ଜେଲ ଗଲେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ

ଦେବଗଡ଼:  ଜେଲ ଗଲେ ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ତିଳେଇବଣି ବ୍ଲକ ବିଡିଓଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ବିଧାୟକଙ୍କୁ ସିଜେଏମଙ୍କ ଆବାସିକ କାର୍ଯ୍ୟାଳୟରେ ହାଜର କରାଯାଇଥିଲା  । ହାଜର ପରେ ତାଙ୍କୁ 7 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି ଦେବଗଡ ସିଜେଏମ କୋର୍ଟ । ଏବେ ବିଧାୟକ 7 ଦିନ ଧରି ଦେବଗଡ଼ ସ୍ବତନ୍ତ୍ର ଉପକାରାଗାରରେ ରହିବେ । ମେଡିକାଲରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ହାଜତକୁ ପଠାଯାଇଛି ।

ସୂଚନା ଅନୁସାରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଦେବଗଡ଼ ଜିଲ୍ଲା ତିଳେଇବଣି ବିଡିଓଙ୍କୁ ଆକ୍ରମଣ କରିଥିଲେ । ବିଡିଓ ଫିଲ୍ଡ ଭିଜିଟ କରିବାକୁ ଯାଇଥିବାବେଳେ ଆକ୍ରମଣ କରିଥିଲେ ବିଧାୟକ । ସେହି ସମୟରେ ବିଡିଓଙ୍କ ସହ ତହସିଲଦାର ଓ ଜିଆରଏସ୍ ଉପସ୍ଥିତ ଥିଲେ । ଭାଲିଆଗୁଡ଼ି ଗାଁରେ ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ସହ ତାଙ୍କ ସହଯୋଗୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ୧୦ରୁ ଅଧିକ ବିଜେପି କର୍ମୀଙ୍କ ଆକ୍ରମଣରେ ବିଡିଓ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।

ପ୍ରାଥମିକ ଚିକିତ୍ସା ପରେ ବିଡିଓ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ସହିତ ଥାନାରେ ଏନେଇ ଅଭିଯୋଗ କରିଥିଲେ । ଆକ୍ରମଣକୁ ନିନ୍ଦା କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନନେଲେ ଆନ୍ଦୋଳନ ପାଇଁ ଜିଲ୍ଲା ଓଏଏସ ସଂଘ ଚେତାବନୀ ଦେଇଥିଲା । ବିଜେପି ବିଧାୟକଙ୍କ ଏଭଳି ଗୁଣ୍ଡାଗିରିକୁ ସବୁଠି ନିନ୍ଦା କରାଯାଇଥିଲା ।

ସେପଟେ ପୋଲିସର ତ୍ବରିତ କାର୍ଯ୍ୟାନୁଷ୍ଠାନ ପାଇଁ ଧନ୍ୟବାଦ ଜଣାଇଛି ଓଏଏସ୍ ସଂଘ । କାର୍ଯ୍ୟରତ ବିଡିଓଙ୍କୁ ଜଣେ ବିଧାୟକ ଆକ୍ରମଣ କରିବା ଘଟଣାକୁ ଓଏଏସ୍ ସଂଘ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କ ନିକଟରେ ଦାବି କରିଥିଲା । ଏହାସହ ବିଧାୟକଙ୍କ ସହଯୋଗୀ ଅନ୍ୟ ଯେଉଁମାନେ ଏହି ଅପରାଧରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଗିରଫ କରିବା ପାଇଁ ବି ସଂଘ ଦାବି କରିଥିଲା । ବିଧାୟକଙ୍କ ଗିରଫଦାରୀ ଖବର ନେଇ ସଂଘ ସଭାପତି ସନ୍ତୋଷ ପ୍ରକାଶ କରିଥିବା ବେଳେ ମାମଲାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରୁଛୁ ବୋଲି ସଂଘ ସମ୍ପାଦକ ଜ୍ୟୋତି ପ୍ରକାଶ ମିଶ୍ର କହିଛନ୍ତି । ଅଭିଯୁକ୍ତଙ୍କୁ ଆଇନ ଅନୁସାରେ ଦଣ୍ଡ ମିଳିବା ଦରକାର ବୋଲି ସଂଘ କହିଛି । କେବଳ ଶସ୍ତା ଲୋକପ୍ରିୟତା ପାଇଁ ବିଜେପି ବିଧାୟକ ଏମିତି କରିଛନ୍ତି, ଯାହା ଗଣତନ୍ତ୍ର ପାଇଁ ହାନିକାରକ ବୋଲି ଅଫିସର ସଂଘ କହିଛି ।