spot_img
Home Blog Page 1004

ଗିଲଙ୍କୁ ଆଉଟ୍ କରିବା ପରେ କରିଥିଲେ ଇଶାରା ଏବେ କୋହଲିଙ୍କୁ ନେଇ କହିଲେ ଏମିତି..

ନନ୍ଦିଘୋଷ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫିର ଲିଗ ମ୍ୟାଚରେ ଭାରତ-ପାକିସ୍ତାନ ମ୍ୟାଚରେ ବେଶ ଚର୍ଚ୍ଚାରେ ରହିଥିଲେ ପାକିସ୍ତାନୀ ସ୍ପିନର ଅବରାର ଅହମ୍ମଦ । ଶୁଭମନ ଗିଲଙ୍କୁ କ୍ଲିନ ବୋଲ୍ଡ କରିବା ପରେ ଦେଇଥିବା ଇଶାରା ପାଇଁ ବହୁ ସମାଲୋଚନାର ଶିକାର ହୋଇଛନ୍ତି । ଏବେ ବିରାଟ କୋହଲିଙ୍କୁ ନେଇ ଦେଇଛନ୍ତି ବଡ଼ ପ୍ରତିକ୍ରିୟା । ଅବରାର ଅହମ୍ମଦ ଏବେ ବିରାଟ କୋହଲିଙ୍କ ବିଷୟରେ ଏକ ପୋଷ୍ଟ ସେୟାର କରିଛନ୍ତି। ବିରାଟଙ୍କ ବିଷୟରେ ସେ କହିଛନ୍ତି ଯେ ସେ ତାଙ୍କର ପିଲାଦିନର ହିରୋ ଏବଂ ତାଙ୍କୁ ବୋଲିଂ କରିବା ତାଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଅଭିଜ୍ଞତା ହୋଇଛି। ଅବରାର ଏହା ମଧ୍ୟ କହିଛନ୍ତି ଯେ ପଡ଼ିଆ ଭିତରେ ହେଉ କି ପଡ଼ିଆ ବାହାରେ, ବିରାଟ କୋହଲି ସବୁଠି ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ। ସେ ତାଙ୍କଠାରୁ ପାଇଥିବା ପ୍ରଶଂସା ପାଇଁ ନିଜକୁ କୃତଜ୍ଞତା ମଧ୍ୟ ପ୍ରକାଶ କରିଥିଲେ। ବିରାଟଙ୍କ ସହ ତାଙ୍କ ଫଟୋର ଏକ କୋଲାଜ୍ ସେୟାର କରିବା ସମୟରେ ଅବରାର ଏସବୁ କଥା କହିଥିଲେ।

https://www.instagram.com/abrarahmedpak01/?utm_source=ig_embed&ig_rid=c3a51c64-b029-459f-a251-3be59603c72c

ଆଜିଠୁ ଆରମ୍ଭ ହେଉଛି ରମଜାନ୍

ନନ୍ଦିଘୋଷ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି ଇସଲାମର ସବୁଠାରୁ ପବିତ୍ର ମାସ ରମଜାନ। ଏହା ହେଉଛି ଆଧ୍ୟାତ୍ମିକ ପ୍ରତିଫଳନ, ଭକ୍ତି, ପ୍ରାର୍ଥନାର ମାସ। ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଉପବାସ, ନମାଜ ପାଠ ଓ ଦାନ ଧର୍ମ କରିବାର ସମୟ। ମାସେ ଧରି ଚାଲିବ ଏହି ଧର୍ମମାସ। ସକାଳୁ ମସଜିଦରେ ଏକାଠି ହୋଇ ସମୂହ ନମାଜ ପାଠ କରନ୍ତି ମୁସଲମାନମାନେ। ସଂଧ୍ୟା ପର୍ଯ୍ୟନ୍ତ ସେମାନେ ଏପରି ଉପାସରେ ରହନ୍ତି । ସଂଧ୍ୟାରେ ହୁଏ ଇଫତାର ପାର୍ଟି। ତା ସହିତ ଦାନ ଧର୍ମ କରନ୍ତି ସେମାନେ। ରମଜାନ ମାସକୁ ନେଇ ବେଶ୍ ଉତ୍ସାହିତ ମୁସଲମାନମାନେ।

ନନ୍ଦିଘୋଷ ଟିଭିରେ ଖବର ବାଜିବା ପରେ ଚେତିଲା କ୍ରୀଡା ଓ ଯୁବସେବା ବିଭାଗ

ଭୁବନେଶ୍ବର: ନନ୍ଦିଘୋଷ ଟିଭିରେ ଖବର ବାଜିବା ପରେ ଚେତିଲା କ୍ରୀଡା ଓ ଯୁବସେବା ବିଭାଗ। ଛାନିଆ ହୋଇ ରାତି ଅଧରେ ଜାରିକଲା ପ୍ରେସ ନୋଟ୍ । ସୁଇମିଂ କୋଚ୍ ସନ୍ଦୀପ ସେଜଓ୍ବାଲ ପିଲାମାନଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ହୋଇଥିଲା। କ୍ରୀଡ଼ା ବିଭାଗର ନିର୍ଦ୍ଦେଶକଙ୍କ ନିକଟରେ ଏନେଇ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା । ଏବେ ଖବର ପ୍ରସାରଣ ପରେ ଔଷଧ ବିକଳରେ ତାଟିଆ କାମୁଡ଼ା ଭଳି ରାତି ଅଧିଆ ପ୍ରେସ୍ ନୋଟ୍ ଜାରି କରି ଘଟଣାକୁ ଚାପିଦେବାକୁ ଉଦ୍ୟମ ହେଉ ନାହିଁ ତ ? ପିଲାମାନଙ୍କ ଅଭିଯୋଗକୁ ୭ ଦିନ ବିତିଥିଲେ ବି କୋଚ୍ ସନ୍ଦୀପ ସେଜଓ୍ବାଲ ଓ ହାଇ ପରଫରମାନ୍ସ ସେଣ୍ଟର ଓ୍ବାଡେନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ କ୍ରୀଡ଼ା ବିଭାଗର ନିର୍ଦ୍ଦେଶକ ? ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ସନ୍ତରଣ ହାଇ ପରଫରମାନ୍ସ ସେଣ୍ଟରର କୋଚଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ ପିଲା ।

କୋଚ ପିଲାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ସହିତ ମାଡ଼ ମାରୁଥିବା ଅଭିଯୋଗ ହୋଇଛି। ରାଜ୍ୟ ସରକାର ଖେଳାଳିଙ୍କ ପାଇଁ ହାଇ ପ୍ରଫରମାନ୍ସ ସେଣ୍ଟର୍ ତିଆରି କରିଛନ୍ତି । ହେଲେ ଏଠି ଅଭ୍ୟାସ କରୁଥିବା କ୍ରୀଡା ଛାତ୍ରାବାସର ଖେଳାଳିଙ୍କୁ ଭଲ ଭାବରେ ଅଭ୍ୟାସ କରିବାକୁ ସୁଯୋଗ ମିଳୁନାହିଁ । କେବଳ ସେତିକି ନୁହେଁ ଭଲ ଖାଇବାକୁ ମଧ୍ଯ ଦିଆଯାଉନଥିବା ଅଭିଯୋଗ ହୋଇଛି । କିଛିଦିନ ପୂର୍ବରୁ ଏହାକୁ ବିରୋଧ କରି କେହି ସନ୍ତରଣ ପାଇଁ ଆସିନଥିଲେ । ଏନେଇ ବିଭାଗର ନିର୍ଦ୍ଦେଶକଙ୍କୁ ଲିଖିତ ଭାବରେ ଅଭିଯୋଗ କରିଥିଲେ ଛାତ୍ର । କୌଣସି ପଦକ୍ଷେପ ନିଆଯାଇ ନଥିବା ଛାତ୍ରମାନେ କହିଛନ୍ତି। ବରଂ ବିଭାଗ ପାଖରେ ଆଉ କେବେ ଅଭିଯୋଗ କରନ୍ତି, ତାହେଲେ ବାହାର କରିଦେବେ ବୋଲି ଧମକ ଦିଆଯାଇଛି।

ଉତ୍ତର ଭାରତରେ ଏଥର ପ୍ରବଳ ଗରମ୍ ହେବ

ନନ୍ଦିଘୋଷ ବ୍ୟୁରୋ: ଚଳିତ ବର୍ଷ ରାଜ୍ୟରେ ସ୍ବାଭାବିକଠାରୁ ଅଧିକ ଗରମ ହେବାର ସମ୍ଭାବନା କମ୍  ରହିଛି । ପୃଥିବୀର ଅଧିକାଂଶ ସ୍ଥାନ ତଥା ଉତ୍ତର ଭାରତରେ ପ୍ରଚଣ୍ଡ ଗରମ ରହିବ। ତେବେ ଓଡ଼ିଶାରେ ବିଶେଷ ଗରମ ହେବା ସମ୍ଭାବନା କମ୍ ବୋଲି ଆକଳନ କରିଛନ୍ତି ଓୟୁଏଟିର ପୂର୍ବତନ କୁଳପତି ତଥା ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ। ଗତ ବର୍ଷ ସବୁଠୁ ଉତ୍ତପ୍ତ ବର୍ଷ ଥିଲା । ବିଭିନ୍ନ ମଡେଲରୁ ଜଣାପଡୁଛି ଯେ, ଚଳିତ ବର୍ଷ ତାପମାତ୍ରା ସାମାନ୍ୟ କମି ଦ୍ବିତୀୟ ବା ତୃତୀୟ ଉତ୍ତପ୍ତ ବର୍ଷ ହୋଇପାରେ । ଉତ୍ତର ଭାରତରେ ବିଶେଷ କରି ଉତ୍ତର ପଶ୍ଚିମ ଭାରତରେ ଗରମ ସ୍ବାଭାବିକଠାରୁ ଅଧିକ ହେବାର ସମ୍ଭାବନା ଥିବା ବେଳେ ଓଡ଼ିଶା ଓ ଦକ୍ଷିଣ ଭାରତରେ ଗରମ ସ୍ବାଭାବିକ ବା ସ୍ବାଭାବିକଠାରୁ କମ ରହିପାରେ । ଗତ ଫେବୃଆରୀରେ କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରରେ ଲାନିନା ରହିଥିଲା ।

ମାର୍ଚ୍ଚରୁ ଜୁଲାଇ ପର୍ଯ୍ୟନ୍ତ ଏହା ସ୍ବାଭାବିକ ରହିବାର ସମ୍ଭାବନା ରହିଛି । ଅନ୍ୟ କିଛି ଜଳବାୟୁ ଜନିତ କାରଣରୁ ଓଡ଼ିଶାରେ ମାର୍ଚ୍ଚରେ ଗରମ ସ୍ବାଭାବିକ ଠାରୁ ଅଧିକ ହେବାର ସମ୍ଭାବନା ୪୦ ପ୍ରତିଶତ ଥିବା ବେଳେ ଏପ୍ରିଲ ଓ ଜୁନରେ ସ୍ବାଭାବିକ ରହିବ । ମେ ମାସରେ ସ୍ବାଭାବିକ ବା ସ୍ବାଭାବିକଠାରୁ କମିବାର ୪୦ ପ୍ରତିଶତ ସମ୍ଭାବନା ରହିଛି ବୋଲି କହିଛନ୍ତି ପଶୁପାଳକ। ତାପମାତ୍ରା ଅଧିକ ନ ହେବାର ପ୍ରଥମ କାରଣ ହେଉଛି ମଝିରେ ମଝିରେ କାଳବୈଶାଖୀ ବର୍ଷା ହୋଇପାରେ । ଏପ୍ରିଲ ମାସରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହିତ ଓଡ଼ିଶା ସଂଲଗ୍ନ ବଙ୍ଗୋପ ସାଗରରେ ତାପମାତ୍ରା ଅଧିକ ରହିବାର ସମ୍ଭାବନା ଥିବାରୁ ଉପକୂଳ ବାୟୁମଣ୍ଡଳ ଅସ୍ଥିର ରହି ବର୍ଷା କରିବା ସହ ପଶ୍ଚିମା ଗରମ ପବନ ରାଜ୍ୟକୁ ସିଧା ବହିବ ନାହିଁ ।

ସେପଟେ ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ । ଉପକୂଳ ଜିଲ୍ଲାରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରୀୟ ପବନ ବହିବ । ରାତିରେ ପଶ୍ଚିମା ପବନ ପ୍ରଭାବରେ ସକାଳୁ ସକାଳୁ ତାପମାତ୍ରା କମ ରହିବ । ୧୨ ତାରିଖ ପରେ ମଧ୍ୟାହ୍ନ ପର୍ଯ୍ୟନ୍ତ ଉପକୂଳ ଓଡିଶାରେ ଗରମ ସ୍ବାଭାବିକଠାରୁ ଅଧିକ ରହିବ । ଦିନ ଗୋଟାଏ ପରେ ମଝିରେ ମଝିରେ ଆଂଶିକ ବା ସାମାନ୍ୟ ମେଘୁଆ ପାଗ ଯୋଗୁଁ ତାପମାତ୍ରା କମିବାର ସମ୍ଭାବନା ରହିଛି ବୋଲି ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି।

ଆଜି ଭାରତକୁ ଭେଟିବ ନ୍ୟୁଜିଲାଣ୍ଡ

ନନ୍ଦିଘୋଷ ବ୍ୟୁରୋ: ICC ଚାମ୍ପିଅନ୍ସ ଟ୍ରଫିରେ ଫାଇନାଲ୍ ଗ୍ରୁପ୍ ମୁକାବିଲା । ଆଜି ଇଣ୍ଡିଆ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ଟକ୍କର । ସେମି ଫାଇନାଲରେ ଉଭୟ ଟିମ୍ ସ୍ଥାନ ପକ୍କା କରିସାରିଛନ୍ତି । ଗ୍ରୁପ ପର୍ଯ୍ୟାୟରେ ଉଭୟଙ୍କ ପ୍ରଦର୍ଶନ ଦମଦାର ରହିଛି। ଦୁବାଇ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍ । ଭାରତୀୟ ସମୟ ୨ଟା ୩୦ରେ ଆରମ୍ଭ ହେବ ଖେଳ । ତେବେ ଭାରତୀୟ ସ୍କ୍ବାର୍ଡରେ କିଛି ପରିବର୍ତ୍ତନ ହୋଇପାରେ । କିୱି ଟିମ ମଧ୍ୟ କିଛି ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇବା ସମ୍ଭାବନା ରହିଛି ।  ଉଭୟ ଟିମ୍ ବେଶ ଦମଦାର ପ୍ରଦର୍ଶନ କରିଥିବାରୁ ମନୋବଳ ଦୃଢ଼ ରଖିଛନ୍ତି । ପାକିସ୍ତାନ ଓ ବାଂଲାଦେଶକୁ ହରାଇଛି  ନ୍ୟୁଜିଲାଣ୍ଡ । ଭାରତ ମଧ୍ୟ ପାକିସ୍ତାନ ଓ ବାଂଲାଦେଶକୁ ହରାଇଛି।

ଟ୍ରମ୍ପ-ଜେଲେନସ୍କି କଥା କଟାକଟି: କ’ଣ ହେବ ଯୁଦ୍ଧର ସ୍ଥିତି

ଭୁବନେଶ୍ବର: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କଥା କଟାକଟି । ଋଷ-ୟୁକ୍ରେନ ଯୁଦ୍ଧର ଅବସାନ ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନାକୁ ଗୁରୁତ୍ବ ଦିଆଯାଇଥିବା ବେଳେ ଏହା ଫସର ଫାଟିଛି । କଥାବାର୍ତ୍ତା ବେଳେ ଆମେରିକା ସହ ଖଣିଜ ପଦାର୍ଥ ସଂକ୍ରାନ୍ତ ରାଜିନାମା ସ୍ବାକ୍ଷରିତ ହେବା ଆଶା ଥିଲା । ମାତ୍ର ବୈଠକରେ ଟ୍ରମ୍ପ ଓ ଜେଲେନସ୍କିଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ସବୁ କିଛି ଧୂଳିସାତ ହୋଇଛି । ଏପରିକି ଜେଲେନସ୍କି ଓ ତାଙ୍କ ପ୍ରତିନିଧିଙ୍କୁ ହ୍ବାଇଟ ହାଉସରୁ ବାହାରି ଯିବା ଲାଗି ବି ନିର୍ଦ୍ଦେଶ ଦିଆଯିବାରୁ କୌଣସି ମିଳିତ ଘୋଷଣାନାମା ଜାରି ହୋଇପାରିନାହିଁ ।

ଶାନ୍ତି ପ୍ରତିଷ୍ଠା ଲାଗି ଜେଲେନସ୍କି ଅଙ୍ଗୀକୃତ ନୁହଁନ୍ତି ଏବଂ ସେ ସମ୍ମାନ ଦେଇ ଜାଣନ୍ତି ନାହିଁ ବୋଲି କହିଛନ୍ତି ଟ୍ରମ୍ପ । ଆଲୋଚନା ବେଳେ ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ବି ଉପସ୍ଥିତ ଥିଲେ । ତେବେ ଜେଲେନସ୍କି ଏକ ବିତର୍କ ସୃଷ୍ଟି କରିବାରୁ କଥାବାର୍ତ୍ତାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା । ଏପରିକି ଆପଣ ତୃତୀୟ ବିଶ୍ବଯୁଦ୍ଧ ସୃଷ୍ଟି ଲାଗି ଉଦ୍ୟମ କରିବା ସହ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ସହ ଖେଳୁଛନ୍ତି ବୋଲି ଜେଲେନସ୍କିଙ୍କୁ କହିଥିଲେ ଟ୍ରମ୍ପ ।

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରତି ଦୃଷ୍ଟିଭଙ୍ଗୀ ନେଇ ଟ୍ରମ୍ପଙ୍କୁ ଜେଲେନସ୍କି ପ୍ରଶ୍ନ କରିବା ପରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା । କିଛି ଦିନ ତଳେ ଜେଲେନସ୍କିଙ୍କୁ ଏକଛତ୍ରବାଦୀ ବୋଲି ଅଭିହିତ କରିଥିଲେ ଟ୍ରମ୍ପ । ପୁଟିନଙ୍କ ଅସ୍ତ୍ର ବିରତି ଉଲ୍ଲଂଘନ ପ୍ରସଙ୍ଗକୁ ଜେଲେନସ୍କି ଉଠାଇବାରୁ ଟ୍ରମ୍ପ ଉତକ୍ଷିପ୍ତ ହୋଇଯାଇଥିଲେ । ବିଭିନ୍ନ ପ୍ରସଙ୍ଗରେ ଜେଲେନସ୍କିଙ୍କୁ ଭାନ୍ସ ପ୍ରଶ୍ନ କରିବା ପରେ ସେ ଉତ୍ତ୍ୟକ୍ତ ହୋଇଯାଇଥିଲେ । ପରେ ବୈଠକକୁ ଟ୍ରମ୍ପ ବାତିଲ କରିବା ସହ ମିଡିଆକୁ ସମ୍ବୋଧନ କାର୍ଯ୍ୟକ୍ରମକୁ ବାତିଲ କରିଥିଲେ । ତେବେ ବୈଠକରୁ ବାହାରି ଯିବା ପରେ ଆମେରିକାବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ ଜେଲେନସ୍କି ।

ସେପଟେ ୟୁକ୍ରେନକୁ ସହାୟତା ଜାରି ରହିବ ବୋଲି କହିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ । ଜେଲେନସ୍କିଙ୍କୁ ବି ସମର୍ଥନ କରିଛନ୍ତି ୟୁରୋପୀୟ କମିଶନ ଅଧ୍ୟକ୍ଷା ଉର୍ସୁଲା ଭନ ଓ ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ । ସେପଟେ ଜେଲେନସ୍କି କହିଛନ୍ତି, ଯୁଦ୍ଧ ଶେଷ କରିବା ଲାଗି କୌଣସି ପକ୍ଷ ଚାହୁଁନାହାନ୍ତି । କାରଣ ସମସ୍ତ ପକ୍ଷ ଭୟଭୀତ ଅଛନ୍ତି । ଋଷ ପ୍ରତି ୟୁକ୍ରେନର ଥିବା ଦୃଷ୍ଟିଭଙ୍ଗୀକୁ ଗ୍ରହଣ କରିବାକୁ ଟ୍ରମ୍ପ ପ୍ରସ୍ତୁତ ନୁହନ୍ତି ବୋଲି କହିଛନ୍ତି ଜେଲେନସ୍କି । ସେପଟେ ନିଜ ଆଚରଣ ଲାଗି ଜେଲେନସ୍କି ଦୁଃଖ ପ୍ରକାଶ କରିଥିବା ସୂଚନା ମିଳିଛି ।

ସେପଟେ ଟ୍ରମ୍ପଙ୍କ ଏହି ମନୋଭାବକୁ ସମର୍ଥନ କରିଛନ୍ତି ଋଷ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ମାରିଆ ଜାଖରୋଭା । ତେଣେ ଜେଲେନସ୍କିଙ୍କୁ ୟୁରୋପୀୟ ରାଷ୍ଟ୍ର ସଂଘର ସଦସ୍ୟ ରାଷ୍ଟ୍ର ସମର୍ଥନ କରିଥିବା ଜଣାଯାଇଛି ।

ବିଜେପିକୁ ନିଗମ ଚିନ୍ତା: ପଦବୀ ଦୁଇ ଶହ, ଆଶାୟୀ ହଜାରେ ଉପରେ

ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାର ଗଠନର ୯ ମାସ ପୂରିବାକୁ ବସିଲାଣି। ଚୂଡ଼ାନ୍ତ ହୋଇପାରୁନି ନିଗମ ଓ ବୋର୍ଡ଼ ଅଧ୍ୟକ୍ଷ ତାଲିକା । ଶୀର୍ଷ ନେତୃତ୍ବଙ୍କ ବୈଠକ ବାରମ୍ବାର ବସୁଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ବି ରାଜ୍ୟ ନେତାଙ୍କ ସହ ଆଲୋଚନା କଲେଣି । ହେଲେ ଅଙ୍କ ଛିଡୁନି । ସରକାରୀ ପଦବୀରେ ପ୍ରାୟ ୨ଶହ ନେତାଙ୍କୁ ଥଇଥାନ କରାଯିବାକୁ ଥିବା ବେଳେ ଆଶାୟୀଙ୍କ ସଂଖ୍ୟା ଆଶାତୀତ ଭାବେ ବଢି ଚାଲିଛି । ରାଜ୍ୟ ସଭାପତି ଚୟନ ମଧ୍ୟ ଦଳର ଗୋଷ୍ଠୀ ବିବାଦରେ ଫସିଛି ବୋଲି ଚର୍ଚ୍ଚା ହେଉଛି ।

ଜିଲ୍ଲା ଯୋଜନା କମିଟି, ସ୍ବତନ୍ତ୍ର ଉନ୍ନୟନ ପରିଷଦ, ରାଜ୍ୟ ଯୋଜନା ବୋର୍ଡ଼, ବିଭିନ୍ନ ବିଭାଗରେ ଉପଦେଷ୍ଟା, ନିଗମ ଓ ବୋର୍ଡ଼ ଭଳି ଥଇଥାନ ପଦବୀରେ ଶତାଧିକ ନେତାଙ୍କୁ ନିଯୁକ୍ତି କରିବାକୁ ଦଳ ଯୋଜନା କରୁଛି । ଏଥିପାଇଁ ଏକ୍ସରସାଇଜ ଆରମ୍ଭ ହୋଇଛି । ପରାଜିତ ବିଧାୟକ ପ୍ରାର୍ଥୀ, ବିଧାୟକ, ଛାମୁଆ ନେତା, ପୁରୁଣା କର୍ମକର୍ତ୍ତାଙ୍କୁ ପ୍ରାଥମିକତା ମିଳିବ ବୋଲି ଜଣାପଡ଼ିଛି । ତାଲିକା ଏକ ପ୍ରକାର ଚୂଡ଼ାନ୍ତ ହୋଇଥିବା ବେଳେ ପ୍ରବଳ ଅସନ୍ତୋଷ ଆଶଙ୍କାରେ ଘୋଷଣା ହୋଇପାରୁନି । ଜାତୀୟ ଦଳ ହୋଇଥିବାରୁ ସବୁ କଥାରେ କେନ୍ଦ୍ରୀୟ ନେତୃତ୍ବଙ୍କ ଇସାରାକୁ ଅପେକ୍ଷା କରିବାକୁ ପଡୁଛି ।

ସରକାରରେ ସ୍ଥାଣୁତା, ସଙ୍ଗଠନରେ ଅସ୍ଥିରତା । ବାରମ୍ବାର ଫେଲ୍ ମାରୁଛି ରାଜ୍ୟ ସଭାପତି ଚୟନ ଡେଡଲାଇନ । ରାଷ୍ଟ୍ରୀୟ ଅଧ୍ୟକ୍ଷ-ରାଜ୍ୟ ନେତାଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ ବି ଏହା କେବଳ ଲୋକ ଦେଖାଣିଆ । ଏପରିକି ଆଶାୟୀଙ୍କୁ ଲବି ଓ ଗଣମାଧ୍ୟମରୁ ଦୂରେଇ ରହିବାକୁ ଏକ ପ୍ରକାର ତାଗିଦ କରିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ । ନିଜସ୍ବ ସୂତ୍ରରୁ ଇନପୁଟ ସଂଗ୍ରହ କରୁଛି କେନ୍ଦ୍ର ବିଜେପି ନେତା । କେନ୍ଦ୍ରରୁ ଯେଉଁ ତାଲିକା ଚୂଡ଼ାନ୍ତ ହେବ, ତାହା ଘୋଷଣା କରିବାକୁ ରାଜ୍ୟ ବିଜେପି ବାଧ୍ୟ । ବିଜେପି ଅପ୍ରତ୍ୟାଶିତ ବିଜୟ ପରେ ତୃଣମୂଳ ସ୍ତରରେ ପଦପଦବୀ ପାଇଁ ସମସ୍ତଙ୍କ ଆଶା ବଢି ଚାଲିଛି । ପରାଜିତ ବିଧାୟକ ପ୍ରାର୍ଥୀ, ନିର୍ବାଚନରେ ନଲଢି ସଙ୍ଗଠନରେ ଲାଗିଥିବା ନେତା, ନିର୍ବାଚନ ପୂର୍ବରୁ ଦଳରୁ ଦୂରେଇ ଯାଇଥିବା ନେତା, କୋଣଠେସା ହୋଇଥିବା ନେତା, ଆମଦାନୀ ନେତା ମଧ୍ୟରେ ଅଘୋଷିତ ପ୍ରତିଯୋଗିତା ଆରମ୍ଭ ହୋଇଛି । ସାଂସଦ ଓ ବିଧାୟକ ଗୋଷ୍ଠୀଙ୍କ ଛକାପଞ୍ଚା ବି ବିଳମ୍ବର ଆଉ ଏକ କାରଣ ହୋଇଛି ।

ବିଜେପି ଓ ସରକାର ମଧ୍ୟରେ ସମନ୍ବୟ ରଖିବା ଏବେ ନେତୃତ୍ବଙ୍କ ପାଇଁ ଅଗ୍ନି ପରୀକ୍ଷା ସାଜିଛି । ମୁଖ୍ୟମନ୍ତ୍ରୀଙ୍କ ପରେ ରାଜ୍ୟ ସଭାପତି ଦ୍ବିତୀୟ କ୍ଷମତା କେନ୍ଦ୍ର ହେବାକୁ ଯାଉଥିବାରୁ ଏହି ପଦ ଉପରେ ସମସ୍ତଙ୍କ ନଜର ରହିଛି । ଆଗ ନିଗମ ବୋର୍ଡ଼ ଅଧ୍ୟକ୍ଷ ତାଲିକା ନା ରାଜ୍ୟ ସଭାପତି ଘୋଷଣା ତାହାକୁ ନେଇ ଜାରି ରହିଛି ସସପେନ୍ସ ।

ଶିକ୍ଷା ବ୍ୟବସ୍ଥାର ବିଳକ ଚିତ୍ର: ଖାଲି ପଡିଛି ହଜାର ହାଜର ପଦବୀ

ଭୁବନେଶ୍ବର: ପଦାରେ ପଡ଼ିଲା ରାଜ୍ୟ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ପ୍ରଧାନଶିକ୍ଷକଠାରୁ ଆରମ୍ଭ କରି ସ୍କୁଲ ଜଗୁଆଳି ଯାଏଁ ଖାଲ ପଡ଼ିଛି ହଜାର ହଜାର ପଦବୀ । ନୂଆ ସରକାର ଦେଇ ପାରି ନାହାନ୍ତି ନିଯୁକ୍ତି । ଶିକ୍ଷକ ମରୁଡ଼ିରେ ଚାଲିଛି ମାଟ୍ରିକ ପରୀକ୍ଷା । ପ୍ରଧାନଶିକ୍ଷକ ନଥିବା ହାଇସ୍କୁଲ ଗୁଡ଼ିକରେ କେମିତି ପରିଚାଳନା ହେଉଥିବ ମାଟ୍ରିକ ପରୀକ୍ଷା, ସେ ନେଇ ଶିକ୍ଷକ ଓ ଅଭିଭାବକ ସଂଘ ପ୍ରଶ୍ନ ଉଠାଇଛନ୍ତି । ହାଇକୋର୍ଟରେ ଝୁଲୁଥିବା ନିଯୁକ୍ତି ମାମଲାରେ ସରକାରଙ୍କ ଅଭିମୁଖ୍ୟ ଏବେ କାଠଗଡ଼ାରେ ଠିଆ ହୋଇଛି । ସେପଟେ ରାଜ୍ୟ ସରକାରଙ୍କ ଚିରାଚରିତ ଉତ୍ତର, ଖୁବ୍ ଶୀଘ୍ର ପୂରଣ ହେବ ଖାଲି ପଦବୀ ।

କେଉଁଠି ହିନ୍ଦୀ ଶିକ୍ଷକ ପଢାଉଛନ୍ତି ଗଣିତ ତ ଆଉ କେଉଁଠି ବିଜ୍ଞାନ ଶିକ୍ଷକ ସାହିତ୍ୟ ପଢାଉଛନ୍ତି । ଏପରି ବିକଳ ସ୍ଥିତି ଦେଇ ଗତି କରୁଛି ରାଜ୍ୟର ଶିକ୍ଷା ବ୍ୟବସ୍ଥା । କାରଣ ମୁରବିବିହୀନ ଭାବେ ଚାଲିଛି ହାଇସ୍କୁଲ । ଖାଲି ପଡ଼ିଛି ହଜାର ହଜାର ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକ ପଦବୀ । ରାଜ୍ୟ ସରକାର ଦେଇ ପାରୁ ନାହାନ୍ତି ନୂଆ ନିଯୁକ୍ତି । ଫେବୃଆରୀ ଏକ ତାରିଖ ଯାଏଁ ମିଳିଥିବା ସରକାରୀ ତଥ୍ୟ ଅନୁସାରେ ରାଜ୍ୟରେ ୨୨୫୦ ପ୍ରଧାନଶିକ୍ଷକ ପଦ ଖାଲି ପଡ଼ିଛି । ଗଜପତି ଜିଲ୍ଲାରେ ସର୍ବାଧିକ ୧୯୯ ପ୍ରଧାନଶିକ୍ଷକ ପଦ ପୂରଣ କରିବାରେ ବିଫଳ ହୋଇଛନ୍ତି ସରକାର । ସେହିପରି କୋରାପୁଟ ଜିଲ୍ଲାରେ ୧୪୨ ଓ ବଲାଙ୍ଗୀରରେ ୧୧୪ ପଦ ଖାଲି ପଡ଼ିଛି । ଆଶ୍ଚର୍ଯ୍ୟର କଥା ହେଉଛି ଦଶମ ବୋର୍ଡ ଅଫିସ ଯେଉଁ କଟକ ଜିଲ୍ଲାରେ ରହିଛି, ସେ ଏହି ତାଲିକାରେ ୧୨୬ ଖାଲି ପଦ ସହ ତୃତୀୟ ସ୍ଥାନରେ ରହିଛି । ଖୋର୍ଦ୍ଧା ଜିଲ୍ଲାରେ ୭୧ ପ୍ରଧାନଶିକ୍ଷକ ପଦ ପୂରଣ ହୋଇ ପାରିନି ।

ସେହିପରି ସାରା ରାଜ୍ୟରେ ୫୧୯୯ ସହକାରୀ ଶିକ୍ଷକ ପଦ ଏଯାଏଁ ଖାଲି ପଡ଼ିଛି । ଏହି ତାଲିକାରେ ୫୮୨ ଖାଲି ପଦ ସହ ଶୀର୍ଷରେ ରହିଛି କଟକ ଜିଲ୍ଲା । ସେପଟେ ଅଣଶିକ୍ଷକ ଭାବେ ୬୧୧ କିରାଣୀ, ୫୦୮୮ ପିଅନ ଓ ୧୫୫୦ ରାତ୍ରୀ ଜଗୁଆଳି ପଦ ଖାଲି ପଡ଼ିଛି । ତାଲିକା ଆହୁରି ଅଧିକ ବଢିପାରେ । କାରଣ କିଛି ଶିକ୍ଷକଙ୍କ ଦେହାନ୍ତ ହେବା ସହ ଫେବୃଆରୀ ଶେଷ ସୁଦ୍ଧା ଅନେକ ଅବସର ନେଇଛନ୍ତି । ଏତେ ଖାଲି ପଦବୀ ସହ କିପରି ଚାଲିଛି ପାଠପଢା ? ପ୍ରଧାନଶିକ୍ଷକ ବିନା କେମିତି ଚାଲିଛି ସ୍କୁଲ ଓ କେମିତି ଚାଲିଛି ପରୀକ୍ଷା କେନ୍ଦ୍ର ? ଏତେ ଅଭାବ ଭିତରେ ଠିକ୍ ଭାବେ ହୋଇ ପାରିବ ତ ମାଟ୍ରିକ ଖାତା ମୂଲ୍ୟାୟନ ? ନୂଆ ସରକାରଙ୍କ ଶିକ୍ଷାର ବିକାଶ ନେଇ କୌଣସି ନିର୍ଦ୍ଦିଷ୍ଟ ଯୋଜନା ନଥିବାରୁ ଏପରି ଅବ୍ୟବସ୍ଥା ଘଟୁଥିବା ଅଭିଯୋଗ କରିଛି ଓଷ୍ଟା । ଏହି ୮ ମାସ ଭିତରେ କେବଳ ପ୍ରଚାର ସର୍ବସ୍ବ ହୋଇ ସରକାର ରହିଯାଇଛି । ଏମିତି ସ୍ଥିତିରେ ଶିକ୍ଷାର ଅଭାବୀ ଦିଗକୁ ଅଣଦେଖା କରାଯାଉଥିବାରୁ ନିଜ ପିଲାମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ ।

ଶୀଘ୍ର ପଦବୀ ପୂରଣ ନେଇ ସରକାର ବାରମ୍ବାର କହୁଛନ୍ତି । ହେଲେ ହାଇକୋର୍ଟରେ ଅଟକି ଥିବା ନିଯୁକ୍ତି ମାମଲାକୁ ରଫାଦଫା କରିବାକୁ ସରକାର କି ଆଭିମୁଖ୍ୟ ନେଉଛନ୍ତି, ତାକୁ ନେଇ ସନ୍ଦେହ ଉପୁଜିଛି । ଶିକ୍ଷକ କ୍ଷେତ୍ରରେ ରାଜ୍ୟ ସରକାର ନୂଆ ନିଯୁକ୍ତି ଦେଇ ନଥିବା ପରିଲକ୍ଷିତ ହୋଇଛି । ଯେଉଁ କନିଷ୍ଠ ଶିକ୍ଷକ ଯୋଜନା ଭିତ୍ତିକ ନିଯୁକ୍ତିକୁ କ୍ୟାବିନେଟ ମୋହର ମାରିଥିଲା, ତାର ସମସ୍ତ ନିଯୁକ୍ତି ପ୍ରକ୍ରିୟା ପୂର୍ବ ନବୀନ ପଟ୍ଟନାୟକ ସରକାର ସାରି ଦେଇଥିଲେ । ଏପରି ସ୍ଥିତିରେ କିଛି ନୂଆ ନକରି ପୁରୁଣାର ଚିତ୍ର ବଦଳାଇଲେ ପରିଚାଳନା ବ୍ୟବସ୍ଥାରେ ସୁଧାର ଆସିବାର ସମ୍ଭାବନା ନାହିଁ । ବେଳ ହୁଁ ନସଜାଡିଲେ ଆଗକୁ ସ୍ଥିତି ଅଣାୟତ୍ତ ହେବା ନିଶ୍ଚିତ ।

ନାରୀଙ୍କ ସୁରକ୍ଷା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲା କଂଗ୍ରେସ

ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ବଢ଼ିଛି ନାରୀ ନିର୍ଯାତନା । ମହିଳାମାନଙ୍କୁ ସୁରକ୍ଷା ଯୋଗାଇ ଦେବା ଦାବିରେ ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛି କଂଗ୍ରେସ । ଗତ ୮ ମାସରେ ନାରୀ ନିର୍ଯାତନା ବୃଦ୍ଧି ପାଇଛି । ସ୍କୁଲ ହଷ୍ଟେଲରେ ନାବାଳିକା ଛାତ୍ରୀ ପ୍ରସବ କରିବା ଏହାର ପ୍ରମାଣ । ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ବେଳେ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ଦଳ ଦାବି କରିଛି, ମହିଳାଙ୍କୁ ଯଦି ମୋହନ ସରକାର ସୁରକ୍ଷା ଦେଇ ପାରୁ ନାହାନ୍ତି, ତେବେ କ୍ଷମତାରେ ରହିବାର ଅଧିକାର ନାହିଁ, ତୁରନ୍ତ ଗାଦି ଛାଡ଼ନ୍ତୁ ।

ମାଲକାନଗିରି ଚିତ୍ରକୋଣ୍ଡାରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ପ୍ରସବ, ଯାଜପୁର ବରୀରେ ବି ଦଶମ ଛାତ୍ରୀ ପିଲା ଜନ୍ମ ଦେବା । ୮ ମାସରେ ୧୬ ଶହ ମହିଳା ବିରୋଧୀ ମାମଲା । ଦିନକୁ ୭ ଜଣ ମହିଳା ଅତ୍ୟାଚାର ଶିକାର । ରାଜ୍ୟରେ ଆଦିବାସୀ ଝିଅମାନେ ଅସୁରକ୍ଷିତ । ବିଜେପି ଶାସନକୁ ଆସିବା ପରେ ନାରୀ ନିର୍ଯାତନା ବୃଦ୍ଧି ପାଇଥିବା ଅଭିଯୋଗ କରି ରାଜଧାନୀର ରାଜରାସ୍ତାରେ ଗର୍ଜିଛି କଂଗ୍ରେସ । ମହିଳାଙ୍କୁ ସୁରକ୍ଷା ଦେଇପାରୁ ନଥିବା ବିଜେପି ସରକାର ଗାଦି ଛାଡ଼ ସ୍ଲୋଗାନ ଦେଇ ଶହ ଶହ କଂଗ୍ରେସ କର୍ମୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛନ୍ତି । ଏହି ସମୟରେ କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ବିଜେପି ସରକାର ରାଜ୍ୟର ମହିଳାଙ୍କୁ ସୁରକ୍ଷା ଦେଇପାରି ନଥିବାରୁ କ୍ଷମତାରେ ରହିବାର ଅଧିକାର ସେମାନଙ୍କର ନାହିଁ ବୋଲି କହିଛନ୍ତି କଂଗ୍ରେସ ନେତ୍ରୀ ।

ରାଜ୍ୟରେ ନାରୀ ନିର୍ଯାତନା ବଢି ବଢି ଚାଲିଥିବା ବେଳେ ରାଜ୍ୟ ସରକାର ନୀରବଦଷ୍ଟା ସାଜିଛନ୍ତି । ହଷ୍ଟେଲରେ ରହୁଥିବା ଆଦିବାସୀ ଛାତ୍ରୀମାନେ ଅସୁରକ୍ଷିତ। ପିସିସି ସଭାପତି ଭକ୍ତ ଦାସ କ୍ଷୋଭର ସହିତ କହିଛନ୍ତି, ନାବାଳିକା ଛାତ୍ରୀମାନେ ଗର୍ଭବତୀ ହେବା ଘଟଣାରୁ ଜଣାପଡୁଛି ମହିଳାଙ୍କ ସୁରକ୍ଷା ପ୍ରତି ରାଜ୍ୟ ସରକାର କେତେ ଅଣ ସମ୍ଵେଦନଶୀଳ । ଏହା ବିରୋଧରେ ଆଗକୁ ଜୋରଦାର ଲଢେଇ କରିବ କଂଗ୍ରେସ । ମୁଖ୍ୟମନ୍ତ୍ରୀ ଯଦି ମହିଳାମାନଙ୍କୁ ସୁରକ୍ଷା ଦେଇ ନପାରିବେ, ଆଗକୁ ବାଟଘାଟରେ ଯୁବ ଓ ଛାତ୍ର କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବେ ବୋଲି ଚେତାବନୀ ଦିଆଯାଇଛି ।

ଭକ୍ତ ଦାସ ପିସିସି ସଭାପତି ହେବା ପରେ ଜୋସରେ ଅଛନ୍ତି କଂଗ୍ରେସ କର୍ମୀ । ସଂଗଠିତ ହୋଇ ପୁଣି ଥରେ କ୍ଷମତା ହାସଲ ଲକ୍ଷ୍ୟରେ ଦଳ ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିଛି ।

ରାଜ୍ୟ ସରକାର ଦେଖାଉଛନ୍ତି ଦିବା ସ୍ବପ୍ନ: ୫ ଶହ ବିଲିୟନ ଡଲାର ଲକ୍ଷ୍ୟ କେଉଁ ଆଧାରରେ ହେବ ପୂରଣ ?

ଭୁବନେଶ୍ବର: ଅର୍ଥ ଖର୍ଚ୍ଚ ହୋଇପାରୁନି । ରାଜ୍ୟର ଆୟ କମି କମି ଯାଉଛି । ସେପଟେ ରାଜ୍ୟ ସରକାର କହୁଛନ୍ତି ୨୦୩୬ ବେଳକୁ ରାଜ୍ୟ ଅର୍ଥନୀତି ୫୦୦ ବିଲିୟନ୍ ଡଲାରରେ ପହଞ୍ଚିବ । ସମୀକ୍ଷକଙ୍କ ପ୍ରଶ୍ନ ଯଦି ନାମକୁ ମାତ୍ର ଅଭିବୃଦ୍ଧି ପରିମାଣ ଏବେଠୁ ବାର୍ଷିକ ୧୨.୪୦ ପ୍ରତିଶତ ରହେ । ତା’ହେଲେ ସେତେବେଳକୁ ରାଜ୍ୟ ଅର୍ଥନୀତି ମାତ୍ର ୩୮୫ ବିଲିୟନ୍ ଡଲାର ଛୁଇଁବ । କେଉଁ ଆଧାରରେ କେଉଁ ଆର୍ଥିକ ପରାମର୍ଶରେ ରାଜ୍ୟ ସରକାର ଅଭିବୃଦ୍ଧିର ଏପରି ଗଣିତ କଷିଛନ୍ତି ତାହା କେବଳ ହାସ୍ୟାସ୍ପଦ ବୋଲି ଅର୍ଥନୀତି ବିଶେଷଜ୍ଞ ଅଭିଯୋଗ କରିଛନ୍ତି ।

ଲକ୍ଷ୍ୟ ଛୋଟ ସ୍ବପ୍ନ ବଡ଼ । ଅଭିବୃଦ୍ଧି ନେଇ ମୋହନ ସରକାର ଦେଖାଇଛନ୍ତି ଦିବା ସ୍ବପ୍ନ ! ୨୦୩୬ ବେଳକୁ ରାଜ୍ୟ ଅର୍ଥନୀତ ୫୦୦ ବିଲିୟନ ଡଲାର ବା ୪୩ ଲକ୍ଷ ୫୦ ହଜାର କୋଟି ହେବ । ୨୦୨୫-୨୬ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ୮ ପ୍ରତିଶତରୁ ୮.୫ ପ୍ରତିଶତ ରହିବ । କେମିତି ଓ କେଉଁ ଆଧାରରେ ଏହି ଲକ୍ଷ୍ୟ ପୂରଣ ହେବ ବୋଲି ସିଧା ପ୍ରଶ୍ନ ଉଠାଇଲେ ଅର୍ଥନୀତି ସମୀକ୍ଷକ ।

ବଜେଟ୍ ଅଧିବେଶନ ଆରମ୍ଭରେ ରାଜ୍ୟପାଳଙ୍କ ମୁହଁରେ ରାଜ୍ୟ ସରକାର ଏପରି କୁହାଇ ଅଡ଼ୁଆ ଭିତରକୁ ପଶିଛନ୍ତି । ଅଭିଯୋଗ ହୋଇଛି, ଏ ସରକାର ମହଙ୍ଗା ବଜାର ବା ମୁଦ୍ରାସ୍ଫୀତିକୁ ଗୁରୁତ୍ବ ଦେଉନାହାନ୍ତି । ଯଦି ବର୍ଷକ ଭିତରେ ମୁଦ୍ରାସ୍ଫୀତି ୪ ପ୍ରତିଶତ ରହେ ତା’ହେଲେ ନୋମିନାଲ ଗ୍ରୋଥ ୧୨.୩୨ ପ୍ରତିଶତ ରହିବ । ୫ ପ୍ରତିଶତ ମୁଦ୍ରାସ୍ଫୀତି ରହିଲେ ଅଭିବୃଦ୍ଧି ହାର ୧୨.୪୦ ପ୍ରତିଶତରେ ପହଞ୍ଚିବ । ସେହିପରି ବାସ୍ତବ ଅଭିବୃଦ୍ଧି ଯଦି ୮.୫ ପ୍ରତିଶତ ରହିଲା, ତା’ହେଲେ ୫ ପ୍ରତିଶତ ମୁଦ୍ରାସ୍ଫୀତି ମିଶିଲେ ନାମକୁ ମାତ୍ର ଅଭିବୃଦ୍ଧି ୧୨.୯୩ ପ୍ରତିଶତ ରହୁଛି । ଏପରି ହିସାବକୁ ନେଲେ ୨୦୩୬ ବେଳକୁ ରାଜ୍ୟ ଅର୍ଥନୀତି ୩୮୫ ବିଲିୟନ୍ ଡଲାରରେ ପହଞ୍ଚୁଛି । ଯେଉଁଠି କି ଛୋଟ ରାଜ୍ୟ ୨୦୨୩-୨୪ରୁ ଓଡ଼ିଶାଠାରୁ କାହିଁ କେତେ ଆଗରେ ଅଭିବୃଦ୍ଧି ଲକ୍ଷ୍ୟ ରଖିସାରିଛନ୍ତି । ତ୍ରିପୁରା ୧୪.୨୧ ପ୍ରତିଶତ ଥିବାବେଳେ, ମେଘାଳୟ ୧୩.୯୮ ପ୍ରତିଶତ ଓ ସିକିମ ୧୪.୬୭ ପ୍ରତିଶତ ଅଭିବୃଦ୍ଧି ଲକ୍ଷ୍ୟ ରଖୁଛନ୍ତି ।

ରାଜ୍ୟ ସରକାର ଆକଳନ ନେଇ କାର୍ପଣ୍ୟ କରୁଥିବା ଆଉ କିଛି ସମୀକ୍ଷକ ଅଭିଯୋଗ କରିଛନ୍ତି । ୨୦୨୪-୨୫ରେ ନାମକୁ ମାତ୍ର ଅଭିବୃଦ୍ଧି ୧୧ ପ୍ରତିଶତ କରିଥିଲେ । କିନ୍ତୁ ହେଲା ୧୦ ପ୍ରତିଶତ । ଚଳିତବର୍ଷ ରାଜ୍ୟ ଅର୍ଥନୀତି ୯ ଲକ୍ଷ ୫୦ ହଜାର କୋଟିରେ ପହଞ୍ଚିବ ବୋଲି ଲକ୍ଷ୍ୟ ରହିଥିଲା । କିନ୍ତୁ ଏହି ଲକ୍ଷ୍ୟ ହାସଲ ହୋଇପାରିନି । ତୃତୀୟ କ୍ବାର୍ଟର ସୁଦ୍ଧା ଯେଉଁଠି ବଜେଟ ଅର୍ଥର ୫୦ ପ୍ରତିଶତ ମାତ୍ର ଖର୍ଚ୍ଚ ହୋଇପାରୁଛି । ଯାହାକୁ ନେଇ ସହୁ ମହଲରେ ସରକାର ସମାଲୋଚିତ ହେଲେ । ଶେଷ ଦୁଇମାସରେ ୮୫ ପ୍ରତିଶତ ଖର୍ଚ୍ଚ କରି ଦେଖାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସବୁ ବିଭାଗକୁ ନିର୍ଦ୍ଦେଶ ଦେଉଛନ୍ତି । ଏହା ବାସ୍ତବତାଠାରୁ ବହୁ ଦୂରରେ ବୋଲି ଅର୍ଥନୀତି ବିଶେଷଜ୍ଞ କହିଛନ୍ତି ।

ସେହିପରି ୨୦୨୫-୨୬ ଆର୍ଥିକ ବର୍ଷରେ ରାଜ୍ୟ ୧୦ ଲକ୍ଷ ୬୩ ହଜାର କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଇଛି । ଦିନକୁ ଦିନ ରାଜ୍ୟର ଆୟ କମୁଥିବା ବେଳେ ବ୍ୟୟ ଭାର ବଢି ଚାଲିଛି । କେନ୍ଦ୍ର ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରିବାରେ ରାଜ୍ୟକୁ ଅର୍ଥ ଯୋଗାଡ଼ ପାଇଁ ଖୋଲା ବଜାରରୁ ଋଣ କରିବାକୁ ପଡ଼ୁଛି । ଏଭଳି ସ୍ଥିତିରେ ବିକଶିତ ଓଡ଼ିଶା କେବଳ ରାଜ୍ୟବାସୀଙ୍କ ପାଇଁ ଆକାଶ କଇଁଆ ଚିଲିକା ମାଛ ବୋଲି ଚର୍ଚ୍ଚା ହେଉଛି ।