ବିରୋଧୀଙ୍କ ସ୍ବର ଚପାଇବାକୁ ଶାସକ ବିଜେପିର ବଡ଼ ଷଡ଼ଯନ୍ତ୍ର

ନନ୍ଦିଘୋଷ ବ୍ୟୁରୋ: ବିଧାନସଭାରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି । ବିରୋଧୀଙ୍କ ସ୍ବରକୁ ଚପାଇଦେବାକୁ ଶାସକ ଦଳ ରାଜନୈତିକ ଷଡ଼ଯନ୍ତ୍ର ରଚିଛି । ଗୃହରେ ବିଷାକ୍ତ ମଦମୃତ୍ୟୁ  ମାମଲାରେ ଜବାବ ମାଗିବାରୁ ବିରୋଧୀ ଦଳର ଦୁଇ ବିଧାୟକଙ୍କ ନାଁରେ ନିନ୍ଦା ପ୍ରସ୍ତାବ ଆଣିଛି ଶାସକ ଦଳ। ଯାହାକୁ କଡ଼ା ସମାଲୋଚନା କରିଛନ୍ତି  ବିଜେଡି ଓ କଂଗ୍ରେସ। ବିଜେପି ବିରୋଧୀ ଦଳରେ ଥିବାବେଳେ ମହିଳା ବାଚସ୍ପତିଙ୍କୁ ଡାଲି ଫିଙ୍ଗିବା ସହ ଚପଲମାଡ଼ ଘଟଣାକୁ ମନେ ପକାଇଦେଇଛନ୍ତି । ଏହା କି ପ୍ରକାର ବାଚସ୍ପତିଙ୍କୁ ସମ୍ମାନ ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ଓ କଂଗ୍ରେସ । ଯାହାକୁ ନେଇ ବ୍ୟାକଫୁଟକୁ ଚାଲିଆସିଛି ଶାସକ ଦଳ ।

ବିରୋଧୀଙ୍କ ସ୍ବର ଚପାଇବାକୁ ଶାସକ ବିଜେପିର ବଡ଼ ଷଡ଼ଯନ୍ତ୍ର । ବାଚସ୍ପତିଙ୍କୁ ଅସ୍ତ୍ର କରି ଗଣତନ୍ତ୍ରକୁ ହତ୍ଯା କରୁଛି ବିଜେପି । ସରକାରଙ୍କ ବିରୋଧରେ ସ୍ବର ଉଠାଇଲେ ମିଳୁଛି କାର୍ଯ୍ୟାନୁଷ୍ଠାନର ଧମକ । ବାଚସ୍ପତିଙ୍କୁ ନେଇ ତୁତୁ…ମେଁମେଁ । ଚିକିଟିରେ ବିଷାକ୍ତ ମଦ ପିଇ ୨ଜଣଙ୍କ ଜୀବନ ଯିବା ଓ ବହୁ ଲୋକଙ୍କ ଅସୁସ୍ଥ ହେବା ନେଇ ବିଜେଡି ବିଧାନସଭାରେ ତିନି ଦିନ ହେଲା ପ୍ରତିବାଦ କରିଆସୁଛି । ଅବକାରୀ ମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବାକୁ ଦଳର ବିଧାୟକମାନେ ଗୃହରେ ଦାବି କରିଆସୁଛନ୍ତି । ଆଜି ମଧ୍ଯ ବିଜେଡି ସଦସ୍ଯ ସମାନ ଦାବି କରିବା ସହ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ । ବାଚସ୍ପତି ଗୃହରେ ପକ୍ଷପାତିତା କରୁଥିବା ଅଭିଯୋଗ ଆଣି  ବିରୋଧୀ ଦଳର ବିଧାୟକମାନେ ପୋଡିୟମ ଉପରେ ଚଢି ପ୍ରତିବାଦ ଉଦ୍ୟମ କରିଥିଲେ ।

ଯାହା ବିଜେପିର ଦେହରେ ଯାଇନଥିଲା । ଏହା ବାଚସ୍ପତିଙ୍କ ପ୍ରତି ଅପମାନ ବୋଲି ବିଜେପି ଅଭିଯୋଗ ଆଣିବାରୁ ଏହାର ଜବାବ ଦେଇଥିଲା ବିଜେଡି । ବିଜେଡି ସରକାର ସମୟରେ ତତ୍କାଳୀନ ମହିଳା ବାଚସ୍ପତି ତଥା ବର୍ତ୍ତମାନର ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଉପରୁ ବିଜେପି ବିଧାୟକମାନେ ଡାଲି ପିଙ୍ଗିଥିଲେ । ଏହା କଣ ମହିଳା ବାଚସ୍ପତିଙ୍କ ପ୍ରତି ବିଜେପିର ସମ୍ମାନ ବୋଲି ବିଜେଡି ବିଜେପକୁ ପ୍ରଶ୍ନ କରିଥିଲା । ବିଜେପି ମହିଳାଙ୍କୁ କିପରି ସମ୍ମାନ ଦିଏ ବିଧାନସଭାରେ ତାହା ରେକର୍ଡ ଅଛି । ତେଣୁ ମହିଳା ବାଚସ୍ପତିଙ୍କ ପ୍ରତି ଅସମ୍ମାନ କଥା କହି ବିରୋଧୀଙ୍କ ସ୍ବରକୁ ଚପାଇ ନଦେବାକୁ ପରାମର୍ଶ ଦେଇଛି ବିଜେଡି । କଂଗ୍ରେସ ମଧ୍ୟ ଏ ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଛି ।

ସେପଟେ ମହିଳା ବିଧାୟକ ମଧ୍ୟ ବିରୋଧୀ ଦଳଙ୍କ ବିରୋଧରେ ବିଜେପିର ବାଚସ୍ପତିକୁ ଅସମ୍ମାନ ଅସ୍ତ୍ରକୁ କଡ଼ା ସମାଲୋଚନ କରିଛନ୍ତି । କଂଗ୍ରେସ ବିଧାୟିକା ସୋଫିଆ ଫିରଦୌସ କହିଛନ୍ତି ଯେ ବାଚସ୍ପତି ଏକ ସାମ୍ବିଧାନିକ ପଦ । ଲୋକଙ୍କ ସମସ୍ଯାର ସମାଧାନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି ବିରୋଧୀ । କିନ୍ତୁ ଗୃହରେ ଶାସକ ଦଳର ଚାପରେ ବାଚସ୍ପତି ପକ୍ଷପାତିତା କରୁଛନ୍ତି ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି । ମହିଳାଙ୍କ ସମ୍ମାନ କଥା କହୁଥିବା ବିଜେପି ବିଗତ ଦିନରେ ମହିଳାଙ୍କୁ କିପରି ସମ୍ମାନ ଦେଇଛି ତାହା ରାଜ୍ୟବାସୀ ଦେଖିଛନ୍ତି ବୋଲି କହିଛି ବିଜେଡି । ସେପଟେ ବିଜେପି କିନ୍ତୁ ନିଜର ଦୋଷ ଲୁଚାଇ ମହିଳା ବାଚସ୍ପତିଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣି ବିରୋଧୀଙ୍କ ଉପରେ ଦୋଷ ଲଦିଛି ।

ବାଚସ୍ପତିଙ୍କୁ ଅସମ୍ମାନ ନେଇ ବିଜେଡିର ଦୁଇ ବିଧାୟକଙ୍କ ବିରୋଧରେ ଗୃହରେ ନିନ୍ଦା ପ୍ରସ୍ତାବ ଆଣିଛି ବିଜେପି । ଅନ୍ୟପଟେ ଗଣତନ୍ତ୍ରର ମନ୍ଦିରରେ ସ୍ବର ଚପାଇଦେବାକୁ ବିଜେପି କରିଥିବା ଷଡ଼ଯନ୍ତ୍ର ବିରୋଧରେ ଗୃହ ଭିତରେ ଓ ବାହାରେ ସରକାରଙ୍କୁ ଘେରିଛନ୍ତି ବିଜେଡି ଓ କଂଗ୍ରେସ ।