ବିଜେପି ସାଂସଦଙ୍କ ଦାଦାଗିରି, ମଞ୍ଚ ଉପରେ କୁସ୍ତିଯୋଦ୍ଧାଙ୍କୁ ମାରିଲେ ଚାପୁଡା

ରାଞ୍ଚି: ଥମୁନି ଉତ୍ତରପ୍ରଦେଶ ବିଜେପି ନେତାଙ୍କ ଦାଦାଗିରି । ଚାଷୀଙ୍କ ଉପରେ ଗାଡି ଚଢାଇ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଜେଲରେ ଥିବାବେଳେ ଏବେ ଆଉ ଜଣେ ବିଜେପି ସାଂସଦଙ୍କ ଦାଦାଗିରି ଘଟଣା ପଦାକୁ ଆସିଛି । ଭାରତୀୟ କୁସ୍ତିସଂଘର ସଭାପତି ତଥା ସାଂସଦ ବ୍ରିଜ୍ ଭୂଷଣ ଶରଣ ସିଂ ଖୋଦ୍ ମଞ୍ଚ ଉପରେ ଜଣେ ଯୁବ କୁସ୍ତିଯୋଦ୍ଧାଙ୍କୁ ଚାପୁଡା ମାରିଛନ୍ତି । ନିଜର ସାମ୍ବିଧାନିକ ମର୍ଯ୍ୟାଦା ଭୁଲି ସାଂସଦ ମାଡ ମାରିଛନ୍ତି । ରାଞ୍ଚିର ଖେଲ ଗ୍ରାମରେ ଥିବା ସହିଦ ଗଣପତ ରାୟ ଇନଡୋର ଷ୍ଟାଡିୟମରେ ଚାଲିଥିବା ୧୫ ବର୍ଷରୁ କମ୍ ବୟସ୍କ ଜାତୀୟ ରେସଲିଂ ଚମ୍ପିଆନସିପର ପ୍ରଥମ ଦିନରେ ସେ ଚାପୁଡ଼ା ମାରିଥିଲେ ।

ବ୍ରିଜ୍ ଭୂଷଣ ମୁଖ୍ୟ ଅତିଥି ଭାବରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଚାପୁଡ଼ା ମାରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏକ ଛୋଟିଆ ଘଟଣାକୁ ନେଇ ଯୁବ କୁସ୍ତିଯୋଦ୍ଧାଙ୍କ ସମସ୍ୟା ସମାଧାନ କରିବା ବଦଳରେ ସେ ରାଗିଯାଇ ଚାପୁଡା ମାରିଥିଲେ । ଅତିଥିଙ୍କ ଗହଣରେ ବ୍ରିଜ୍ ଭୂଷଣ ବସିଥିଲେ ମଧ୍ୟ ସେ ଏହି ଅଶାଳୀନ କାଣ୍ଡ ଘଟାଇଥିଲେ । ବ୍ରିଜ୍ ଭୂଷଣ ଶରଣ ସିଂ ଉତ୍ତରପ୍ରଦେଶ କେସିଆରଗଞ୍ଜର ଲୋକସଭା ସାଂସଦ ଅଛନ୍ତି । ପୂର୍ବରୁ ସେ ଗୋଣ୍ଡା ଲୋକସଭା ନିର୍ବାଚନମଣ୍ଡଳୀରୁ ମଧ୍ୟ ପ୍ରତିନିଧିତ୍ୱ କରିଛନ୍ତି ।

 

Leave a Reply