ଅତ୍ୟଧିକ ମଦ୍ୟପାନ କରି ଦୁର୍ଘଟଣା ଘଟାଇଲେ ବିଜେପି ଯୁବମୋର୍ଚ୍ଚା ଭୁବନେଶ୍ବର ଶାଖା ସଭାପତି ସ୍ବୟମ ସେବକ ରାୟ

ଭୁବନେଶ୍ବର: ବିଜେପି ଯୁବମୋର୍ଚ୍ଚା ଭୁବନେଶ୍ବର ଶାଖା ସଭାପତିଙ୍କ ଗାଡି ଦୁର୍ଘଟଣାଗସ୍ତ । ଅତ୍ୟଧିକ ମଦ୍ୟପାନ କରି ମର୍ମନ୍ତୁଦ ଦୁର୍ଘଟଣା ଘଟାଇଲେ ସ୍ବୟମ ସେବକ ରାୟ । ନିଶା ବିରୋଧୀ ନାରା ଦେଉଥିବା ବିଜେପି ନେତା ଏବେ ଦୁର୍ଘଟଣାର ସମ୍ମୁଖୀନ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ନନ୍ଦିଘୋଷ ଟିଭି ପକ୍ଷରୁ ଆମେ ଉଭୟଙ୍କ ଆଶୁ ଆରୋଗ୍ୟ କାମନା କରୁଛୁ । ଅତିଶୀଘ୍ର ସେମାନଙ୍କୁ ସୁସ୍ଥ କରିବାକୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି । ହେଲେ ନିଶାକୁ ବିରୋଧ କରୁଥିବା ନେତା ନିଜେ ମାତାଲ ହେବା କେତେଦୂର ଠିକ ବୋଲି ପ୍ରଶ୍ନ ଉଠିଛି ।

ନିଶାଚୁର ଅବସ୍ଥାରେ ଗାଡି ଦୁର୍ଘଟଣା କଲେ ଭୁବନେଶ୍ବର ବିଜେପି ଯୁବମୋର୍ଚ୍ଚା ସଭାପତି । ପ୍ରବଳ ମଦ ପିଇ ଟ୍ରକ ପଛକୁ ଧକ୍କା ଦେଲେ ସ୍ବୟମ  । ଗାଡ଼ିରେ ଥିବା ବିଜେପିର ମଣ୍ଡଳ ସଭାପତି ବି ଗୁରୁତର । ବିଜେପି ନେତାଙ୍କ ଆଚରଣ ଓ ଉଚ୍ଚାରଣ ଭିତରେ ଆକାଶ ପାତାଳ ଫରକ । ନିଶାଖୋର ଦୋମୁହାଁ ନେତାଙ୍କ ନିଶାମୁକ୍ତି ପାଇଁ ଓକିଲାତି । ସ୍ବୟମ ସେବକ ରାୟ । ବିଜେପି ଯୁବମୋର୍ଚ୍ଚା ଭୁବନେଶ୍ବର ଶାଖାର ସଭାପତି । ଆଉ ଏ ହେଉଛି ସ୍ବୟମଙ୍କ ଦୁର୍ଘଟଣାଗ୍ରସ୍ତ କଳା ରଙ୍ଗର ଫର୍ଚ୍ଚୁନର । ଗତ ରାତିରେ ନିଶାଚୁର ଅବସ୍ଥାରେ ସ୍ବୟମ ସେବକ ଓ ତାଙ୍କ ସହଯୋଗୀ ତଥା ବିଜେପିର ବରମୁଣ୍ଡା ମଣ୍ଡଳ ସଭାପତି ଜଗନ ନିଶାଶକ୍ତ ଅବସ୍ଥାରେ ଗାଡି ଚଲାଉଥିବା ବେଳେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତା କଡରେ ପାର୍କିଂ ହୋଇଥିବା ଗୋଟିଏ ଟ୍ରକକୁ ପିଟିଥିଲା ତାଙ୍କ କାର । ଉଭୟେ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ସେପଟେ ପୋଲିସ ଗାଡିଟିକୁ ଜବତ କରିଛି ।

ନୀତି ନୈତିକତାର ଦ୍ବାହି ଦେଇ ନିଶା ବିରୋଧରେ ନାରାବାଜି କରୁଥିବା ବିଜେପି ଦଳର ଅସଲ ଚେହେରା ପଦାକୁ ଆସିଛି । ଏମାନଙ୍କ ଉଚ୍ଚାରଣ ଓ ଆଚରଣ ଭିତରେ ଆକାଶ ପାତାଳ ଫରକ ରହିଛି ।  ରାଜ୍ୟରେ ମଦ ବିକ୍ରି ବଢୁଛି ବୋଲି ଅଭିଯୋଗ ଆଣିଥିଲା ବିଜେପି । ମଦ ବିକ୍ରି ଯୋଗୁଁ ଦୁର୍ଘଟଣା ଘଟୁଥିବା ଡିଣ୍ଡିମ ପିଟୁଥିଲେ ଦୋମୁହାଁ ନେତା । ଏହି ଫର୍ଚ୍ଚୁନର ଦୁର୍ଘଟଣା ପାଇଁ ଦାୟୀ କିଏ ? ଯଦି ଦୁର୍ଘଟଣାରେ କୌଣସି ଲୋକଙ୍କର ମୃତ୍ୟୁ ହୋଇଥାନ୍ତା ତେବେ ରାଜଧାନୀ ବାସୀଙ୍କ ନିକଟରେ କ’ଣ ସଫେଇ ରଖିଥାନ୍ତା ବିଜେପି ?