spot_img
Home Blog Page 1031

ବିଧିର ବିଧାନ ଅଲଗା; ସାନ ଯାଆଙ୍କୁ ଯକୃତ ଦାନ ଦେଇ ବି ହୋଇପାରିଲାନି ଜୀବନ ରକ୍ଷା

ସମ୍ବଲପୁର: ସାନ ଯାଆଙ୍କୁ ଯକୃତ ଦାନ କରିଥିଲେ ବଡ଼ ଯାଆ। ହେଲେ ବିଧିର ବିଧାନ ଥିଲା ଅଲଗା। ବଞ୍ଚିପାରିଲେନି ସାନ ଯାଆ। ଚିକିତ୍ସାଧୀନ ଅବସ୍ଥାରେ ଆରପାରିକୁ ଚାଲିଗଲେ ସାନ ଯାଆ ଉମାକାନ୍ତୀ ପ୍ରଧାନ।

ସୂଚନା ଅନୁଯାୟୀ, ସମ୍ବଲପୁର ଯୁଯୁମୁରା ଝାଙ୍କରପାଲିରେ ବଡ଼ଯାଆ ପ୍ରତିମା ପ୍ରଧାନ ସାନ ଯାଆ ଉମାକାନ୍ତିଙ୍କୁ ଯକୃତ ଦାନ କରିଥିଲେ। ଆଶା କରିଥିଲେ ସାନ ଯାଆ ଭଲ ହୋଇଯିବେ। ହେଲେ କାଳ ତାହା ସହିଲାନି। ହାଇଦ୍ରାବାଦରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଯକୃତ ଦାନ କରି ଗଣମାଧ୍ୟମରେ ଚର୍ଚ୍ଚାରେ ଥିଲେ ବଡ଼ ଯାଆ।

ଗଲା ୭୫ ଦିନ ଧରି ପ୍ରତି ମିନଟରେ ମସ୍କ ହରାଉଛନ୍ତି ୮ କୋଟି ଟଙ୍କା !

ନନ୍ଦିଘୋଷ ବ୍ୟୁରୋ: ବିଶ୍ୱର ଏକ ନମ୍ୱର ଧନୀ ଏଲନ ମସ୍କ ଏବେ ଚିନ୍ତାରେ । ଦିନକୁ ପ୍ରତି ମିନିଟରେ କୋଟି କୋଟି ଟଙ୍କା ହରାଉଛନ୍ତି ଏଲନ ମସ୍କ। ୭୫ ଦିନରେ ଯେତିକି ଟଙ୍କା ମସ୍କ ହରାଇଛନ୍ତି ସେତିକି ଟଙ୍କା ବଡ ବଡ ବ୍ୟବସାୟୀଙ୍କ ପାଖରେ ନଥିବ ବୋଲି କୁହାଯାଉଛି। ୧୮ ଡିସେମ୍ୱର ପରଠାରୁ ମସ୍କ ୧୦୦ ବିଲିୟନ୍ ଡଲାରରୁ ଅଧିକ ଟଙ୍କା ହରାଇସାରିଲେଣି। ସେଥିମଧ୍ୟରୁ ୨୨ ଫେବୃଆରୀରେ ୧୧ ବିଲିୟନ୍ ଡଲାରର କ୍ଷତି ହୋଇଥିବା ଦେଖିବାକୁ ମିଳିଛି ।

ଏବେ ଯଦି ଆମେ ଚଳିତ ବର୍ଷ କଥା କହିବା, ତେବେ ମସ୍କଙ୍କ ଟୋଟାଲ୍ ସମ୍ପତ୍ତିରୁ ପ୍ରାୟ ୧୧ ପ୍ରତିଶତ ହ୍ରାସ ହୋଇଛି । ଏହାର କାରଣ ହେଉଛି ଟେସଲାର ସେୟାର ମୂଲ୍ୟ ୧୦୦ ଡଲାରରୁ ଅଧିକ ଅର୍ଥାତ୍ ୨୩ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ଯେଉଁଥିପାଇଁ ମସ୍କଙ୍କ ସମ୍ପତ୍ତିରେ ଏତେ ବଡ଼ ହ୍ରାସ ଘଟିଛି।

ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ଫେବୃଆରୀ ୨୨ ତାରିଖରେ ମସ୍କଙ୍କ ସମ୍ପତ୍ତି ୧୧.୯ ବିଲିୟନ୍ ଡଲାର ଅର୍ଥାତ୍ ୧୦,୩୧,୧୨,୬୦,୭୫,୦୦୦ ଟଙ୍କା ହ୍ରାସ ପାଇଛି । ଏହି କ୍ଷତି ପରେ, ମସ୍କଙ୍କ ମୋଟ ସମ୍ପତ୍ତି ୩୮୫ ଅରବ ଡଲାରକୁ ହ୍ରାସ ପାଇଛି । ତଥାପି, ଏଲୋନ ମସ୍କ ଏବେ ବି ବିଶ୍ୱର ସବୁଠାରୁ ଧନୀ ବ୍ୟବସାୟୀ ତାଲିକାରେ ଅଛନ୍ତି । ଦ୍ୱିତୀୟ ସ୍ଥାନରେ ଥିବା ମାର୍କ ଜୁକରବର୍ଗ ଏବେ ବି ତାଙ୍କଠାରୁ ୧୪୦ ବିଲିୟନ୍ ଡଲାରରୁ ଅଧିକ ପଛରେ ଅଛନ୍ତି।

ବିଧାନସଭାରେ ଦାଦି ଶବ୍ଦ ବିରୋଧରେ ତାତିଲା କଂଗ୍ରେସ, ଗୃହରେ ରାତିସାରା ଶୋଇ ପ୍ରତିବାଦ କଲେ ବଧାୟକ

ନନ୍ଦିଘୋଷ ବ୍ୟୁରୋ: ରାଜସ୍ଥାନ ବିଧାନସଭାରେ ଇନ୍ଦିରା ଝଡ଼। ଦାଦି ଶବ୍ଦ ବିରୋଧରେ ତାତିଲେ କଂଗ୍ରେସ ବିଧାୟକ। ଗୃହର ମଧ୍ୟଭାଗରେ ଶୋଇଲେ କଂଗ୍ରେସ ବିଧାୟକ। ସାରା ରାତି ଶୋଇ ଜଣାଇଲେ ପ୍ରତିବାଦ। ବଜେଟ ଅଧିବେଶନର ଅବଶିଷ୍ଟ ସମୟକାଳରୁ ସେମାନଙ୍କୁ ବହିଷ୍କାର ପ୍ରତିବାଦରେ କରିଛନ୍ତି ଅଭିନବ ପ୍ରତିବାଦ।

ରାଜସ୍ଥାନ ପିସିସି ସଭାପତି ଗୋବିନ୍ଦ ସିଂ ଦୋତସାରା, ବିରୋଧୀ ଦଳ ନେତା ରାମକେଶ ମୀନା, ଅମିନ କାଗଜି, ଜାକିର ହୁସେନ ଗେସାୱତ, ହାକିମ ଅଲ୍ଲୀ ଖାନ ଓ ସଞ୍ଜୟ କୁମାର ଜାଟବ ଗୃହରେ ଶୋଇ ଜଣାଇଛନ୍ତି ପ୍ରତିବାଦ। ସୂଚନା ଅନୁଯାୟୀ, ଗତ ଶୁକ୍ରବାର କଂଗ୍ରେସକୁ କଟାକ୍ଷ କରି ଗୃହରେ ସାମାଜିକ କଲ୍ଯାଣ ଓ ସଶକ୍ତିକରଣ ମନ୍ତ୍ରୀ ଅବିନାଶ ଗେହଲତ କହିଥିଲେ ଯେ, ୨୦୨୩-୨୪ ବଜେଟରେ କର୍ମଜୀବୀ ମହିଳାଙ୍କ ଲାଗି ଉଦ୍ଦିଷ୍ଟ ହଷ୍ଟେଲକୁ କଂଗ୍ରେସ ସରକାର ଦାଦି ଇନ୍ଦିରା ଗାନ୍ଧୀଙ୍କ ନାମରେ ନାମିତ କରିଥିଲା। ମନ୍ତ୍ରୀଙ୍କ ଏହି ବୟାନକୁ ନେଇ ଗୃହ ହୁଲସ୍ତୁଲ ହୋଇଥିଲା। ଏହାକୁ ବିରୋଧୀ ଦଳ ନେତା ତିକାରାମ ଜୁଲ୍ଲୀ ତୀବ୍ର ବିରୋଧ କରିଥିଲେ। ପରେ ସେମାନେ ଗୃହରେ ରାତି କଟାଇ ଏହି ବୟାନର ପ୍ରତିବାଦ ଜଣାଇଥିଲେ।

ତେବେ ଦାଦି ଶବ୍ଦ କୌଣସି ଅଣସଂସଦୀୟ ଶବ୍ଦ ନୁହେଁ ବୋଲି କହିଛନ୍ତି ସଂସଦୀୟ ବ୍ଯାପାର ମନ୍ତ୍ରୀ ଯୋଗଗାମ ପଟେଲ।

ମଣ୍ଡିରେ ଧାନ କିଣାରେ ବ୍ୟାପକ ଅନିୟମିତତା ଅଭିଯୋଗ, ତାତିଲେ ଚାଷୀ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ନୀଳଗିରିରେ ତାତିଲେ ଚାଷୀ। ମଣ୍ଡିରେ ଧାନ କିଣାରେ ଅନୀୟମିତତାକୁ ନେଇ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଶେରଗଡରୁ ଝରଣାଘାଟି ରାସ୍ତାର ଛତ୍ରପୁରଛକରେ ଧାନବସ୍ତା ରଖି ରାସ୍ତାରୋକ୍ କରିଛନ୍ତି ଚାଷୀ। ୧୯ ନମ୍ବର ରାଜ୍ୟ ରାଜ୍ୟପଥରେ ଆନ୍ଦୋଳନ ଯୋଗୁ ରାସ୍ତାର ଉଭୟ ପାର୍ଶ୍ଵରେ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି। ଫଳରେ ବାଲେଶ୍ଵର ଓ ମୟୂରଭଞ୍ଜକୁ ଯାତାୟତ ବାଧାପ୍ରାପ୍ତ ହୋଇଛି।

ସୂଚନା ଅନୁଯାୟୀ, ମାଟିଆଳି ଲ୍ଯାମ୍ପସ୍ ଅଧୀନରେ ଥିବା ଛତ୍ରପୁର ଧାନମଣ୍ଡିରେ ଚାଷୀଙ୍କୁ ଧାନ ଟୋକନ୍ ଦିଆଯାଇଥିଲା। କିନ୍ତୁ ଜାନୁଆରୀ ମାସରୁ ଟୋକେନ୍ ଦିଆଯାଇଥିବା ଚାଷୀଙ୍କ ଧାନ ଆଜି ପର୍ଯ୍ୟନ୍ତ ଉଠିନଥିବା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ ଧାନ ଦେଉଛନ୍ତି ସେମାନଙ୍କର ଅତ୍ୟଧିକ ମାତ୍ରାରେ କଟନିଛଟନୀ ହେଉଇଥିବା ଅଭିଯୋଗ ହୋଇଛି।

ମହାରାଷ୍ଟ୍ରରେ ଥମୁନି ମହାୟୁତି ବିବାଦ, ପୁଣି ନାଲିଆଖି ଦେଖାଇଲେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ରରେ ଥମୁନି ମହାୟୁତି ବିବାଦ। ପୁଣି ନାଲିଆଖି ଦେଖାଇଲେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ସେ କହିଛନ୍ତି, ତାଙ୍କୁ ହାଲୁକା ଭାବେ କେହି ଗ୍ରହଣ କରନ୍ତୁ ନାହିଁ। ୨୦୨୨ରେ ତାଙ୍କୁ ସମସ୍ତେ ହାଲୁକା ଭାବେ ନେଇଥିଲେ। ମାତ୍ର ସେ ତତକାଳୀନ ଉଦ୍ଧବ ଠାକରେ ସରକାରର ପତନ ଘଟାଇବାକୁ ସକ୍ଷମ ହୋଇଥିଲେ। ସିନ୍ଦେ ମୁଖ୍ୟମନ୍ତ୍ରୀ ଥିବାବେଳେ ସେ ଜଲନାରେ ଅନୁମୋଦନ କରିଥିବା ୯୦୦ କୋଟି ଟଙ୍କାର ପ୍ରକଳ୍ପକୁ ବର୍ତ୍ତମାନର ଫଡଣବିସ ସରକାର ରଦ୍ଦ କରିଦେବା ପରେ ରକ୍ତମୁଖା ହୋଇଛନ୍ତି ସିନ୍ଦେ। ଏପରିକି ପ୍ରକଳ୍ପର ବୈଧତା ଓ ଆଭିମୁଖ୍ୟ ସମ୍ପର୍କରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଫଡଣବିସ।

ସିନ୍ଦେ ଆହୁରି ମଧ୍ୟ କହିଛନ୍ତି- ସେ ଜଣେ ସାଧାରଣ ଦଳୀୟ କର୍ମୀ କିନ୍ତୁ ସେ ମଧ୍ୟ ବାଲାସାହେବଙ୍କ ଆଦର୍ଶରେ ଅନୁପ୍ରାଣୀତ ଜଣେ କର୍ମୀ। ତେଣୁ ତାଙ୍କୁ ହାଲୁକା ଭାବେ ଗ୍ରହଣ କରିବା ଅନୁଚିତ।

୨୦୨୨ରେ ୪୦ ବିଧାୟକଙ୍କୁ ନେଇ ମୂଳ ଶିବସେନାରୁ ଅଲଗା ହୋଇଥିବା ସିନ୍ଦେଙ୍କୁ ପ୍ରକୃତ ଶିବସେନାର ମାନ୍ୟତା ମିଳିଥିଲା। ଏହା ସହ ସେ ଉଦ୍ଧବ ଠାକରେଙ୍କୁ ଗାଦିରୁ ହଟାଇ ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିଜେପିର ୧୩୨, ଶିବସେନାର ୫୭ ଓ ଅଜିତ ପାୱାର ନେତୃତ୍ବାଧୀନ ଏନସିପିର ଅଛନ୍ତି ୪୧ ବିଧାୟକ। ପୂର୍ବରୁ ଲାଗ୍ ଲାଗ୍ ୩ଟି ସରକାରୀ କାର୍ଯ୍ୟକ୍ରମରେ ସିନ୍ଦେ ଯୋଗ ଦେଇ ନଥିବାରୁ ଏହାକୁ ନେଇ ରାଜ୍ୟ ରାଜନୀତି ହୋଇଥିଲା ସରଗରମ।

ପୁଣି ବିଶ୍ବକୁ କରୋନା ବିପଦ ! HKU5 କୋଭିଡ-୨ ନାମକ ଭାଇରସର ସନ୍ଧାନ କଲେ ଚୀନ ଗବେଷକ

ନନ୍ଦିଘୋଷ ବ୍ୟୁରୋ: ପୁଣି ବିଶ୍ବକୁ ଘୋଟିପାରେ ଆଉ ଏକ କରୋନା ବିପଦ। HKU5 କୋଭିଡ-୨ ନାମକ ଏହି ଭାଇରସର ସନ୍ଧାନ କରିଛନ୍ତି ଚୀନର ଗବେଷକ। ବାଦୁଡିଠାରୁ ଜାତ ଏହି ଭାଇରସ ପ୍ରାଣୀରୁ ମଣିଷକୁ ସଂକ୍ରମିତ ହେବାର ସାମର୍ଥ୍ୟ ହାସଲ କରିଛି।

ସୂଚନା ଅନୁଯାୟୀ, କୋଭିଡ-୧୯ର କାରଣ ସାଜିଥିବା ସାର୍ସ କୋଭିଡ-୨ ପରି ଏହି ଭୂତାଣୁ ସମାନ ବୋଲି ଗବେଷକ କହିଛନ୍ତି। ଖ୍ୟାତନାମା ଭିରୋଲୋଜିଷ୍ଟ ଶି ଜେଙ୍ଗଲିଙ୍କ ନେତୃତ୍ବରେ ଗଠିତ ଟିମରେ ଉହ୍ବାନ ବିଶ୍ବବିଦ୍ୟାଳୟ, ଉହ୍ବାନ ଇନଷ୍ଟିଚ୍ଯୁଟ ଅଫ ଭିରୋଲୋଜି, ଗୁଆଙ୍ଗଝୋ ଲାବରେଟୋରୀ ଆଦିର ଗବେଷକମାନେ ସାମିଲ ଅଛନ୍ତି। ଏହି ନୂଆ ଭାଇରସ ମେର୍ବେକୋଭାଇରସ ସବଜେନସର ଅନ୍ତର୍ଭୁକ୍ତ। ଏହି ଧରଣର ଭୂତାଣୁରେ ବି ସାମିଲ ରହିଛି ମିଡିଲ ଇଷ୍ଟ ରେସପିରେଟୋରୀ ସିଣ୍ଡ୍ରୋମ ବା ଏମଇଆରଏସ ।

HKU5 କରୋନା ଭାଇରସ ପ୍ରଥମେ ହଂକଂରେ ଜାପାନୀଜ ପିପିଷ୍ଟ୍ରେଲେ ବାଦୁଡ଼ିଙ୍କ କ୍ଷେତ୍ରରେ ଦେଖାଯାଇଥିଲା। ଗବେଷକମାନେ କହିଛନ୍ତି- ଏହି ଭାଇରସ ମଣିଷଙ୍କ ଲାଗି ଅତି ବିପଦପୂର୍ଣ୍ଣ ଏବଂ ବିଭିନ୍ନ ମାଧ୍ଯମ ଜରିଆରେ ସେମାନେ ସଂକ୍ରମିତ ହୋଇପାରନ୍ତି। ତେବେ ଏହାକୁ ନେଇ ବିଶେଷ ଆତଙ୍କିତ ନହେବା ଲାଗି ପରାମର୍ଶ ଦେଇଛନ୍ତି ଗବେଷକ।

ଚୋରା ଦେଶୀ ମଦ ଆଡାସ୍ଥଳୀକୁ ଠାବ କରିବ ଅତ୍ୟାଧୁନିକ ଡ୍ରୋନ୍

କଟକ: ମଦ ଆଫିଆଙ୍କୁ ଭାରି ପଡ଼ିବ ସଂରକ୍ଷିତ ଜଙ୍ଗଲରେ ଚୋରା ଦେଶୀ ମଦ ପ୍ରସ୍ତୁତ କରିବା । ଚୋରା ଦେଶୀ ମଦ ଆଡା ସ୍ଥଳୀକୁ ଠାବ କରିବ ଅତ୍ୟାଧୁନିକ ଡ୍ରୋନ୍ କ୍ୟାମେରା । ପରୀକ୍ଷା ମୂଳକ ଭାବେ ଅଭିନବ ଉପାୟ ଅବଲମ୍ବନ କରିଛି ଆଠଗଡ଼ ଅବକାରୀ ବିଭାଗ ।

ସେପଟେ କଟକ ଫ୍ଲାଇଂ ସ୍କ୍ୱାଡ ଓ ଆଠଗଡ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ବଡ଼ଧରଣର ଚଢ଼ାଉ ହୋଇଛି। କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ସରସ୍ଵତୀପୁର ଗ୍ରାମର ଚତୁପାର୍ଶ୍ଵର ଥିବା ସଂରକ୍ଷିତ ଜଙ୍ଗଲରେ ଡ୍ରୋନ୍ କ୍ୟାମେରା ଚଢ଼ାଉ କରି ମଦ ରନ୍ଧା ପ୍ରସ୍ତୁତ ପାଇଁ ଗଚ୍ଛିତ ଥିବା ୫ ହଜାର ୩୫୫ ଲିଟର ପୋଚ ସହିତ ୫୯୫ ଲିଟର ଦେଶୀ ମଦ ଜବତ୍ କରିଛି। ଚଢ଼ାଉରେ ଅବକାରୀ ବିଭାଗ ପକ୍ଷରୁ ୬ ଉର୍ଦ୍ଧ ଅଧିକାରୀ ସାମିଲ ଥିଲେ।

ମାଟ୍ରିକ ପରୀକ୍ଷାରେ କପି ଯୋଗାଇ ଦେବାକୁ କହି ଠକେଇ ଅଭିଯୋଗ

ବାଲେଶ୍ବର: ମାଟ୍ରିକ ପରୀକ୍ଷାରେ କପି ଯୋଗାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । ଅଭିଯୁକ୍ତକୁ ଥାନାରେ ଅଟକ ରଖିଛି ପୋଲିସ। ବାଲେଶ୍ବର ଜିଲ୍ଲା ନୀଳଗିରି କେସି ହାଇସ୍କୁଲରେ ୬୦ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଉଛନ୍ତି। ସେମାନଙ୍କୁ ପରୀକ୍ଷାରେ କପି ଯୋଗାଇ ଦେବାକୁ କହି ଏନଏସି ସାନଅତା ଗ୍ରାମର ଅନିରୁଦ୍ଧ ଦାସ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଦହିଷଡା କେନ୍ଦ୍ରରେ ଶିକ୍ଷକ କେବଳ ଜଣଙ୍କୁ କପି ଯୋଗାଇଥିବା ବେଳେ ଅନ୍ୟ ଛାତ୍ରଛାତ୍ରୀଙ୍କୁ କପି ନଯୋଗାଇବାରୁ ସନ୍ଧ୍ୟା ସମୟରେ ଏହି ଘଟଣାକୁ ନେଇ ନୀଳଗିରି ସାନଅତାରେ ଉତ୍ତେଜନା ହୋଇଥିଲା।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନିରୁଦ୍ଧଙ୍କୁ ଥାନାରେ ଅଟକ ରଖିବା ସହ ତଦନ୍ତ ଜାରି ରଖିଛି । ତେବେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସ୍ଵଚ୍ଛତା ନେଇ ପ୍ରଶ୍ନ ଉଠିଥିବା ବେଳେ ସରକାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।

 

OSRTC ବସ୍ ଦୁର୍ଘଟଣାଗ୍ରସ୍ତ, ୨୦ ଯାତ୍ରୀ ଆହାତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ୧୦ ନମ୍ବର (କ) ରାଜ୍ୟ ରଜପଥ ମୁଚୁରିନାଳି ଗ୍ରାମ ନିକଟରେ ବସ୍ ଦୁର୍ଘଟଣା। OSRTC ଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ, ୨୦ ଯାତ୍ରୀ ଆହାତ । ଆହାତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ସୁନ୍ଦରଗଡ଼ରୁ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ପୁରୀ ଯାଉଥିବା OSRTC ଜଗନ୍ନାଥ ବସ ମଧ୍ୟରାତ୍ରୀରେ ଭାରସାମ୍ୟ ହରାଇ ଏକ 33 KV ବିଦ୍ୟୁତ ଖୁଣ୍ଟିକୁ ଧକ୍କା ଦେଇ ଖସିପଡିଥିଲା। ଫଳରେ ୨୦ ଜଣ ଯାତ୍ରୀ ଆହତ ହୋଇଥିଲେ। ଆହତମାନଙ୍କୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ସହ ଗୁରୁତରଙ୍କୁ ରାଉରକେଲାକୁ ପଠାଯାଇଛି। ବିଦ୍ୟୁତ୍ ଖୁଣ୍ଟରେ ବସ ଧକ୍କା ଦେବାରୁ କିଛି ଯାତ୍ରୀଙ୍କୁ ବିଦ୍ୟୁତ୍ ଆଘାତ ହୋଇଥିବା ସୂଚନା ମିଳିଛି। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅନ୍ୟ ଯାତ୍ରୀଙ୍କୁ ଅଲଗା ବସରେ ପଠାଇ ତଦନ୍ତ ଚଳାଇଛି ।

ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଭିଜିବ ଓଡ଼ିଶା, ରାଜ୍ୟରେ ଜାରି ରହିବ ବଜ୍ରପାତ ବର୍ଷା

ଭୁବନେଶ୍ୱର: ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ବଜ୍ରପାତ ବର୍ଷା। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ଏବଂ କୁଆପଥର ବୃଷ୍ଟି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ପ୍ରଚଣ୍ଡ ବଜ୍ରପାତ ସହ ପ୍ରବଳ ବର୍ଷା ଏବଂ କୁଆପଥର ବୃଷ୍ଟି ନେଇ ୪ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାରେ ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ସହ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବା ଏନେଇ ସତର୍କତା ଜାରି କରାଯାଇଛି।

ସେହିଭଳି ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଯାଜପୁର, ନୟାଗଡ, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, ଦେବଗଡ, ସମ୍ବଲପୁର, ସୁନ୍ଦରଗଡ ଏବଂ ଝାରସୁଗୁଡାକୁ ବଜ୍ରପାତ ନେଇ ସତର୍କତା ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ୩୦ ରୁ ୪୦ କିଲୋମିଟର ବେଗରେ ଝଟକା ପବନ ବହିବା ସହ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। କାଲି ବଜ୍ରପାତ ନେଇ ୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବାଂଲାଦେଶ ଠାରୁ ଓଡ଼ିଶା ମଧ୍ୟ ଦେଇ ଏକ ନିମ୍ନଚାପରେଖା ତେଲେଙ୍ଗାନା ପର୍ଯ୍ୟନ୍ତ ଲମ୍ବିଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ବଜ୍ରପାତ ଜାରି ରହିଛି ବୋଲି ପାଣିପାଗ କେନ୍ଦ୍ର କହିଛି। ବର୍ଷା ପ୍ରଭାବରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ହୋଇ ନଥିବା ବେଳେ ପଶ୍ଚିମ ଓଡ଼ିଶାର ଜିଲ୍ଲା ଗୁଡିକରେ ତାପମାତ୍ରା ୩୩ ରୁ ୩୫ ଡିଗ୍ରୀ ମଧ୍ୟରେ ରହୁଛି।