୋଇଲେ ରଣେନ୍ଦ୍ର

ଭୁବନେଶ୍ବର: ଆବାସିକ ହଷ୍ଟେଲ ଅବ୍ୟବସ୍ଥାକୁ ନେଇ ମୁଲତବୀ ପ୍ରସ୍ତାବରେ ବର୍ଷିଲେ ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ୯ ମାସରେ ଆଦିବାସୀ ବିଦ୍ୟାଳୟର କେମିତି ଚାଲିଛି ତାହା ବଖାଣିଲେ । ବିରୋଧୀ ଦଳରେ ଥିବା ବେଳେ ସେତେବେଳେ ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିଜେପି ବିଧାୟକ ମୁକେଶ ମହାଲିଙ୍ଗ, ସନାତନ ବିଜୁଳି କ’ଣ କହିଥିଲେ ଓ ଏବେ ଶାସକ ଦଳରେ ରହିବା ପରେ କ’ଣ କରୁଛନ୍ତି ତାକୁ ନେଇ ରଣେନ୍ଦ୍ର କଟାକ୍ଷ କରିଛନ୍ତି ।

ରଣେନ୍ଦ୍ର କହିଛନ୍ତି, ତୋ ବାକ୍ୟ ତୁ ରକ୍ଷା କର ସୌଦାଗର । ୯ ମାସର ବିଜେପି ସରକାରରେ ଆବାସିକ ହଷ୍ଟେଲରେ ୨୬ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି । କେଉଁ କାରଣରୁ ମୃତ୍ୟୁ ହୋଇଛି ସରକାର ତାହା ଜାଣିନାହାନ୍ତି । ବିଜେପି ସରକାର କେବଳ କଥା କୁହା ସରକାର । ଆଜି ଆବାସିକ ହଷ୍ଟେଲରେ ଛାତ୍ରଛାତ୍ରୀ ଅସୁରକ୍ଷିତ । କେଉଁଠି ଆବାସିକ ହଷ୍ଟେଲରେ ଛାତ୍ରୀ ଗର୍ଭବତୀ ହୋଇ ଛୁଆ ଜନ୍ମ କରୁଛି ତ ଆଉ କେଉଁଠି ୧୧୬ ଜଣ ଛାତ୍ରଛାତ୍ରୀ ୨୫ କିମି ଚାଲି ଚାଲି ଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରୁଛନ୍ତି । ଆଦିବାସୀ ଛାତ୍ରଛାତ୍ରୀଙ୍କ ପ୍ରତି ସରକାର ଦୃଷ୍ଟି ନାହିଁ । ୯ ମାସରେ ଏସସି/ଏସଟି ବିଭାଗ ୪୨ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛି । ଏଥିରୁ ସରକାର ଆଭିମୁଖ୍ୟ କେମିତି ଚାଲିଛି ତାହା ଜଣାପଡ଼ିଯାଉଛି । ରାଜ୍ୟରେ ବିଜେପି ସରକାର ସାମ୍ବିଧାନିକ ଠକେଇ କରୁଛନ୍ତି । ସରକାର ସଚେତନ ହୁଅନ୍ତୁ ବୋଲି ଚେତାଇ ଦେଇଛନ୍ତି ରଣେନ୍ଦ୍ର ।

ଦଉଡ଼ି ଲଗାଇ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା

ଗୁଣପୁର: ଜଣେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ମୃତ ଛାତ୍ର ହେଲେ ୧୩ ବର୍ଷୀୟ ସନ୍ଦୀପ ପାଲକା । ଛାତ୍ର ଜଣକ ଗୁଣୁପୁର କେନ୍ଦ୍ରୀୟ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢୁଥିଲେ । ପ୍ରଦୀପ ପାଲକାଙ୍କ ପୁଅ ହେଉଛନ୍ତି ସନ୍ଦୀପ ପାଲକା । ପ୍ରଦୀପ ପାଲକାଙ୍କ ପରିବାର ପୁରୁଣା ଗୁଣପୁର ସ୍ଥିତ ବାଲାଜୀନଗରରେ ଭଡା ଘରେ ରହୁଥିଲେ ।

ପ୍ରଦୀପ ଏବଂ ତାଙ୍କ ପତ୍ନୀ ଉଭୟ ଶିକ୍ଷକତା କରନ୍ତି । ଘର କାମରେ ବାପାମାଆ ବାହାରକୁ ଯାଇଥିଲେ । ଫେରିବା ପରେ ପୁଅ ବେକରେ ଦଉଡି ଦେଇ ଝୁଲି ପଡ଼ିଥିବା ଦେଖିବାକୁ ପାଇଥିଲେ । ପଡୋଶୀଙ୍କ ସହାୟତାରେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଗୁଣପୁର ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପୁଅ ଆତ୍ମହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ । ତେବେ କାହିଁକି ସନ୍ଦୀପ ଏମିତି ନିଷ୍ପତ୍ତି ନେଲେ ତାହା ସ୍ପଷ୍ଟ ହୋଇନି । ଘଟଣାସ୍ଥଳରେ ପୋଲିସ ଟିମ ତଦନ୍ତ ଜାରି ରଖିଛି । ତେବେ ଜଣେ ୧୩ ବର୍ଷର ଛାତ୍ର ଆତ୍ମହତ୍ଯା କରିଥିବା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସମ୍ପର୍କୀୟ ଓ ଅଞ୍ଚଳବାସୀ ।

କାଜୁ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଢେଙ୍କାନାଳ:  ମହାବିରୋଡ଼-ଚାନ୍ଦପୁର ରାସ୍ତାରେ ଥିବା କାଜୁ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକ ହେଲେ ଦଶିପୁର ପଞ୍ଚାୟତ ଭାଲୁମୁଣ୍ଡା ଗାଁର ନବ ଦେହୁରୀଙ୍କ ପୁଅ ଲୁଲୁ ଦେହୁରୀ । ଲୁଲୁଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ଆଣଇଲେ ପରିବାର ଲୋକେ ।

ଲୁଲୁ ଯାଜପୁର ଜିଲ୍ଲା ଡୁବୁରିରେ ଥିବା ଜିନ୍ଦଲ ପ୍ଲାଣ୍ଟରେ କାମ କରୁଥିଲେ। ଗତକାଲି ଦଶିପୁର ଗାଁର ଦୋଳଯାତ୍ରା ପାଇଁ ଛୁଟି ନେଇ ସେ ଘରକୁ ଆସିଥିଲେ । ଯାତ୍ରା ଦେଖିବାକୁ ଯାଇ ଆଉ ଘରକୁ ଫେରି ନଥିଲେ । ତାଙ୍କ ଫୋନ୍ ଅଫ୍ ଥିଲା । ପରିବାର ଲୋକ ଏଣେ ତେଣେ ବହୁ ଖୋଜାଖୋଜି କରିବା ପରେ ବି ସନ୍ଧାନ ପାଇ ନଥିଲେ । ଆଜି ଲୁଲୁଙ୍କ ମୃତଦେହ ମହାବିରୋଡ଼-ଚାନ୍ଦପୁର ରାସ୍ତାର କାଜୁ ଜଙ୍ଗଲରୁ ମିଳିଥିଲା । ଶରୀର ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । କାହା ସହିତ ଲୁଲୁଙ୍କ କୌଣସି ପୂର୍ବ ଶତ୍ରୁତା ନ ଥିବା ବି ପରିବାର ଲୋକେ କହିଛନ୍ତି ।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପାଠାଇଛି । ଏହାସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି ।

ଥାନା ପରିସରରେ କିନ୍ନରଙ୍କ ତାଣ୍ଡବ: ଉଲଗ୍ନ ହେଲେ, ଥାନା ଅଧିକାରୀଙ୍କୁ ମାଡ଼ ମାରିଲେ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ପରିସରରେ କିନ୍ନରଙ୍କ ତାଣ୍ଡବ । ୩ ଘଣ୍ଟାରୁ ଅଧିକ ସମୟ ଧରି ଥାନା ପରିସରରେ କଲେ ହୋହାଲ୍ଲା । ବେଞ୍ଚ ଡେସ୍କ ବାହାରକୁ କାଢ଼ି ନେଇ ଭାଙ୍ଗି ଚୁରମାର କରିବା ସହ ଅଶ୍ଳୀଳ ଭାଷାରେ କଲେ ଗାଳିଗୁଲଜ । ଥାନା ଅଧିକାରୀଙ୍କୁ ଟଣାଓଟରା ସହ ମାଡ଼ ମାରିଲେ କିନ୍ନର। ନିଜ ଅଙ୍ଗବସ୍ତ୍ର ଖୋଲି ଥାନା ପରିସରରେ କଲେ ତାଣ୍ଡବ ନୃତ୍ୟ । ନୀରବଦ୍ରଷ୍ଟା ସାଜିଲା ପୋଲିସ ।

ସୂଚନାଯୋଗ୍ୟ, କିନ୍ନର ସହ ଜଣେ ଯୁବକର ଅନ୍ତରଙ୍ଗ ପ୍ରେମ ସମ୍ପର୍କ ଭିଡିଓ ଭାଇରଲ ହେବା ଘଟଣାକୁ ନେଇ ଥାନାରେ ଏଫଆଇଆର ଦେବାକୁ ରାଜନଗର ଅଞ୍ଚଳରୁ କିନ୍ନରମାନେ ଆସିଥିଲେ । ହେଲେ ପୋଲିସ ଅଭିଯୋଗ ଗ୍ରହଣ କରି ନଥିଲା । ଯାହାକୁ ନେଇ କିନ୍ନରମାନେ ରାଗି ଯାଇ ଥାନାରେ ପଶି ଏଭଳି କାଣ୍ଡ ଭିଆଇଛନ୍ତି ।

ନାରୀଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାରଙ୍କ ବିଫଳତା ପଡ଼ିଲା ପଦାରେ, ପାଇଖାନାରେ ମୃତ ଶିଶୁ ଜନ୍ମ ଦେଲେ କଲେଜ ଛାତ୍ରୀ

ନୟାଗଡ଼: ରାଜ୍ୟରେ ନାରୀ ଅସୁରକ୍ଷିତ । ମହିଳାଙ୍କ ଉପରେ ହେଉଛି ଅତ୍ୟାଚାର । ଗର୍ଭବତୀ ହେଉଛନ୍ତି ସ୍କୁଲ ଓ କଲେ ଛାତ୍ରୀ । ଏମିତି ପୁଣି ଏକ ଘଟଣା ରାଜ୍ୟରେ ନାରୀ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଖାନାରେ ଜଣେ କଲେଜ ଛାତ୍ରୀ ଗୋଟିଏ ମୃତ ଶିଶୁକୁ ଜନ୍ମ ଦେଇଛନ୍ତି । ଏହି ଘଟଣା ପ୍ରଘଟ ହେବା ପରେ ରାଜ୍ୟ ସରକାରଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । କାରଣ ସରକାର ବଦଳିବା ପରେ ଏପରି ଘଟଣା ରାଜ୍ୟରେ ଘଟିବା ପ୍ରଥମ ନୁହେଁ । ଏହା ପୂର୍ବରୁ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ଜଣେ ଛାତ୍ରୀ ଏକ ଶିଶୁକୁ ଜନ୍ମ ଦେଇଥିଲେ । ଯାହା ନାରୀଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର କେତେ ସମ୍ବେଦନଶୀଳ ତାହାକୁ ପଦାରେ ପକାଉଛି ।

ଖବର ଅନୁସାରେ, ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପାଇଖାନା ଭିତରେ ଏକ ମୃତ ଛୁଆକୁ ଜନ୍ମ ଦେଇଛନ୍ତି କଲେଜ ଛାତ୍ରୀ । ଛାତ୍ରୀ ଜଣକ କନ୍ଧମାଳ ଜିଲ୍ଲାର ହୋଇଥିବାବେଳେ ନୟାଗଡରେ ରହି ପାଠ ପଢୁଥିଲେ । ଆଜି ସକାଳୁ ଛାତ୍ରୀଙ୍କ ପେଟ କାଟିବାରୁ କଲେଜ କର୍ମଚାରୀ ଓ ତାଙ୍କ ସାଙ୍ଗଙ୍କ ସହିତ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ । କିଛି ସମୟ ପରେ ଛାତ୍ରୀ ଜଣଙ୍କ ପାଇଖାନାକୁ ଯାଇ ଏକ ମୃତ ଛୁଆକୁ ଜନ୍ମ ଦେଇଥିଲେ । ଏହାପରେ ଛାତ୍ରୀଙ୍କ ସାଙ୍ଗ କଲେଜ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ । ଖବର ପାଇବା ପରେ କଲେଜ ସୁପରିଟେଣ୍ଡେଣ୍ଟ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଖବର ଦେଇଛନ୍ତି । ପରିବାର ଲୋକ ଆସିଲା ପରେ ଘଟଣାର ସତ୍ୟତା ଜଣାପଡିବ ।

ଦେଓମାଳି ପର୍ବତ ଅବସ୍ଥା ଦେଖି ଫିଲ୍ମ ନିର୍ମାତା ଏସଏସ ରାଜାମୌଲି ବିଚଳିତ

କୋରାପୁଟ: ଏସଏସଏମବି ୨୯ର ଫଇଲ୍ମ ସୁଟିଂ ସାରି କୋରାପୁଟରୁ ଫେରିବା ପରେ ପ୍ରସିଦ୍ଧ ଫିଲ୍ମ ନିର୍ମାତା ଏସ.ଏସ. ରାଜାମୌଲି ସୋସିଆଲ ମିଡିଆରେ ଦେଓମାଳି ପର୍ବତର ଅବସ୍ଥା ଦେଖି ବିଚଳିତ ଥିବା ପୋଷ୍ଟ କରିଛନ୍ତି । ଦେଓମାଳି ପର୍ବତ ଉପରେ ଚଢି ଏହାର ସୌନ୍ଦର୍ଯ୍ୟ ଅବଲୋକନ କରିଛନ୍ତି । ହେଲେ ପର୍ବତ ଶିଖରର ଅବସ୍ଥା ଦେଖି ଚିନ୍ତାପ୍ରକଟ କରିଛନ୍ତି । ପ୍ରକୃତିର ଏହି ଅପରୂପ ଗନ୍ତାଘରର ସୁରକ୍ଷାରେ ନିଜକୁ ନିୟୋଜିତ କରିବା ଲାଗି ସେ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି ।

ନିଜର ସୋସିଆଲ ମିଡିଆ ପେଜରେ ଦେଓମାଳିର ଏକ ଭିଡିଓ ପୋଷ୍ଟ କରି ସେ କହିଛନ୍ତି, ଓଡ଼ିଶାର ସର୍ବୋଚ୍ଚ ପର୍ବତ ଦେଓମାଳି ଉପରକୁ ସେ ଯାଇ ଏହାର ଦୃଶ୍ୟ ଅବଲୋକନ କରିଛନ୍ତି । ଏହା ଉପରୁ ସେ ପ୍ରକୃତିର ନୈସର୍ଗିକ ଦୃଶ୍ୟ ଦେଖି ବିଭୋର ହୋଇଛନ୍ତି । ମାତ୍ର ଏହି ପାହାଡର ଅବସ୍ଥା ପରିତ୍ୟକ୍ତ ହୋଇ ରହିଛି । ଏଥିପ୍ରତି ଲୋକେ ସଚେତନ ହେଲେ ପାହାଡର ଅବସ୍ଥା ବଦଳିଯିବ । ଏହି ପର୍ବତର ସୁରକ୍ଷା ଲାଗି ପର୍ଯ୍ୟଟକମାନେ ସେମାନଙ୍କ ବର୍ଜ୍ୟ ପଦାର୍ଥ ନେଇ ଯାଇ ଅନ୍ୟତ୍ର ଫୋପାଡିବା ଲାଗି ସେ ପରାମର୍ଶ ଦେଇଛନ୍ତି ।

ଦେଓମାଳି ପର୍ବତ ଶିଖରରେ ପ୍ଲାଷ୍ଟିକ ସାମଗ୍ରୀ ଏଣେତେଣେ ପଡିବା ଯୋଗୁଁ ପ୍ରାକୃତିକ ପରିବେଶର ଅବକ୍ଷୟ ଘଟୁଛି ବୋଲି କହିଛନ୍ତି RRR ନିର୍ଦ୍ଦେଶକ ରାଜାମୌଲି । ଆଗାମୀ ଫିଲ୍ମ ଏସଏସଏମବି 29 ର କିଛି ସିନର ସୁଟିଂ ଲାଗି ନିଜର ବୃହତ ଟିମ୍ ସହ କୋରାପୁଟ ଆସିଥିଲେ ରାଜାମୌଲି । ଏହି ଫିଲ୍ମରେ ଅଭିନୟ କରୁଛନ୍ତି ମହେଶ ବାବୁ, ପ୍ରିୟଙ୍କା ଚୋପ୍ରା ଏବଂ ପୃଥ୍ବୀରାଜ ସୁକୁମାରନ ।

ସୁରକ୍ଷାକର୍ମୀଙ୍କ ଗୁଳିରେ ୨୨ ନକ୍ସଲ ନିପାତ

ମାଲକାନଗିରି: ମେଲକାନଗିରି ସୀମାନ୍ତ ଛତିଶଗଡ଼ରେ ବଡ଼ଧରଣର ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୨୨ ମାଓବାଦୀ ନିପାତ । ବିଜାପୁର ଏବଂ କାଙ୍କରେ ଦୁଇଟି ପୃଥକ ପୃଥକ ସ୍ଥାନରେ ଗୁଳି ବିନିମୟ ଘଟି ୨୨ ନକ୍ସଲ ନିହତ ହୋଇଛନ୍ତି । ବିଜାପୁର ଜିଲ୍ଲା ଗଙ୍ଗଲୁରୁ ଜଙ୍ଗଲରେ ଚାଲିଛି ଏନକାଉଣ୍ଟର। ବିଜାପୁରରେ ୧୮ ନକ୍ସଲଙ୍କ ମୃତ୍ଯୁ ଘଟିଛି । କାଙ୍କେରରେ ୪ ନକ୍ସଲ ନିପାତ ହୋଇଛନ୍ତି ।

ଗୁଳିବିନିମୟରେ ଜଣେ ଡିଆରଜି ଯବାନ ସହିଦ ହୋଇଛନ୍ତି । ସର୍ଚ୍ଚ ଅପରେସନରୁ ବିପୁଳ ପରିମାଣର ଗୁଳି ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଏବେ ବି ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଛି ଜୋରଦାର ସର୍ଚ୍ଚ ଅପରେସନ ।

ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଖେଳାଳିଙ୍କୁ ପୁରସ୍କାର ରାଶି ଘୋଷଣା

ନନ୍ଦିଘୋଷ ବ୍ୟୁରୋ : ଆଇସିସି ଚାମ୍ପିଅନ୍ସ ଟ୍ରଫି ବିଜେତା ଭାରତୀୟ ଟିମ୍ ପାଇଁ ପୁରସ୍କାର ରାଶି ଘୋଷଣା କଲା ବିସିସିଆଇ । ଏବେ ଭାରତୀୟ କ୍ରିକେଟ୍ ଦଳ ଉପରେ କୋଟି କୋଟି ଟଙ୍କା ବର୍ଷା ହେବାକୁ ଯାଉଛି। ଭାରତୀୟ କ୍ରିକେଟ ଦଳ ପାଇଁ ବିସିସିଆଇ ମୋଟ୍ ୫୮ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି। ତେବେ ପ୍ରତ୍ୟେକ ଖେଳାଳିଙ୍କୁ ୩ କୋଟି ଟଙ୍କାର ପୁରସ୍କାର ରାଶି ମିଳିବ । ଏନେଇ BCCI ସଚିବ ଦେବଜିତ୍ ସାଇକିଆ ଘୋଷଣା କରିଛନ୍ତି । ଭାରତ ମାର୍ଚ୍ଚ ୯ ତାରିଖରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଚାମ୍ପିଅନ୍ସ ଟ୍ରଫି ଜିତିଥିଲା। ଏହା ଭାରତର ତୃତୀୟ ଚାମ୍ପିଅନ୍ସ ଟ୍ରଫି ଥିଲା। ଗତବର୍ଷ ଜୁନ୍ ୨୯ ତାରିଖରେ ଭାରତ ଟି-୨୦ ବିଶ୍ୱକପ୍ ମଧ୍ୟ ଜିତିଥିଲା।

ତେବେ ଏହି ନଗଦ ୫୮କୋଟି ଟଙ୍କାର ନଗଦ ପୁରସ୍କାରକୁ ମ୍ୟାଚ୍ ଜିତିବା ପଛରେ ଥିବା ସମସ୍ତ ଖେଳାଳି, ପ୍ରଶିକ୍ଷକ, ସହାୟକ ଏବଂ କମିଟିର ଅନ୍ୟନ୍ୟା ସଦସ୍ୟଙ୍କୁ ଦିଆଯିବ । ତେବେ ଦେବଜିତ୍ କହିଛନ୍ତି ଯେ, ପ୍ରତ୍ୟେକ ଖେଳାଳିଙ୍କୁ ୩ କୋଟି ଟଙ୍କା ପ୍ରଦାନ କରାଯିବ । ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କୁ ୫୦ ଲକ୍ଷ ଏବଂ ଅନ୍ୟନ୍ୟ ପ୍ରଶିକ୍ଷକ  ରିଆନ୍ ଟେନ୍ ଡୋସ୍ଟାଟେ, ଅଭିଷେକ ନାୟାର ଏବଂ ବ୍ୟାଟିଂ କୋଚ୍ ସୀତାଂଶୁ କୋଟକ, ବେଲିଂ କୋଚ୍ ମୋର୍ନେ ମୋର୍କେଲଙ୍କୁ ୫୦ ଲକ୍ଷ ଟଙ୍କା ଦିଆଯିବ ।