ନନ୍ଦିଘୋଷ ବ୍ୟୁରୋ : ଆଜି ପବିତ୍ର ମହାଶିବରାତ୍ରୀ । ମହାଶିବରାତ୍ରୀ ଅବସରରେ ଚଳଚଞ୍ଚଳ ହୋଇପଡ଼ିଛି ରାଜ୍ୟର ସମସ୍ତ ଶୈବପୀଠ । ମହାପ୍ରଭୁ ଲିଙ୍ଗରାଜଙ୍କ ଏକାମ୍ର କ୍ଷେତ୍ରକୁ ବେଶ୍ ଆକର୍ଷଣୀୟ ଭାବେ ସଜାଯାଇଛି। ଭୋର ସମୟରୁ ମହାପ୍ରଭୁଙ୍କର ମଙ୍ଗଳ ଆଳତି ଓ ଅବକାଶ ସରି ଚାଲିଛି ସାହାଣମେଲା ଦର୍ଶନ। ଆରମ୍ଭରୁ ଦର୍ଶନ ପାଇଁ ମନ୍ଦିର ଭିତରେ ଠେଲାପେଲା ପରିସ୍ଥିତି ଉପୁଜିଛି । ମୁଖ୍ୟ ମନ୍ଦିର ଭିତରକୁ ଭକ୍ତମାନେ ଧସେଇ ପଶିବାକୁ ଚେଷ୍ଟା କରିଛନ୍ତି । ସେବାୟତ ଓ ପୋଲିସ ମଧ୍ୟରେ ଧସ୍ତା ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି। ଭକ୍ତମାନେ ଦର୍ଶନ କରିବାକୁ ଧାଡ଼ି ବାନ୍ଧି ଅପେକ୍ଷା କରିଛନ୍ତି। ଶୃଙ୍ଖଳିତ ନୀତିକାନ୍ତିକୁ ମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁତ୍ଵ ଦିଆଯାଇଥିବା ବେଳେ ଭକ୍ତମାନେ ଯେମିତି ସୁରୁଖୁରୁରେ ଦର୍ଶନ କରିପାରିବେ, ତାର ସୁବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ସୁରକ୍ଷା ପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା ହୋଇଛି।
ଆଜି ମହାଶିବରାତ୍ରୀ , ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶୈବପୀଠ
ନନ୍ଦିଘୋଷ ବ୍ୟୁରୋ : ଆଜି ପବିତ୍ର ଜାଗର। ଦେବ ଦେବ ମହାଦେବଙ୍କ ପର୍ବ। ଏଥିପାଇଁ ସାରା ରାଜ୍ୟର ପ୍ରମୁଖ ଶୈବପୀଠଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିଛି। ସକାଳୁ ସକାଳୁ ହିଁ ଶିବ ମନ୍ଦିରରେ ଭକ୍ତଙ୍କ ଗହଳି ଚହଳି ଲାଗିଲାଣି। ମହାପ୍ରଭୁ ଲିଙ୍ଗରାଜଙ୍କ ଏକାମ୍ର କ୍ଷେତ୍ରକୁ ବେଶ୍ ଆକର୍ଷଣୀୟ ଭାବେ ସଜାଯାଇଛି। ଭୋର ସମୟରୁ ମହାପ୍ରଭୁଙ୍କର ମଙ୍ଗଳ ଆଳତି ଓ ଅବକାଶ ସରି ଚାଲିଛି ସାହାଣମେଲା ଦର୍ଶନ।
ସେହିପରି ରାଜ୍ୟର ପ୍ରମୁଖ ଶୈବପୀଠ ପୁରୀର ଶ୍ରୀଲୋକନାଥ ପୀଠ, ରାଉରକେଲାର ବେଦବ୍ୟାସ, ଆଠଗଡର ଧବଳେଶ୍ବର, ଢେଙ୍କାନାଳର କପିଳାସ, ଆରଡିର ଆଖଣ୍ଡଳମଣି, ବାଲେଶ୍ବରର ପଞ୍ଚଲିଙ୍ଗେଶ୍ବର, ଜଳେଶ୍ବରର ଚନ୍ଦନେଶ୍ବର, ଭୋଗରାଇର ଭୁଷଣ୍ଡେଶ୍ବର, ନୟାଗଡ଼ର ଲଢୁବାବା, କୋରାପୁଟର ଗୁପ୍ତେଶ୍ବର ଭଳି ଶୈବ ପୀଠରେ ମହାଶିବରାତ୍ରୀ ଆଡ଼ମ୍ବରର ସହ ପାଳନ କରାଯାଉଛି । ସମସ୍ତ ଶୈବପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳୁଛି । ଭକ୍ତମାନେ ଯେପରି ଶୃଙ୍ଖଳିତ ଦର୍ଶନ କରିପାରିବେ ସେଥିପାଇଁ ବ୍ୟାରିକେଡ୍, ସ୍ବତନ୍ତ୍ର ପୋଲିସ କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି ।
ପୁରୀ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ନନ୍ଦିଘୋଷ ବ୍ୟୁରୋ: ପୁରୀ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ବୈଠକ ଅନୁଷ୍ଠିତ । ବୈଠକରେ ରାଜ୍ୟ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆଙ୍କ ସମେତେ ପୁରୀ ଜିଲ୍ଲାପାଳ, ପୁରୀ ଆରକ୍ଷୀ ଅଧିକ୍ଷକଙ୍କ ସମେତ ରାଜ୍ୟ ପୋଲିସର ବରିଷ୍ଠ ଅଧିକାରୀ ଉରସ୍ଥିତ ଥିଲେ । ବିଶେଷକରି ଆଗାମୀ ରଥଯାତ୍ରା ପରିପ୍ରେକ୍ଷିରେ ସମ୍ଭାବ୍ୟ ଭିଡ଼ ନିୟନ୍ତ୍ରଣ ଏବଂ ଏହାର ସୁପରିଚାଳ ନେଇ ଆଲୋଚନା ହୋଇଥିଲା । ରଥଯାତ୍ରା ସମୟରେ ଟ୍ରାଫିକ ପରିଚାଳନା, ଆଇନଶୃଙ୍ଖଳା, ରାସ୍ତାଘାଟ ସମସ୍ୟା ନେଇ ଆଲୋଚନା ହେଇଛି । ପ୍ରମୁଖ ୩୪୩ଟି ସ୍ଥାନରେ ଲାଗିବ ସିସିଟିଭି କ୍ୟାମେରା । ରଥଯାତ୍ରା ପରିଚାଳନା ସମ୍ପର୍କିତ ସମସ୍ତ କାର୍ଯ୍ୟ ଯେପରି ସୁରୁଖୁରୁରେ ସମାପନ ହେବ ସେନେଇ ଏସଓପି ପ୍ରସ୍ତୁତ କରିବାକୁ ପୁରି ଜିଲ୍ଲାପାଳ ଓ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ସମନ୍ଵିତ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ପରିଚାଳନା କେନ୍ଦ୍ର କାର୍ଯ୍ୟ କରିବ । ବିଭିନ୍ନ ବିଭାଗର ଅଧିକାରୀ ଏହି ନିୟନ୍ତ୍ରଣ କେନ୍ଦ୍ରରେ ରହି ଏହାକୁ ପରଚାଳନା କରିବେ । ଚଳିତ ବର୍ଷ ଜୁନ୍ ୧୧ରେ ଦେବସ୍ନାନ ପୂର୍ଣ୍ଣିମା, ୨୭ରେ ରଥଯାତ୍ରା, ଜୁଲାଇ ୫ରେ ବାହୁଡ଼ା, ଜୁଲାଇ ୬ ତାରିଖରେ ସୁନାବେଶ ଅନୁଷ୍ଠିତ ହେବ ।
ବର୍ଷକୁ ଦୁଇ ଥର ହେବ ସିବିଏସଇ ମାଟ୍ରିକ୍ ପରୀକ୍ଷା
ନନ୍ଦିଘୋଷ ବ୍ୟୁରୋ: ବର୍ଷକୁ ଦୁଇ ଥର ହେବ ସିବିଏସଇ ମାଟ୍ରିକ୍ ପରୀକ୍ଷା। ଛାତ୍ରଛାତ୍ରୀଙ୍କ ଉପରେ ପରୀକ୍ଷା ଚାପ କମାଇବାକୁ ସିବିଏସଇର ପଦକ୍ଷେପ। ଆସନ୍ତାବର୍ଷରୁ ବର୍ଷକୁ ଦୁଇ ଥର ପରୀକ୍ଷା ପାଇଁ ଅନୁମତି ମିଳିଛି। ପ୍ରଥମ ପର୍ଯ୍ୟାୟରେ ଫେବୃଆରୀ-ମାର୍ଚ୍ଚରେ ହେବ ପରୀକ୍ଷା। ଦ୍ବିତୀୟ ପର୍ଯ୍ୟାୟରେ ମେ ମାସରେ ହେବ ପରୀକ୍ଷା। ଛାତ୍ରଛାତ୍ରୀଙ୍କ ପାଖରେ ଦୁଇ ଥର ପରୀକ୍ଷା ଦେବାକୁ ବିକଳ୍ପ ରହିବ। ତେବେ ପ୍ରଥମ ପରୀକ୍ଷାରେ ଭଲ କରିନଥିଲେ ଦ୍ବିତୀୟ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ। ଏନେଇ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷାବିତଙ୍କ ମତାମତ ଲୋଡାଯାଇଛି।
ଥାନାବାବୁଙ୍କ ବିରୋଧରେ ଲଭ ସେକ୍ସ ଧୋକା ଅଭିଯୋଗ
ନନ୍ଦିଘୋଷ ବ୍ୟୁରୋ: ଥାନାବାବୁଙ୍କ ବିରୋଧରେ ଲଭ ସେକ୍ସ ଧୋକ୍କା ଅଭିଯୋଗ । ହୋମଗାର୍ଡଙ୍କ ପ୍ରେମରେ ଥାନାବାବୁ । ଜଗତସିଂହପୁର ଜିଲ୍ଲା ପୋଲିସ ପ୍ରଶାସନ ବିଭାଗରେ ଲାଗିଲା କଳାଦାଗ । କୁଜଙ୍ଗ ଥାନାଧିକାରୀଙ୍କ ବିରୋଧରେ ଜଗତସିଂହପୁର ଥାନାର ମହିଳା ହୋମଗାର୍ଡ ଆଣିଛନ୍ତି ସଙ୍ଗିନ ଅଭିଯୋଗ । କୁଜଙ୍ଗ ଥାନାଧିକାରୀ ଜଗତସିଂହପୁର ଥାନାରେ ଅତିରିକ୍ତ ଥାନାଧିକାରୀ ଥିବା ବେଳେ ମହିଳା ହୋମଗାର୍ଡଙ୍କୁ ବିଭାହର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଦୈହିକ ସମ୍ପର୍କ ରଖିଥିଲେ । ପରେ କୁଜଙ୍ଗ ଥାନାକୁ ବଦଳି ହେବା ପରେ ତାଙ୍କୁ ଧୋକ୍କା ଦେଇଥିବା ସମ୍ପୃକ୍ତ ମହିଳା ହୋମଗାର୍ଡ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଜଗତସିଂହପୁର ଏସପି ଭବାନୀ ସଙ୍କର ଉଦଗାତତା କୁଜଙ୍ଗ ଥାନାଧିକାରୀଙ୍କୁ ଅଫିସକୁ ଡାକି ପଚରା ଉଚୁରା କରିଛନ୍ତି । ମହିଳା ହୋମଗାର୍ଡଙ୍କ ଡାକ୍ତରୀ ପରୀକ୍ଷା ପାଇଁ ଡକାଯାଇଥିବାବେଳେ ସେ ଅନିଚ୍ଛା ପ୍ରକାଶ କରିଥିବା ଜଣାପଡ଼ିଛି ।
ଘର ଭିତରେ ପଶି ୩ ମହିଳାଙ୍କୁ ହାଣିଲେ ଅଜଣା ଦୁର୍ବୃତ୍ତ
ନନ୍ଦିଘୋଷ ବ୍ୟୁରୋ: ଘର ଭିତରେ ପଶି ୩ ମହିଳାଙ୍କୁ ହାଣିଲେ ଅଜଣା ଦୁର୍ବୃତ୍ତ । ବଡ ବୋହୁର ମୃତ୍ୟୁ ହୋଇଥିବା ବେଳେ, ସାନ ବୋହୁ ଓ ଶାଶୁ ଗୁରୁତର ଅଛନ୍ତି । ଉଭୟ ଗୁରୁତରଙ୍କୁ ପ୍ରଥମେ ଭଣ୍ଡାରିପୋଖରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଭଦ୍ରକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଦେଓପଦା ଗାଁରେ ଘଟିଛି ଏଭଳି ଘଟଣା । ଆକ୍ରମଣର କାରଣ ଅସ୍ପଷ୍ଟ ଥିବା ବେଳେ, ଆକ୍ରମଣରେ ଏକାଧିକ ଲୋକଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି । ଘରେ କେହିନଥିବା ବେଳେ ସଂଘବଦ୍ଧ ଭାବେ ଘର ଭିତରେ ପଶି ମହିଳା ମାନଙ୍କୁ ଆକ୍ରମଣ ହୋଇଥିବା କହିଛନ୍ତି ସଂପର୍କୀୟ। ଅନ୍ୟପଟେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବଡ ବୋହୁ ଝୁନୁଲତା ସାହୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ, ସାନ ବୋହୁ ସସ୍ମିତା ସାହୁ ଓ ଶାଶୁ କନକଲତା ସାହୁ ଗୁରୁତର ଅଛନ୍ତି ।
ସତରେ ୩୦ବର୍ଷୀୟ ଅଭିନେତ୍ରୀଙ୍କ ସହ ରହିଛି କି ସମ୍ପର୍କ ? ପତ୍ନୀଙ୍କଠାରୁ ଅଲଗା ହେବେ ଗୋବିନ୍ଦା !
ନନ୍ଦିଘୋଷ ବ୍ୟୁରୋ: ବଲିଉଡ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜା କୌଣସି ନା କୌଣସି କାରଣରୁ ଖବରରେ ରହିଥାନ୍ତି। ଏବେ ଖବର ଆସିଛି ଯେ ଉଭୟଙ୍କ ବୈବାହିକ ଜୀବନରେ ସବୁକିଛି ଠିକ୍ ଚାଲିନାହିଁ। ବଲିଉଡ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜା କୌଣସି ନା କୌଣସି କାରଣରୁ ଖବରରେ ରହିଥାନ୍ତି। ଏବେ ଖବର ଆସିଛି ଯେ ଉଭୟଙ୍କ ବୈବାହିକ ଜୀବନରେ ସବୁକିଛି ଠିକ୍ ଚାଲିନାହିଁ। ଗୋବିନ୍ଦା ଏବେ ଜଣେ ମରାଠୀ ଅଭିନେତ୍ରୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ଚର୍ଚ୍ଚା ହେଉଛି। ଏହି କାରଣରୁ ସେ ନିଜ ପତ୍ନୀଙ୍କୁ ଛାଡ଼ପତ୍ର ଦେବାକୁ ଯୋଜନା ମଧ୍ୟ କରୁଛନ୍ତି ବୋଲି ସାମ୍ନାକୁ ଆସିଛି।
କୁହାଯାଉଛି ଯେ, ଗୋବିନ୍ଦା ଜଣେ ୩୦ବର୍ଷୀୟ ମରାଠୀ ଅଭିନେତ୍ରୀଙ୍କ ସହ ଅନୈତିକ ସମ୍ପର୍କ ରଖିଛନ୍ତି। ପତ୍ନୀ ସୁନିତା କିଛି ଦିନ ତଳେ ଏକ ସାକ୍ଷାତକାରରେ ଗୋବିନ୍ଦାଙ୍କ ସମ୍ପର୍କ ବିଷୟରେ ସଙ୍କେତ ଦେଇଥିଲେ। ସେମାନଙ୍କ କାର୍ଯ୍ୟସୂଚୀ ମେଳ ଖାଉ ନଥିବାରୁ ସେମାନେ ଦୁହେଁ ଅଲଗା ଅଲଗା ଘରେ ରୁହନ୍ତି ବୋଲି କହିଥିଲେ ସୁନିତା। ବ୍ୟକ୍ତିଗତ ଜୀବନ ବିଷୟରେ ଜଣାଇ ସୁନିତା କହିଥିଲେ ଯେ, ‘କୌଣସି ପୁରୁଷଙ୍କୁ କେବେବି ବିଶ୍ୱାସ କରନାହିଁ। ଲୋକମାନେ ବହୁରୂପୀ ଏଣ୍ଡୁଅ ପରି ରଙ୍ଗ ବଦଆନ୍ତି। ଆମେ ୩୭ ବର୍ଷ ଧରି ବିବାହ ବନ୍ଧନରେ ବାନ୍ଧି ହୋଇ ରହିଛୁ। ସେ ପୂର୍ବରୁ କେବେ କୌଣସି ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିନାହାନ୍ତି। ଏବେ କଥା ଜାଣିନାହିଁ। ମୁଁ ପୂର୍ବରୁ ବହୁତ ସୁରକ୍ଷିତ ଥିଲି। କିନ୍ତୁ ଆଉ ନୁହେଁ। ୬୦ବର୍ଷ ପରେ ଲୋକମାନେ ପାଗଳ ହୋଇଯାଆନ୍ତି। ଗୋବିନ୍ଦା ୬୦ ବର୍ଷ ପୂରଣ କରିଛନ୍ତି। କିଏ ଜାଣେ ସେ କ’ଣ କରୁଛନ୍ତି।”
ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ଏବେ ସୁନିତାଙ୍କ ପୁରୁଣା ସାକ୍ଷାତକାର ସବୁ ଭାଇରାଲ ହେଉଛି, ଯେଉଁଥିରୁ ଲୋକେ ଆକଳନ କରୁଛନ୍ତି ଯେ, ଗୋବିନ୍ଦା ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଅନେକ ମାସ ହେଲା ସମ୍ପର୍କ ଭଲ ନାହିଁ। ତେବେ ଏହି ଚର୍ଚ୍ଚା ମଧ୍ୟରେ ଦୁହିଁଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିପାରିନାହିଁ।
ଦୌଡିବା ବଦଳରେ ଶୋଇ ପଡିଲାଣି ମିଶନ ଶକ୍ତି, ସ୍ଲୋଗାନ ଓ ଧୂଆଁବାଣରେ ଚାଲିଛି ମହିଳା ବିକାଶ
ନନ୍ଦିଘୋଷ ବ୍ୟୁରୋ: ବିଜେଡି ସରକାର ପାଇଁ ମିଶନ ଶକ୍ତି ଥିଲା ଏକ ବିପ୍ଳବ। ହେଲେ ବିଜେପି ସରକାର ପାଇଁ ଏହା କେବଳ ସ୍ଲୋଗାନ। ବିଜେପି ସରକାରର ପ୍ରଥମ ବଜେଟରେ ମିଶନ ଶକ୍ତି ବିଭାଗକୁ ମିଳିଥିବା ଅନୁଦାନରୁ ମାତ୍ର ୨୩ ପ୍ରତିଶତ ଖର୍ଚ୍ଚ ହେବା ମହିଳା ସଶକ୍ତିକରଣ ପ୍ରତି ଥିବା ଆନ୍ତରିକତା ଦର୍ଶାଇଛି। ପଦାରେ ପଡ଼ିଛି କୁହାଳିଆ ସରକାରଙ୍କ ପାରିବାପଣିଆ। ଖର୍ଚ୍ଚ କରିବାର ପରିମାଣ ଯଦି ନଗଣ୍ୟ ହୁଏ, ଏଥିରେ ମିଶନ ଶକ୍ତି ଦୌଡ଼ିବା ବଦଳରେ ଆଣ୍ଠେଇ ପଡ଼ିଛି। ସରକାରଙ୍କ ଏଭଳି ଆଭିମୁଖ୍ୟକୁ ସବୁଆଡ଼ୁ ସମାଲୋଚନା ହେଉଛି।
ବିଜେପି ସରକାର ପାଇଁ ମିଶନ ଶକ୍ତି କେବଳ ଏକ ସ୍ଲୋଗାନ। ମହିଳା ସଶକ୍ତିକରଣ ଏକ ଧୂଆଁବାଣ। ସରକାର ଗଠନ ପରେ ବିଭାଗୀୟ ମନ୍ତ୍ରୀ ମିଶନ ଶକ୍ତି ଦୌଡ଼ିବ ବୋଲି ଦେଇଥିବା ପ୍ରତିଶ୍ରୁତି ଏକ ଫମ୍ପା ଆଓ୍ବାଜ ବୋଲି ସ୍ପଷ୍ଟ ହେଉଛି। ମିଶନ ଶକ୍ତି କେବଳ ଏକ ବିଭାଗ ନୁହେଁ, ଏହା ଏକ ସାମୂହିକ ଅଭିବୃଦ୍ଧିର ଚିନ୍ତାଧାରା। ବିଜେଡି ସରକାର ଏହାକୁ ମିଶନ ମୋଡ଼ରେ ନେଇ ଏସ୍ଏଚଜିରୁ ଏସ୍ଏମ୍ଇ ରୂପାନ୍ତରିତ କରିବାର ଦାୟିତ୍ବ ସମ୍ଭାଳିଥିଲେ। ହେଲେ ବିଜେପି ସରକାର ଏହାକୁ ମୋଡ଼ି ମକଚି ଦେବାକୁ ଉଦ୍ୟମ କରିଛନ୍ତି ଆରମ୍ଭରୁ। ସରକାର ଗଠନର ୮ ମାସ ପରେ ବିଭାଗର ଦୟନୀୟ ଚିତ୍ର ସାମ୍ନାକୁ ଆସିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ମିଶନ ଶକ୍ତି ବିଭାଗ ପାଇଁ ୨ହଜାର ୭୬୧ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା। ହେଲେ ଜାନୁଆରୀ ସୁଦ୍ଧା ଏଥିରୁ ଖର୍ଚ୍ଚ ହୋଇଛି ମାତ୍ର ୨୩ ପ୍ରତିଶତ। ୨ହଜାର କୋଟି ଟଙ୍କା ଏବେ ବି ଖର୍ଚ୍ଚ ନ ହୋଇ ପଡ଼ିରହିଛି। ଏଥିରେ ମିଶନ ଶକ୍ତିର ଦୌଡ଼ିବ ନା ଅଟକିଯିବ ବୋଲି ବିଜେଡ଼ି ପ୍ରଶ୍ନ କରିଛି।
ମିଶନ ଶକ୍ତିରେ ରାଜ୍ୟର ୭୦ଲକ୍ଷ ମହିଳା ପ୍ରତ୍ୟକ୍ଷଜଡ଼ିତ ଥିବା ବେଳେ ୩୦ଲକ୍ଷ ପରୋକ୍ଷରେ ସାମିଲ ଅଛନ୍ତି। ପୂର୍ବ ସରକାରର ଯୋଜନାର ରଙ୍ଗ ଓ ନାମ ବଦଳାଇବାରେ ବ୍ୟସ୍ତ ବିଜେପି ସରକାର ମିଶନ ଶକ୍ତିକୁ ସୁଭଦ୍ରା ଶକ୍ତି ଭାବେ ପରିଚିତ କରାଇବାକୁ ଉଦ୍ୟମ କରୁଛନ୍ତି। ହେଲେ ଏହାର ଅଭିବୃଦ୍ଧି କଥା ଯେମିତି ଭୁଲି ଯାଇଛନ୍ତି। ବିଜେପି ସରକାରର ଦ୍ବିତୀୟ ବଜେଟରେ ମିଶନ ଶକ୍ତିର କଳେବର ମାତ୍ର ୧୨ କୋଟି ବଢିଛି। ହେଲେ ଏହା ମଧ୍ୟ ଖର୍ଚ୍ଚ ହୋଇପାରିବ କି ନାହିଁ ତାହା ବି ସନ୍ଦେହରେ। ବିଜେପି ସରକାର ବଜେଟ ଅନୁମୋଦିତ ଅଟକଳର ମାତ୍ର ୨୩ ପ୍ରତିଶତ ଖର୍ଚ୍ଚ କରିପାରିଥିବା ଯୋଗୁଁ ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନରେ ପରିଣତ ହୋଇଛି। ସମାଜରେ ମହିଳାମାନେ ନିଜକୁ ପ୍ରତିଷ୍ଠିତ କରିବାର ସୁଯୋଗ ଦେଇଥିଲେ ନବୀନ ସରକାର, ହେଲେ ବିଜେପି ସରକାର ଏହାକୁ ନେଇଛନ୍ତି ଛଡାଇ।
ବଜେଟ ଅର୍ଥ ଖର୍ଚ୍ଚ ହୋଇଥିଲେ ଏସ୍ଏଚଜିକୁ ଆର୍ଥିକ ପ୍ରୋତ୍ସାହନ ମିଳିଥାନ୍ତା। ମିଶନ ଶକ୍ତି ବଜାର, କାଫେ ସୃଷ୍ଟି ପାଇଁ ଭିତ୍ତିଭୂମି ପ୍ରସ୍ତୁତ ହୋଇଥାନ୍ତା। ହେଲେ ବିଭାଗୀୟ ମନ୍ତ୍ର, ଅଧିକାରୀଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଏବେ ମିଶନ ଶକ୍ତି ଶକ୍ତିହୀନ ହେବାକୁ ବସିଲାଣି।
ଗ୍ରାହକଙ୍କ ଉପରେ ବଢିବ କି ବିଜୁଳି ଦରବୃଦ୍ଧି ବୋଝ ?
ନନ୍ଦିଘୋଷ ବ୍ୟୁରୋ: ଗ୍ରାହକଙ୍କ ଉପରେ ବଢିବ କି ବିଜୁଳି ଦରବୃଦ୍ଧି ବୋଝ। ବିଦ୍ୟୁତ ଉତ୍ପାଦକ କମ୍ପାନୀ ଠୁ ଆରମ୍ଭ କରି ବିଦ୍ୟୁତ ବିତରକ କମ୍ପାନୀ ସମସ୍ତେ ଦର ବଢାଇବାକୁ ଦାବି କରୁଛନ୍ତି। ଯଦି ସେମାନଙ୍କ ଦାବିକୁ ମାନି ନିଆଯାଏ ତା ହେଲେ ରେଟ୍ ୟୁନିଟ ପିଛା ଦେଢ଼ ଟଙ୍କା ଲେଖାଏଁ ବଢ଼ିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହାକୁ କିନ୍ତୁ ଜୋରଦାର ବିରୋଧ କରିଛି ଉପଭୋକ୍ତା ମହାସଂଘ। ଉପଭୋକ୍ତାଙ୍କ ତରଫରୁ କୁହାଯାଇଛି, ଆୟୋଗଙ୍କ ଦ୍ୱାରା ଦିଆଯାଇଥିବା ଏଟିସି ଲସ୍ ଟାର୍ଗେଟ ପୂରଣ କରି ପାରୁ ନାହାନ୍ତି ବିଦ୍ୟୁତ ବିତରଣ କମ୍ପାନୀ। ତେଣୁ ଦର ବଢାଇବା ବଦଳରେ କମ୍ପାନୀର ଲାଇସେନ୍ସ ରଦ୍ଦ କରାଯାଉ। ସେପଟେ କମିଶନ କହିଛନ୍ତି, ଶୁଣାଣି ପରେ ସବୁ ଷ୍ଟେକ ହୋଲଡରଙ୍କ ସହ ଆଲୋଚନା କରାଯିବ ଓ ନିଷ୍ପତ୍ତି ନିଆଯିବ।
ସତରେ ବଢ଼ିବ କି ବିଜୁଳି ଦର। ଯଦି ବଢ଼େ କେତେ ବଢ଼ିବ। ଓପିଜିସି, ଓପିଟିସିଏଲ ଏବଂ ବିଦ୍ୟୁତ ବିତରକ କମ୍ପାନୀ ଟାଟା ପାୱାର ଦର ବୃଦ୍ଧି ପାଇଁ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗଙ୍କ ନିକଟରେ ଦାବି ରଖିଥିବାରୁ ଗ୍ରାହକଙ୍କ ଉପରେ ବୋଝ ପଡ଼ିବାର ଆଶଙ୍କା ଦେଖା ଦେଇଛି। କୁହାଯାଉଛି ୟୁନିଟ୍ ପିଛା ଦେଢ଼ ଟଙ୍କା ବଢ଼ିବ। ଏବେ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗରେ ବିଦ୍ୟୁତ ଦେୟ ସମ୍ପର୍କିତ ଶୁଣାଣି ଚାଲିଛି। ୨୦୨୫-୨୬ ବର୍ଷ ପାଇଁ ଟିପିସିଓଡିଏଲର ରାଜସ୍ୱ ଆବଶ୍ୟକତା ୨୪୯୦ କୋଟି ଟଙ୍କା ଦର୍ଶାଯାଇଥିବା ବେଳେ ୧୪୨ କୋଟିର ଅଭାବ ଥିବା କୁହାଯାଇଛି। ଏହାକୁ ବିରୋଧ କରିଛି ବିଦ୍ୟୁତ ଉପଭୋକ୍ତା ମହାସଂଘ।
ମହାସଂଘର ଅଭିଯୋଗ ହେଲା-ପୂର୍ବ ବର୍ଷର ଟାର୍ଗେଟ ଅନୁଯାୟୀ ଟିପିସିଓଡିଏଲ ଏଟିସି କ୍ଷତି କମାଇ ପାରୁନି । ଏଟିସିର ଟେକନିକାଲ ଲସ୍ ଟାର୍ଗେଟ ଥିଲା ୮ ଦଶମିକ ଏକ ପାଞ୍ଚ ପ୍ରତିଶତ। କିନ୍ତୁ କମ୍ପାନୀ ହାସଲ କରିପାରିଛି ମାତ୍ର ୬.୪୮ ପ୍ରତିଶତ। ଏଟିସି କ୍ଷତି ଭରଣା କଲେ ଲୋକଙ୍କୁ ଆଉ ଅଧିକ ଅର୍ଥ ଦେବାକୁ ପଡିବନି। ଯଦି କମ୍ପାନୀ ଏଟିସି କ୍ଷତି ହ୍ରାସ କରିପାରିଲା ନାହିଁ, ତା ହେଲେ କ୍ୟାପେକ୍ସରେ ଏତେ ଖର୍ଚ୍ଚ କାହିଁକି ହେଲା ବୋଲି ପ୍ରଶ୍ନ କରିଛି ଉପଭୋକ୍ତା ମହାସଂଘ। ସେଥିପାଇଁ ଟିପିସିଓଡିଏଲର ଲାଇସେନ୍ସ ରଦ୍ଦ କରାଯାଉ ବୋଲି ଦାବି କରାଯାଇଛି। ଏଥି ସହିତ ପେନାଲଟି ନାଁ ରେ ଲୋକଙ୍କଠାରୁ ୧ ହଜାର କୋଟି ଟଙ୍କା ଲୁଟ କରାଯାଇଥିବା ବି ଅଭିଯୋଗ ହୋଇଛି। ଏହି ଟଙ୍କାଙ୍କୁ କିନ୍ତୁ ଆୟୋଗଙ୍କ ନିକଟରେ ଦର୍ଶାଯାଇନାହିଁ। ଏହାକୁ ନେଇ ସରକାରଙ୍କୁ ସ୍ମାରକପତ୍ର ଦିଆଯିବା ସହ ଏହି ପେନାଲଟି ର ଅଡିଟ କରାଯାଉ ବୋଲି ଦାବି କରାଯାଇଛି।
ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ପକ୍ଷରୁ କୁହାଯାଇଛି ବିଜୁଳି ଦର ବୃଦ୍ଧି ପାଇଁ ସବୁ କମ୍ପାନୀ ଦାବି କରିଛନ୍ତି। ବିଦ୍ୟୁତ ଉତ୍ପାଦକ କମ୍ପାନୀ ଓ ବିତରକ କମ୍ପାନୀ ଟାରିଫ ବୃଦ୍ଧି ସପକ୍ଷରେ ଅଛନ୍ତି। ଏହି ଦାବିରେ କେତେ ଯଥାର୍ଥତା ଅଛି ସମସ୍ତ ଷ୍ଟେକ ହୋଲ୍ଡରଙ୍କୁ ନେଇ ଆଲୋଚନା କରାଯିବ। ତା ପରେ ନିଆଯିବ ନିଷ୍ପତ୍ତି। କମ୍ପାନୀଗୁଡ଼ିକ ଭାବୁଛନ୍ତି ଆଗକୁ ଏଆରଆର କଷ୍ଟ୍ ବଢ଼ିପାରେ। ସେଥିପାଇଁ ବିଜୁଳି ଦର ବୃଦ୍ଧି ପାଇଁ ସେମାନେ ଦାବି କରୁଛନ୍ତି। ତେବେ ଆୟୋଗ ସମସ୍ତ ବିଷୟ ତର୍ଜମା କରିବା ପରେ ଗ୍ରାହକ, ଉତ୍ପାଦକ ସଂସ୍ଥା, ବିତରକ ସମସ୍ତଙ୍କ ସ୍ୱାର୍ଥକୁ ଦେଖି ନିଷ୍ପତି ନେବେ ବୋଲି କୁହାଯାଇଛି।
ବିଜୁଳି ଦର ୟୁନିଟ ପିଛା ୨୦ ପଇସା ବୃଦ୍ଧି କରିବାକୁ ପୂର୍ବରୁ ଟିପିଏନଓଡିଏଲ ଦାବି କରିଥିବା ବେଳେ ୭୩ ପଇସା ବୃଦ୍ଧି ପାଇଁ ଦାବି କରିଥିଲା ଟିପିଏସଓଡିଏଲ। ଆଜି ଟିପିସିଓଡିଏଲ ମଧ୍ୟ ଟାରିଫ ବୃଦ୍ଧି ସପକ୍ଷରେ ମତ ଦେଇଛି। ଆସନ୍ତା ୨୭ ତାରିଖରେ ଟିପିଡବ୍ଲୁଓଡିଏଲର ଶୁଣାଣି ରହିଛି। ମାର୍ଚ୍ଚ ୧ ତାରିଖରେ ରାଜ୍ୟ ଉପଦେଷ୍ଟା କମିଟି ବୈଠକ ହେବ। ତା ପରେ ଆୟୋଗ ନିଷ୍ପତ୍ତି ନେବେ ।
ଗରାଖ ବେଶରେ ଯାଇ ପରିବା ହାଟରୁ ଲୁଟୁଥିଲେ, ୧୨ ଗାଡ଼ି ସହ ବନ୍ଧାହେଲେ ୩ ଲୁଟେରା
ନନ୍ଦିଘୋଷ ବ୍ୟୁରୋ: ଗରାଖ ବେଶରେ ଯାଉଥିଲେ । ପରିବା ହାଟରୁ ଲୁଟୁଥିଲେ । ଲିଙ୍ଗରାଜ ଥାନା ଅଧିନ ବିଭିନ୍ନ ହାଟରୁ ଲୁଟ ନେଇ ହୋଇଥିଲା ଅଭିଯୋଗ । ୩ ଲୁଟେରାଙ୍କ ସହ ୧୨ଟି ଗାଡ଼ି ଜବତ କଲା ପୋଲିସ୍ । ଗାଡି ଲୁଟିବା ପରେ କମ ଦାମରେ ସ୍ପେୟାର ପାର୍ଟସ ବିକ୍ରି କରୁଥିଲେ ଅଭିଯୁକ୍ତ । ଲୁଟେରାଙ୍କ ଘର ଗଞ୍ଜାମ ବୋଲି ଜଣାପଡିଛି । ଅଭିଯୁକ୍ତଙ୍କ ବିରୋଧରେ ବିଭିନ୍ନ ଜିଲ୍ଲାରେ ରହିଛି ମାମଲା । ଚୋରା ଗାଡ଼ି ଧରିବା ପାଇଁ ଭୁବନେଶ୍ଵର କମିଶନରେଟ ପୋଲିସର ସ୍ପେସାଲ ଡ୍ରାଇଭ ଜାରି ରହିଛି । ପୋଲିସ ପକ୍ଷରୁ ଏହି ଅପରେସନକୁ ଜୋରଦାର କରାଯାଇଛି । ବଡ଼ କଥା ହେଲା ଗାଡ଼ି ଚୋରି କରାଯାଇ ସେହି ଗାଡ଼ିରେ ବିଭିନ୍ନ ଅପରାଧ କରୁଛନ୍ତି ଦୁର୍ବୃତ୍ତ । ପୋଲିସକୁ ଏହି ସୂଚନା ମିଳିବା ପରେ ଧରପଗଡ଼ ଜୋରଦାର ହୋଇଛି । ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସାଦା ପୋଷାକରେ ପୋଲିସ ମୁତୟନ ହେଉଛନ୍ତି । ଗାଡ଼ି ଚୋରିରୁ ରକ୍ଷା ପାଇଁ ସତର୍କ ରହିବା ସହିତ ଡବଲ୍ ଲକ୍ ପକାଇବାକୁ ଅନୁରୋଧ କରିଛନ୍ତି ଭୁବନେଶ୍ଵର ଡିସିପି ପିନାକ ମିଶ୍ର ।

