ଧାମନଗର ଉପନିର୍ବାଚନ: ୯୮୮୧ ଭୋଟରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜୟୀ

ଧାମନଗର: ଶେଷ ହେଲା ଧାମନଗର ଉପନିର୍ବାଚନ ଭୋଟ ଗଣତି । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୯୮୮୧ ଭୋଟରେ ପରାସ୍ତ କରିଛନ୍ତି । ସୂର୍ଯ୍ୟବଂଶୀ ମୋଟ ୮୦ ହଜାର ୩୫୧ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ଅବନ୍ତୀ ୭୦ ହଜାର ୪୭୦ ଖଣ୍ଡ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ୩୫୬୧ ଖଣ୍ଡ ଏବଂ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ୮୧୫୩ ଭୋଟ ପାଇଛନ୍ତି । ସେହିପରି ଅନ୍ୟତମ ସ୍ବାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସ ୪୯୭ ଭୋଟ ପାଇଥିବା ବେଳେ ନୋଟାରେ ୬୫୦ ଭୋଟ ପଡ଼ିଥିଲା ।

ସରିଛି ଧାମନଗର ଭୋଟ ଗଣତି । ବିଜେପି ଆସନକୁ ନିଜ ପାଖରେ ରଖିବାରେ ସକ୍ଷମ ହୋଇଛି । ବିଜେଡ଼ି ଜନମତକୁ ସମ୍ମାନ ଦେବା ସହ ଧାମନଗରରେ ବିକାଶର ଧାରା ବଜାୟ ରହିବ ବୋଲି କହିଛି । କଂଗ୍ରେସର ପୁଣି ଥରେ ଶୋଚନୀୟ ଅବସ୍ଥା ଦେଖିବାକୁ ମିଳିଛି । ବ୍ରଜରାଜନଗର ଉପନିର୍ବାଚନ ପରେ ଉତ୍ସାହିତ ହୋଇଥିବା କଂଗ୍ରେସ ଧାମନଗରରେ ଶକ୍ତି ପ୍ରଦର୍ଶନ କରିଥିଲେ ମଧ୍ୟ ତାହା ଭୋଟରେ ରୁପାନ୍ତରିତ ହୋଇପାରିନାହିଁ । ଅନ୍ୟପଟେ ବିଜେଡ଼ିର ବିଦ୍ରୋହୀ ପ୍ରାର୍ଥୀ ହୋଇ ଦଳରୁ ବହିଷ୍କୃତ ହୋଇଥିବା ରାଜୁ ଦାସ ମଧ୍ୟ ସେମିତି କିଛି କରିସ୍ମା ଦେଖାଇପାରିନାହାନ୍ତି ।

ଉପନିର୍ବାଚନରେ ବିଜେପି ନିଜ ଆସନକୁ ବଜାୟ ରଖିବାରେ ସକ୍ଷମ ହୋଇଛି । ବିଜୟର ଶ୍ରେୟ ଧାମନଗର ବାସୀ ଏବଂ ଦଳୀୟ କର୍ମୀଙ୍କୁ ନେଇଛନ୍ତି ନବ ନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀ ସୂରଜ । ଅନୁକମ୍ପା ଭୋଟ ହାତେଇବାରେ ସକ୍ଷମ ହୋଇଛି ବିଜେପି । ଧାମନଗର ଉପନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ୮ହଜାରରୁ ଅଧିକ ଭୋଟ ହାତେଇବା ବିଜେଡ଼ି ପାଇଁ ସମସ୍ୟା ସୃଷ୍ଟି କରିଛି । ହେଲେ କଂଗ୍ରେସର ପ୍ରଦର୍ଶନ ପିସିସିର ନୂଆ ନେତୃତ୍ବ ପାଇଁ ଅନେକ ଆହ୍ବାନ ସୃଷ୍ଟି କରିଛି ।

ଧାମନଗର ଉପନିର୍ବାଚନକୁ ବିଜେପି କ୍ୟାମ୍ପ ଉତ୍ସାହିତ ହୋଇଥିବା ବେଳେ ଧାମନଗରର ବିକାଶ ପାଇଁ ବିଜେଡ଼ି ସଂକଳ୍ପବଦ୍ଧ । ଚୂଡ଼ାନ୍ତ ଫଳ ଅନୁସାରେ ବିଜେପି ପ୍ରାର୍ଥର ସୂର୍ଯ୍ୟବଂଶୀ ସୂରଜ ବିଜେଡ଼ି ଠାରୁ ୯ହଜାର ୮୮୧  ଅଧିକ ଭୋଟ ପାଇଛନ୍ତି ।