୫ରୁ ୪ ରାଜ୍ୟରେ ପଦ୍ମରାଜ

ଭୁବନେଶ୍ବର: ୟୁପିରେ ପୁଣି ଚାଲିବ ଯୋଗୀ ରାଜ୍ । ପାୱାର ରେସରେ ପଛରେ ରହିଗଲା ଅଖିଳେଶଙ୍କ ସାଇକେଲ । ଉତ୍ତରାଖଣ୍ଡରେ ବିଜେପିର ହାଇ ଜୋଷ । ଗୋଆ ମଣିପୁରରେ ପଦ୍ମରାଜ୍ । ୫ ରାଜ୍ୟରୁ ୪ଟିରେ ବିଜେପିର ବୃହତ ବିଜୟ । ପଞ୍ଜାବ ବ୍ୟତୀତ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ଚାଲିବ ଗୈରିକରାଜ୍ ।

ବୁଲଡୋଜର ବାବାଙ୍କ ଉପରେ ୟୁପିର ଭରସା

ଉତ୍ତରପ୍ରଦେଶରେ ପ୍ରଥମ ଥର ଲାଗି ଲଗାତାର ଦୁଇ ଥର କ୍ଷମତାସୀନ ହେବାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରିଛନ୍ତି ରେକର୍ଡ । ରାଜ୍ୟରେ ବାହୁବଳୀଙ୍କ ବଦଳରେ ଆସିଲା ବଜରଙ୍ଗୀବାଲୀଙ୍କ ଶାସନ । ତେବେ ଗତଥର ତୁଳନାରେ ବିଜେପିର ଆସନ ସଂଖ୍ୟା କମ୍ ହୋଇଛି । ମୁଖ୍ୟ ବିରୋଧୀ ଦଳ ସମାଜବାଦୀ ପାର୍ଟି ପ୍ରାୟ ଦୁଇଗୁଣ ଅଧିକ ଆସନ ହାସଲ କରିଛି । ହେଲେ ମୁଖ୍ୟମନ୍ତ୍ରୀ ଚୌକିଠାରୁ ବହୁ ଦୂରରେ ରହିଯାଇଛି ।

ତେବେ କ’ଣ ରହିଲା ବିଜେପିର ଉଇନିଂ ଫାକ୍ଟର ? ଠାକୁର ବା ରାଜପୁତ, ବ୍ରାହ୍ମଣ ଓ ବଣିଆଙ୍କ ଭୋଟ ହେଲାନି ହାତଛଡ଼ା । ଏପରିକି ଜାଠ୍ ଭୋଟ ବି ହାତେଇବାରେ ସକ୍ଷମ ହେଲା ପଦ୍ମଦଳ । କୋଭିଡର ଦୁଃସ୍ଥିତି ଚିତ୍ରକୁ ନେଇ ବିଜେପି ନିନ୍ଦିତ ହୋଇଥିଲେ ବି ଏହାକୁ ଅସ୍ତ୍ର କରିବାରେ ବି ବିଫଳ ହେଲେ ବିରୋଧୀ । ଏହା ସହ ମାଗଣା ବିଜୁଳି, ଗହମ ଓ ଧାନ ଲାଗି ଏମଏସପି, ମାଗଣା ସ୍କୁଟର ତଥା କୃଷକଙ୍କ ଲାଗି ଯୋଜନା ବି ବିଜେପି ପାଇଁ ହେଲା ବରଦାନ । କଂଗ୍ରେସର ଦୁର୍ବଳ ନେତୃତ୍ବ, ଦଳିତ ବର୍ଗଙ୍କ ସହ ଗୋପନ ବୁଝାମଣା ବିଜେପିକୁ ପିନ୍ଧାଇଲା ମୁକୁଟ । ସମସ୍ତ ଚେଷ୍ଟା ସତ୍ତ୍ବେ ମୂଳପୋଛ ଅବସ୍ଥାକୁ ଆସିଛି କଂଗ୍ରେସ ।

ଉତ୍ତରାଖଣ୍ଡରେ ବିଜେପି ରିଟର୍ଣ୍ଣସ୍

ସେପଟେ ଉତ୍ତରାଖଣ୍ଡ କଥା ଦେଖିଲେ, ମାତ୍ର ୪ ମାସରେ ୩ ଜଣ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିଥିବା ବିଜେପି ମାରିଲା ବାଜିମାତ୍ । ଯଦିଓ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ପରାଜିତ ହୋଇଛନ୍ତି, ହେଲେ ଦଳ ଉତ୍ତରାଖଣ୍ଡ ଇତିହାସରେ ନୂଆ ଫର୍ଦ୍ଦ ଜୋଡିବାକୁ ସମକ୍ଷମ ହୋଇଛି । ରାଜ୍ୟ ଗଠନ ପରେ ଏଠାରେ ପ୍ରଥମ ଥର ପାଇଁ କୌଣସି ଦଳ ଲଗାତର ଦ୍ବିତୀୟ ଥର ପାଇଁ ସରକାର ଗଢିବାକୁ ଯାଉଛି ।

ତେବେ କ’ଣ ରହିଲା ଦଳର ବିଜୟର କାରଣ ? ଅବକି ବାର୍ ୬୦ ପାର୍ ସ୍ଲୋଗାନର ସଫଳତା ମୂଳରେ କାରଣ କ’ଣ ? ବିଜେପିର ଡବଲ ଇଞ୍ଜିନ ସ୍ଲୋଗାନ, ମାଗଣା ରାସନ, ସଫଳ କୋଭିଡ ପରିଚାଳନା, କଲ୍ୟାଣ ଯୋଜନା ହିଁ ବିଜେପିକୁ ପିନ୍ଧାଇଲା ମୁକୁଟ । କଂଗ୍ରେସ ନେତା ହରିଶ ରାଓ୍ବତଙ୍କ ଦୁର୍ବଳ ନିର୍ବାଚନ ପରିଚାଳନା ବି ବିଜେପିକୁ ହେଲା ସହାୟ ।

ବିବାଦୀୟ ଆଫପ୍ସା ହେଲା କି ମଣିପୁର ବିଜେପପିକୁ ସହାୟ ?

ମଣିପୁରରେ ପୁଣି ବିଜେପି ଲାଗି ମୂଲ୍ୟବାନ ସାବ୍ୟସ୍ତ ହୋଇଛି ବିବାଦୀୟ ଆଫପ୍ସା ପ୍ରସଙ୍ଗ । କେନ୍ଦ୍ରରେ ବିଜେପି ଶାସନ ଥିବାରୁ ଏହି ଆଇନକୁ ହଟାଇବା ଲାଗି ରାଜ୍ୟରେ ବିଜେପି ସରକାର ଦରକାର ବୋଲି ବିଚାର କରିଛନ୍ତି ରାଜ୍ୟବାସୀ । ଏହାସହ ରାଜ୍ୟର ବିକାଶ ଲାଗି ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରରୁ ଅଧିକ ପାଣ୍ଠି ଆସିବା ନେଇ ରାଜ୍ୟବାସୀ ଆଶା ରଖି ଭୋଟ ଦେଇଛନ୍ତି । ବିଜେପିର ପାର୍ବତ୍ୟାଞ୍ଚଳକୁ ଯାଅ ସ୍ଲୋଗାନକୁ ମଧ୍ୟ ଲୋକେ ପସନ୍ଦ କରିଛନ୍ତି । ଏହି କାରଣରୁ ପାର୍ବତ୍ୟାଞ୍ଚଳ ଓ ଉପତ୍ୟକା ଅଞ୍ଚଳରେ ବିଶେଷ ସଫଳତା ଲାଭ କରିଛି ବିଜେପି ।

ପ୍ରମୋଦଙ୍କ କ୍ଲିନ୍ ଇମେଜ ଦେଲା ଗୋଆ

ଗୋଆରେ କାମ କଲା ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତଙ୍କ କ୍ଲିନ୍ ଇମେଜ୍ । ବିଜେପି ଗଡଫାଦର ମନୋହର ପାରିକରଙ୍କ ପୁଅଙ୍କ ବିଦ୍ରୋହ ସତ୍ତ୍ବେ ଗୋଆରେ ଚାଲିଲା ପଦ୍ମରାଜ୍ । ଏହାସହ ସମସ୍ତ ଗାଁରେ ଘର ଯୋଜନା, ସ୍ବଳ୍ପ ସୁଧ ହାରରେ ଋଣ, ପ୍ରତି ପରିବାରକୁ ମାଗଣା ଏଲପିଜି ସ୍ଲୋଗାନ ବି ବିଜେପିକୁ ପିନ୍ଧାଇଲା ସଫଳତାର ମାଳ ।

ଅନ୍ୟପକ୍ଷରେ ବିରୋଧୀ କଂଗ୍ରେସର ଭୁଲ ଗୋଟି ଚାଳନା, ସଫଳ ନେତୃତ୍ବର ଅଭାବ, ଛୋଟ ଦଳ ସହ ନିର୍ବାଚନ ବୁଝାମଣାର ଅଭାବ ହିଁ ବିଜେପି ବିଜୟର ମୂଳ କାରଣ ବୋଲି ରାଜେନୖତିକ ବିଶେଷଜ୍ଞ ମତ ଦେଉଛନ୍ତି ।