ନନ୍ଦିଘୋଷ ବ୍ୟୁରୋ: ଆହୁରି ୩ ଦିନ ଯାଏ ସିଝିବ ଓଡ଼ିଶା । ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ କଲବଲ କରିବ ଗ୍ରୀଷ୍ମ ପ୍ରବାହ । ଆଜି ୪୩.୫ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତପ୍ତ ସହର ପାଲଟିଛି । ସେହିପରି ୪୨ ତାପମାତ୍ରା ସହ ବରଗଡ଼ ଦ୍ବିତୀୟ ଏବଂ ୪୦.୭ ସହ ଅନୁଗୁଳ ତୃତୀୟରେ ରହିଛି । ଟିଟିଲାଗଡ଼ ୪୦.୫, ମାଲକାନଗିରି ୪୦.୨, ଝାରସୁଗୁଡା ୩୯.୮, ସମ୍ବଲପୁର ୩୯.୬, ହୀରାକୁଦ ୩୯.୧, ରାଉରକେଲା ୩୭.୧, କଟକ ୩୭, ଚାନ୍ଦବାଲି ୩୬.୮,ଭୁବନେଶ୍ବର ୩୬.୭ ରେକର୍ଡ କରାଯାଇଛି । ଆସନ୍ତା ୨୪ ଘଣ୍ଟା ଯାଏ ସିଭିୟର ହିଟ ୱେଭ ରହିଥିବା ବେଳେ ବଲାଙ୍ଗୀର, ଅନୁଗୁଳ ଝାରସୁଗୁଡା ଓ ବୌଦ୍ଧ ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ସମ୍ବଲପୁର, ସୁନ୍ଦରଗଡକୁ ୟେଲୋ ଓ୍ୱାର୍ଣ୍ଣିଙ୍ଗ ଜାରି କରାଯାଇଥିବା ବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର,କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା ଓ ଗଜପତିକୁ ଜିଲାକୁ ମଧ୍ୟ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ୩ ଦିନ ପରେ ଅର୍ଥାତ ୨୦ ତାରିଖ ବେଳକୁ କମିବ ତାପମାତ୍ରା । ୨ ରୁ ୪ ଡିଗ୍ରୀ ତାପମାତ୍ରା ହ୍ରାସ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତାପମାତ୍ରା ହ୍ରାସ ସହ ବିଜୁଳି ଘଡଘଡି ହେବାର ସମ୍ଭାବନା ରହିଛି । ଆସନ୍ତାକାଲିଠୁ କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ବର୍ଷା ହୋଇପାରେ ବୋଲି ବିଭାଗ ପୂର୍ବାନୁମାନ କରିଛି । ଭଦ୍ରକ, ଯାଜପୁର, ବାଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ ଜିଲ୍ଲାର କେତେକ ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ୩୦ ରୁ ୪୦ କିମି ପବନ ବହିବ । ସେହିପରି ୨୦ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୫ ଜିଲ୍ଲାରେ ବିଜୁଳି ଘଡଘଡି ସହ କୁଆପଥର ଵର୍ଷା ହେବାର ସମ୍ଭାବନା ରହିଛି ।
ଜୟପୁରରେ ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କୁ ଅଣଦେଖା
ନନ୍ଦିଘୋଷ ବ୍ୟୁରୋ: ଜୟପୁର ସହରରେ ୮ଶହ ସଂଖ୍ଯା ବିଶିଷ୍ଟ ହଷ୍ଟେଲ୍ ନିର୍ମାଣରେ ବ୍ଯାପକ ଅବହେଳା । କାମ ସାରିବା ଅବଧି ସରିଯାଇଥିବା ପରେ ବି ୩ ବର୍ଷ ହେଲାଣି କାର୍ଯ୍ୟ ସରିବାର ନା ନେଉନାହିଁ । ଯାହା ଫଳରେ ହଷ୍ଟେଲ ସୁବିଧାରୁ ବଞ୍ଚିତ ହେଉଛନ୍ତି ପଛୁଆ ବର୍ଗର ଛାତ୍ରଛାତ୍ରୀ । ସେପଟେ ଅସମ୍ପୂର୍ଣ୍ଣ ହଷ୍ଟେଲକୁ ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ରହିବା ପାଇଁ ବିଶ୍ବ ବିଦ୍ୟାଳୟକୁ ହସ୍ତାନ୍ତର କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପ୍ରତି ଅଣଦେଖା । ହଷ୍ଟେଲ ନିର୍ମାଣରେ ବିଳମ୍ବ ଯୋଗୁଁ ଅସୁବିଧାରେ ବିଦ୍ଯାର୍ଥୀ । ଅସମ୍ପୂର୍ଣ୍ଣ ହଷ୍ଟେଲକୁ ବିଶ୍ବବିଦ୍ଯାଳୟକୁ ହସ୍ତାନ୍ତର । SC-ST ବିଭାଗ ନିକଟରେ ନାହିଁ ଖବର । ଅବିଭକ୍ତ କୋରାପୁଟ ଜିଲ୍ଲାରେ ପଛୁଆ ବର୍ଗ ଛାତ୍ରଛାତ୍ରୀ ଅଧିକ ଗୁରୁତ୍ବ ଦେଇଥିଲେ ପୂର୍ବ ସରକାର । ଏଥିପାଇଁ ୮ଶହ ସଂଖ୍ଯା ବିଶିଷ୍ଟ ହେଷ୍ଟେଲ ନିର୍ମାଣ ପାଇଁ ଯୋଗାଇ ଦେଇଥିଲେ ୧୦ କୋଟି ଟଙ୍କା । ୨୦୧୯ ରେ ନିର୍ମାଣ ପାଇଁ NPCC ନାମକ ଏକ ଜାତୀୟ ଠିକା ସଂସ୍ଥାକୁ ଦିଆଯାଇଥିଲା ଦାୟିତ୍ବ । ହେଲେ ବର୍ତ୍ତମାନ ଯାଏଁ ନିର୍ମାଣ କାର୍ଯ୍ୟ ସରିପାରୁନାହିଁ । ଫଳରେ ଛାତ୍ରଛାତ୍ରୀ ହଷ୍ଟେଲ ସୁବିଧାରୁ ବଞ୍ଚିତ ହୋଇଛନ୍ତି । ବାଧ୍ଯହୋଇ ବାହାରେ ଘରଭଡ଼ା ନେଇ ରହୁଛନ୍ତି ଅନେକ ଛାତ୍ରଛାତ୍ରୀ । ଠିକା ସଂସ୍ଥା ପ୍ରତି ନୂଆ ସରକାର କାହିଁକି ଏତେ ଅନୁକମ୍ପା ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ ।
ହଷ୍ଟେଲ କାର୍ଯ୍ଯ ସରି ନଥିବା ରାଜ୍ୟ SC-ST ବିଭାଗ ନିକଟରେ ଖବର ନାହିଁ । କାମ ଅସମ୍ପୂର୍ଣ୍ଣ ଥିବା ବେଳେ ଏହାକୁ ହସ୍ତାନ୍ତର କରିବା ଲାଗି ବିକ୍ରମ ଦେବ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି । ହଷ୍ଟେଲ କାର୍ଯ୍ୟ ଅଛି ସରି ନଥିବାରୁ ଏହାକୁ ଛାତ୍ରଛାତ୍ରୀଙ୍କୁ କିପରି ହସ୍ତାନ୍ତର କରାଯିବ ସେନେଇ ପ୍ରଶ୍ନ ଉଠାଇଛନ୍ତି ବିଶ୍ବବିଦ୍ୟାଳୟ କୁଳ ସଚିବ । ସେପଟେ କୋରାପୁଟ ଜିଲ୍ଲାପାଳ କହିଛନ୍ତି, ତୁରନ୍ତ କାର୍ଯ୍ୟ ସାରିବାକୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।
ରବି ଦାସ ହତ୍ୟା ମାମଲାରେ ୩ ଜଣ ଗିରଫ
ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ହରିପୁର ଗାଁରେ ଦୁର୍ଦ୍ଦାନ୍ତ ଅପରାଧୀ ରବି ଦାସ ହତ୍ୟା ମାମଲାରେ ୩ ଜଣଙ୍କୁ ଗିରଫ କରିଛି ଖଲ୍ଲିକୋଟ ପୋଲିସ୍ । ଗିରଫ ତିନି ହେଲେ ରବି ଦାସର ପୁତୁରା ନିଲାଞ୍ଚଲ ଦାସ, ଶ୍ରୀନିବାସ ଦାସ, ସଞ୍ଜୟ ଦାସ। ଗତ ଦଶ ବର୍ଷ ଧରି ବେଆଇନ୍ ମଦ ବ୍ୟବସାୟ ଚାଲିଥିବା ବେଳେ ଉଭୟଙ୍କ ମଧ୍ୟରେ ବ୍ୟବସାୟକୁ ନେଇ ଶତ୍ରୁତା ସୃଷ୍ଠି ହୋଇଥିଲା। ପୂର୍ବରୁ ରବି ଦାସ ନିଜର ଦୁଇ ପୁତୁରାଙ୍କ ଉପରେ ବୋମା ମାଡ କରିଥିଲେ। ଯାହାର ପାଲଟା ଜବାବ ନିଜ ପୁତୁରା ମାନେ ମାନେ ଗତ ୫ ତାରିଖ ସକାଳୁ ରବିଙ୍କୁ ତାଙ୍କ ଘର ସାମ୍ନାରେ ହତ୍ୟା କରି ଫେରାର ହୋଇଯାଇଥିଲେ। ରବିଙ୍କ ସ୍ତ୍ରୀ ମୀନତିଙ୍କ ଏତଲା ପରେ ପୋଲିସ ତଦନ୍ତ କରି ଗତ କାଲି ଛତ୍ରପୁର ଅଞ୍ଚଳରୁ ଅଞ୍ଚରୁ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଫରଓ୍ବାର୍ଡ କରିଛି। ସେମାନଙ୍କ ଠାରୁ ଦୁଇ ଟି ଖଣ୍ଡା, 3ଟି ମୋବାଇଲ, ଗୋଟିଏ ବୁଲେଟ ଜବତ୍ କରିଛି ପୋଲିସ । ଏଇ ଘଟଣା ରେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ସାମ୍ୱାଦିକ ସମ୍ମିଲନି ରେ ସୂଚନା ଦେଇଛନ୍ତି ଛତ୍ରପୁର ଏସଡ଼ିପିଓ ଚନ୍ଦନ ଘଡେ଼ଇ।
ଠିକାଦାରଙ୍କ ମନମାନି ଯୋଗୁଁ ଅକାଳରେ ଚାଲିଗଲା ଜୀବନ: ନିଦାବିଷର୍ଣ୍ଣୁ ପୂର୍ତ୍ତ ବିଭାଗ!
ନନ୍ଦିଘୋଷ ବ୍ୟୁରୋ: ସମସ୍ତେ ଆନନ୍ଦ ଉଲ୍ଲାସରେ ହୋଲିରେ ରଙ୍ଗ ଅବିରରେ ଭିଜିଥିବାବେଳେ ଜଟଣୀ ବିଶ୍ଵନାଥ କଲୋନୀର ତ୍ରିନାଥ ସାହୁଙ୍କ ପରିବାର ଭିଜିଛି ଆଖି ଲୁହରେ । ପରିବା କିଣିବାକୁ ସ୍ତ୍ରୀଙ୍କୁ କହି ବଜାରକୁ ଯାଇଥିଲେ ତ୍ରିନାଥ । ହେଲେ ଫେରିବା ବାଟରେ ରାସ୍ତା ଉପରେ ସତେ ଯେମିତି ଛକି ବସିଥିଲା ଯମ । ଗାଡି ଚକ ସ୍ଲିପ କରିବାରୁ ନିର୍ମାଣାଧୀନ ଡ୍ରେନରୁ ବାହାରିଥିବା ରଡ ଛାତିରେ ପଶିଯିବାରୁ ଛଟପଟ ହୋଇ ସେଇଠି ପ୍ରାଣ ହରାଇଥିଲେ ତ୍ରିନାଥ । ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଗଲା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏବେ ପ୍ରଶ୍ନ ଉଠୁଛି ଏପରି ଦାୟିତ୍ବହୀନତା ଲାଗି ଦାୟୀ କିଏ ? ପୂର୍ତ୍ତ ବିଭାଗ ନା ଠିକାଦାର ?
ହୋଲି ଦିନ ଉଜୁଡିଗଲା ସଂସାର । ସମସ୍ତେ ଆନନ୍ଦ ଉଲ୍ଲାସରେ ରଙ୍ଗ ଖେଳୁଥିବା ବେଳେ ଲୁହରେ ଭିଜିଲା ଜଟଣୀ ପୌରପରିଷଦ ୧୧ ନମ୍ବର ୱାର୍ଡର ବିଶ୍ଵନାଥ କଲୋନୀ । ପରିବା କିଣିବାକୁ ଯାଇ ଆରପାରିକୁ ଚାଲିଗଲେ ତ୍ରିନାଥ । ରାସ୍ତା ଉପରେ ବାଲି ପଡିଥିବାରୁ ଚକା ସ୍ଲିପ କରିବାରୁ ନିର୍ମାଣଧୀନ ଡ୍ରେନର ରଡ ଛାତିରେ ପଶିଯାଇଥିବାରୁ ତ୍ରିନାଥଙ୍କ ଘଟଣାସ୍ଥଳରେ ମୃତ୍ଯୁ ହୋଇଥିଲା । ଟିକେ ନଜର ପକାନ୍ତୁ ଏହି ରାସ୍ତା ଉପରେ କିପରି ନିର୍ମାଣଧୀନ ଡ୍ରେନ ଉପରକୁ ବାହାରିଛି ଲୁହା ରଡ । ଏହି ରାସ୍ତା ଜଣଙ୍କର ମୁଣ୍ଡ ନେଇସାରିଲାଣି । ହେଲେ ଘଟଣାସ୍ଥଳକୁ କୌଣସି ଅଧିକାରୀ ନିରୀକ୍ଷଣ ପାଇଁ ପହଞ୍ଚିନଥିବା ଅଭିଯୋଗ ହୋଇଛି ।
ପୂର୍ତ୍ତ ବିଭାଗ ଠିକା ସଂସ୍ଥାକୁ ଡ୍ରେନ କାମ ଦେଇ କୌଣସି ଅଧିକାରୀଙ୍କୁ କାର୍ଯ୍ୟ ସ୍ଥଳକୁ ନିରୀକ୍ଷଣ ପାଇଁ ନ ପଠାଇବାରୁ ଠିକାଦାର ଏଭଳି ମରଣଯନ୍ତା କରିଥିବା ଅଭିଯୋଗ ହୋଇଛି । ଏପଟେ ଠିକା ସଂସ୍ଥା ଦୀର୍ଘ ଦିନ ଧରି କାମ କରୁଥିଲେ ସୁଦ୍ଧା ଜଟଣୀ ପୌର ପରିଷଦକୁ କୌଣସି ସୂଚନା ଦେଇନଥିବା ପୌରାଧ୍ଯକ୍ଷ ଅଭିଯୋଗ କରିଛନ୍ତି । ଏଠି ପ୍ରଶ୍ନ ଉଠୁଛି- ରାସ୍ତା କାମ ଚାଲୁଥିବା ବେଳେ କାହିଁକି ଲଗାଯାଇନଥିଲା ନୋ ଏଣ୍ଟ୍ରି ବୋର୍ଡ ? ଖୋଲା ଡ୍ରେନରେ ରଡ ବାହାରିଥିବା ବେଳେ ଠିକାଦାର କାହିଁକି ବାଇକ ଚାଳକଙ୍କ ପାଇଁ ସତର୍କ ଫଳକ ଲଗାଇନଥିଲା ? କାହିଁକି ରାସ୍ତା ଉପର ବାଲି ସଫା କରାଯାଇନଥିଲା ? ଠିକା ସଂସ୍ଥାର ଖାମଖିଆଲି ମନୋଭାବ ଯୋଗୁଁ ନିରୀହ ଲୋକଙ୍କ ଜୀବନ ଯିବା ପରେ ବି ଚୁପ ରହିଛନ୍ତି ପୂର୍ତ୍ତ ବିଭାଗ । ଅନ୍ଯପଟେ ଏ ବିଷୟରେ ପୂର୍ତ୍ତ ବିଭାଗ ମୁହଁ ଖୋଲୁନଥିବା ଦେଖିବାକୁ ମିଳିଛି । କେବେ ପୂର୍ତ୍ତ ବିଭାଗର ନିଦ ଭାଙ୍ଗିବ ଆଉ କାହାର ଜୀବନ ଯିବା ପୂର୍ବରୁ ନିର୍ମାଣଧୀନ ଡ୍ରେନର କାମ ସରିବ ତା ଉପରେ ସମସ୍ତଙ୍କ ନଜର ରହିଛି ।
ଅନାସ୍ଥା ଭୋଟ ପୂର୍ବରୁ ଇସ୍ତଫା ଦେଲେ କବିସୂର୍ଯ୍ୟନଗର ଏନଏସି ଅଧ୍ୟକ୍ଷା
ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ଭୋଟରେ ଆସିଲା ନୂଆମୋଡ । ଅନାସ୍ଥା ଭୋଟ ପୂର୍ବରୁ ଇସ୍ତଫା ଦେଲେ ଏନଏସି ଅଧ୍ୟକ୍ଷା ଏସ. ଲକ୍ଷ୍ମୀ । କାଉସିଲରମାନେ ଭୋଟ ଦେବାଲାଗି ଏନଏସି ସଭାଗୃହରେ ବସିଥିବା ବେଳେ ତାପୂର୍ବରୁ ଇସ୍ତଫା ଦେଇଛନ୍ତି ଅଧ୍ୟକ୍ଷା । ଅଧ୍ୟକ୍ଷା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭେଟି ଇସ୍ତଫା ପତ୍ର ଦେଇଛନ୍ତି । ତେବେ ଏନେଇ ସରକାରୀ ସ୍ତରରେ କୌଣସି ଘୋଷଣା ହୋଇନଥିବା ବେଳେ ନିଜ ଇସ୍ତଫା ନେଇ ପ୍ରତିକ୍ରିୟା ଦେଇଛନ୍ତି ଅଧ୍ୟକ୍ଷା । ପୂର୍ବରୁ କାଉସିଲ ବୈଠକରେ ହୋଇଥିବା ଘୋଟାଲା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ତେଣୁ ଆଜି ଭୋଟ ପୂର୍ବରୁ ସେ ଇସ୍ତଫା ଦେଇଥିବା କହିଛନ୍ତି ।

