ନନ୍ଦିଘୋଷ ବ୍ୟୁରୋ: ରବିବାର ଖେଳାଯାଉଛି ଚମ୍ପିୟନ୍ସ ଟ୍ରଫିର ଫାଇନାଲ ମୁକାବିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ନ୍ୟୁଜିଲାଣ୍ଡ । ପ୍ରଥମରୁ ଯଦିଓ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲା ଦଳ । ତଥାପି ଭାରତୀୟ ସ୍ପିନରମାନେ ଖେଳରେ ପୁଣି ପରିବର୍ତ୍ତନ କରିଛନ୍ତି । ତେବେ ବଲ ପଡ଼ିବା ପୂର୍ବରୁ ନୂଆ ରେକର୍ଡ କରିଛନ୍ତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା । ଦିନିକିଆରେ ଲଗାତାର ସର୍ବାଧିକ ଥର ଟସ୍ ହାରିଥିବା ଅଧିନାୟକର ରେକର୍ଡ କରିଛନ୍ତି ହିଟମ୍ୟାନ । ରୋହିତ ଲଗାତାର ୧୫ଥର ଟସ୍ ହାରିବାର ରେକର୍ଡ ନିଜ ନାମରେ କରିଛନ୍ତି । ଏହା ପୂର୍ବରୁ ଏହି ରେକର୍ଡ ଓ୍ବେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ବ୍ରାଏନ ଲାରାଙ୍କ ନାମରେ ରହିଥିଲା । ସେ ମଧ୍ୟ ଲଗାତାର ୧୨ଥର ଟସ୍ ହାରିଥିଲ । ଆଉ ଏବେ ରୋହିତଙ୍କ ନାମରେ ଏହି ନୂଆ ରେକର୍ଡ ଯୋଡ଼ି ହୋଇଛି । ୧୯୯୯ରେ ସେ ଲଗାତାର ଟସ୍ ହାରିଥିଲେ । ତେବେ ଆଜିର ଏହି ଫାଇନାଲ ମୁକାବିଲାରେ ଉଭୟ ଦଳ ଦମଦାର ଫର୍ମରେ ରହିଥିବାବେଳେ କିଏ ବିଜୟ ହାସଲ କରୁଛି ଏହା ଉପରେ ରହିଛି ସମସ୍ତଙ୍କ ନଜର ।
ସିରିଆ ସ୍ଥିତି ସଙ୍ଗୀନ: ହଜାରେରୁ ଅଧିକ ମୃତ, ୭୪୫ ଜଣଙ୍କୁ ନିକଟରୁ ଗୁଳି କରି ହତ୍ୟା
ସିରିଆ: ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ସିରିଆ ସ୍ଥିତି । ସିରିଆ ନିରାପତ୍ତା ବାହିନୀ ଓ ବିଦାୟୀ ରାଷ୍ଟ୍ରପତି ବସର ଅସଦ ବାହିନୀ ମଧ୍ୟରେ ସଂଘର୍ଷ ତୀବ୍ର ହୋଇଛି । ସଂଘର୍ଷରେ ହଜାରେରୁ ଅଧିକ ଲୋକଙ୍କ ପ୍ରାଣ ହରାଇଲେଣି । ଦୁଇ ପକ୍ଷଙ୍କ ମଧ୍ୟରେ ସଂଘର୍ଷ ଉପୁଜିବାର ପ୍ରାୟ ୧୪ ବର୍ଷ ପରେ ଏହି ହିଂସା ସବୁଠାରୁ ବଡ଼ ବୋଲି କୁହାଯାଉଛି ।
ବ୍ରିଟେନ ଭିତ୍ତିକ ସିରିଆ ମାନବାଧିକାର ସଂଗଠନ ପକ୍ଷରୁ କୁହାଯାଇଛି, ସଂଘର୍ଷରେ ୭୪୫ ନାଗରିକଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରାଯାଇଛି । ଏହାସହ ୧୨୫ ସରକାରୀ ନିରାପତ୍ତାରକ୍ଷୀ, ଅସଦ ବାହିନୀର ୧୪୦ ଜଣ ପ୍ରାଣ ହରାଇଛନ୍ତି । ଲାଟାକିଆ ସହରରେ ବ୍ୟାପକ କ୍ଷତି ହେବା ସହ ସହରକୁ ପାଣି ଓ ବିଦ୍ୟୁତ ଯୋଗାଣ ଠପ୍ ହୋଇଛି ।
ଅସଦ କ୍ଷମତାରୁ ହଟିବାର ତିନିମାସ ପରେ ନୂଆ ସରକାର ଓ ପୂର୍ବତନ ସରକାରଙ୍କ ବାହିନୀ ମଧ୍ୟରେ ସଂଘର୍ଷ ତୀବ୍ର ହେବାରେ ଲାଗିଛି । ସରକାର ସପକ୍ଷବାଦୀ ସୁନ୍ନୀ ମୁସଲିମ ବାହିନୀ ଏବଂ ପୂର୍ବତନ ରାଷ୍ଟ୍ରପତି ଅସଦଙ୍କ ଆଲଓ୍ବାଇଟ ବାହିନୀ ମଧ୍ୟରେ ଏହି ସଂଘର୍ଷ ଘଟିଛି । ଫଳରେ ଅସଦଙ୍କୁ ଗାଦିଚ୍ୟୁତ କରିବାରେ ସଫଳ ହୋଇଥିବା ହାୟତ ତାହିରିର ଇଲ ଶାମ ବାହିନୀ ନିକଟରେ ଚାଲେଞ୍ଜ ସୃଷ୍ଟି ହୋଇଛି । ସିରିଆରେ ମୁସଲିମଙ୍କ ଭିତରୁ ସୁନ୍ନୀଙ୍କ ସଂଖ୍ୟା ୮୦ ପ୍ରତିଶତ ହୋଇଥିବାବେଳେ ସିହାଙ୍କ ସଂଖ୍ଯା ୧୪ ପ୍ରତିଶତ । ସଂଘର୍ଷ ପରେ ରାସ୍ତାଘାଟରେ ଶବ ପଡ଼ିଥିବା ଦେଖାଯାଉଛି । ପ୍ରାଣ ବିକଳରେ ଶହ ଶହ ଲୋକ ଲେବାନନ ଚାଲିଯାଉଥିବା ଦେଖିବାକୁ ମିଳିଛି ।
ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଅସୁସ୍ଥ, ଦିଲ୍ଲୀ ଏମ୍ସରେ ଭର୍ତ୍ତି
ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଅସୁସ୍ଥ । ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସର କାର୍ଡିଓଲୋଜି ବିଭାଗରେ ଭର୍ତ୍ତି କରାଯାଇଛି । ଏମ୍ସ କ୍ରିଟିକାଲ କେୟାର ୟୁନିଟରେ ତାଙ୍କର ଚିକିତ୍ସା ଚାଲିଛି । ଡାକ୍ତର ରାଜୀବ ନାରଙ୍ଗଙ୍କ ନେତୃତ୍ବରେ ଏକ ଟିମ୍ ତାଙ୍କ ଚିକିତ୍ସା କରୁଛନ୍ତି । ଧନଖଡ ଏମ୍ସରେ ଭର୍ତ୍ତି ହେବା ପରେ ମେଡିକାଲ ଯାଇ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ତାଙ୍କୁ ସାକ୍ଷାତ କରିଛନ୍ତି ।
ଜୟନାରାୟଣଙ୍କ ବିଭାଜନ ମନ୍ତବ୍ୟକୁ ନିରଞ୍ଜନଙ୍କ ନିନ୍ଦା: ପଚାରିଲେ- ଏହା କ’ଣ ବିଜେପିର ଓଡ଼ିଆ ଅସ୍ମିତା ?
ଭୁବନେଶ୍ବର: ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିଭାଜନ ମନ୍ତବ୍ୟକୁ ନେଇ ରାଜ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ରାଜେନୖତିକ ଦଳଙ୍କଠାରୁ ଆରମ୍ଭ କରି ସବୁ ବର୍ଗର ଲୋକେ ଜୟନାରାୟଙ୍କ ମନ୍ତବ୍ୟକୁ ନିନ୍ଦା କରୁଛନ୍ତି । ଆଉ ଏହାରି ଭିତରେ ଜୟଙ୍କ ମାନସିକତାକୁ ବିରୋଧ କରି ତାଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ।
ନିରଞ୍ଜନ ସେସିଆଲ ମିଡିଆରେ ପୋଷ୍ଟ କରି ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି । କହିଛନ୍ତି, ଆମ ପୂର୍ବପୁରୁଷମାନେ ଦଶନ୍ଧି ଧରି ସଂଘର୍ଷ କରିଥିଲେ । ଶେଷରେ ଆମେ ୧୯୩୬ ମସିହାରେ ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ହାସଲ କରିଥିଲୁ । ଜୟନାରାୟଣ ମିଶ୍ରଙ୍କ ବାର୍ତ୍ତା କ’ଣ ବିଜେପିର ଓଡ଼ିଆ ଅସ୍ମିତାର ନୀତି ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର ଉତ୍ତର ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି । ବିଜେପି ପୁଣି ଥରେ ପ୍ରମାଣ କରିଛି ଯେ, ସେମାନଙ୍କର ଓଡ଼ିଶାର ଗୌରବ, ଏହାର ସଂଘର୍ଷ ଏବଂ ଓଡ଼ିଆ ଲୋକଙ୍କ ପ୍ରତି କୌଣସି ସମ୍ମାନ ନାହିଁ । ଆମେ ସେମାନଙ୍କୁ ଆମର ଇତିହାସକୁ ନଷ୍ଟ କରିବାକୁ ଦେବୁ ନାହିଁ ବୋଲି ଉଲ୍ଲେଖ କରିଛନ୍ତି ନିରଞ୍ଜନ ।



