ଓଡ଼ିଶାରେ ଅଶାନ୍ତିର ବିଷ ମଞ୍ଜି ବୁଣୁଛି ବିଜେପି

ଭୁବନେଶ୍ବର: ଓଡ଼ିଶା ଶାନ୍ତିପ୍ରିୟ ରାଜ୍ୟ । ଏଠି ଭିନ୍ନ ଭିନ୍ନ ଜାତି, ଭିନ୍ନ ଭିନ୍ନ ସମ୍ପଦ୍ରାୟ ସବୁବେଳେ ଭାଇଚାର ସହ ରହିଥାନ୍ତି । ବିପଦଆପତ୍ତ ହେଉ କି ପର୍ବପର୍ବାଣୀ ନା ଦେଖନ୍ତି ଜାତି, ନା ଦେଖନ୍ତି ସମ୍ପ୍ରଦାୟ । କାନ୍ଧରେ କାନ୍ଧ ମିଶାଇ ପଡ଼ୋଶୀଙ୍କ ସୁଖଦୁଃଖରେ ହୋଇଥାନ୍ତି ଛିଡ଼ା । ଓଡ଼ିଶାର ଏହି ଶାନ୍ତିର ପ୍ରତୀକକୁ ଆଗକୁ ନେଇ ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ଥିର ସରକାର ଓ ବିକାଶର ବିଜୟ ଯାତ୍ରାରେ ଆଗକୁ ଆଗକୁ ବଢ଼ି ଚାଲିଛି ଓଡ଼ିଶା । ଆଧୁନିକ ଓଡ଼ିଶା ସ୍ବର୍ଣ୍ଣିମ ଇତିହାସ ଲେଖୁଥିବା ବେଳେ ବିଜେପି ସାଜିଛି ବିଭୀଷଣ । ଓଡ଼ିଶାର ଉନ୍ନତି ଓ ବିକାଶ ରାଜ୍ୟ ବିଜେପି ନେତାଙ୍କ ଦେହରେ ଶଣ୍ଢୁଆସି ପରି ଖେଞ୍ଚି ହେଉଛି । ସ୍ବାଭିମାନକୁ ଜଳାଞ୍ଜଳି ଦେଇ ରୀତିମତ ଚଲାଇଛି ହୀନ ଚକ୍ରାନ୍ତ । ଔଷଧ ବିକଳରେ ତାଟିଆ କାମୁଡ଼ିଲା ଭଳି ବିଜେଡିକୁ ବଦନାମ କରିବା ପାଇଁ ବିଷ ମଞ୍ଜି ବୁଣୁଛନ୍ତି ବିଜେପି ନେତା । ଆଇନଶୃଙ୍ଖଳାକୁ ହାତକୁ ନେଉଛନ୍ତି, ଅପ୍ରସଙ୍ଗକୁ ପ୍ରସଙ୍ଗ କରି ଓଡ଼ିଶା ଭଳି ଭାଇଚାରର ରାଜ୍ୟରେ ଅଶାନ୍ତିର ବିଜ ବୁଣୁଛନ୍ତି ।

ଦୁଇଦିନ ପରେ ଧାମନଗର ଉପନିର୍ବାଚନ । ହାରିବା ସୁନିଶ୍ଚିତ ଜାଣି ବିଜେପି ପଦଯାତ୍ରା ନାଟକ ରଚିଛି । ଅର୍ଚ୍ଚନା ନାଗ ଓ ଧର୍ମେନ୍ଦ୍ର ସାହୁଙ୍କ ପ୍ରସଙ୍ଗ ଉଠାଇ ରାଜଧାନୀ ରାଜରାସ୍ତାରେ ଡିଜେ ବଜାଇ ମାଙ୍କଡ଼ ନାଚ କରୁଛି । ହେଲେ ଉପନିର୍ବାଚନ ସମୟରେ ବିଜେପି ଦୁଇଟି ମାମଲାକୁ ଉଠାଇବାର ପ୍ରସଙ୍ଗତା କେତେ ରହିଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଜେପି ଉଠାଇ ଥିବା ଦୁଇଟି ମାମଲା ଏବେ ବିଚାରାଧୀନ ରହିଛି । ନିରପେକ୍ଷ ତଦନ୍ତ ପାଇଁ ସରକାର ତଦନ୍ତକାରୀ ସଂସ୍ଥାଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଆସିଛନ୍ତି । ଏହାକୁ ରାଜନୀତିର ରଙ୍ଗ ଦେଇ ବିଜେପି କ’ଣ ଦେଖାଇବାକୁ ଚାହୁଁଛି ? ଏହା ଗୋଟିଏ ଘଟଣା ନୁହେଁ, ଆଗରୁ ମଧ୍ୟ ବିଜେପିର ଏମିତି ନାଟକବାଜି ଓଡ଼ିଶାବାସୀ ଦେଖିଛନ୍ତି ଓ ଜବାବ ଦେଇଛନ୍ତି । ନିର୍ବାଚନ ସମୟରେ ବିଜେପିର ଏମିତି ନାଟକବାଜି ସାରା ରାଜ୍ୟ ଜାଣିଛି ।

ଅନ୍ୟପକ୍ଷରେ ରାଜଧାନୀରେ ବିଜେପିର ପଦଯାତ୍ରାକୁ ସବୁ ମହଲରେ ଥୁ ଥୁ କରାଯାଉଛି । ସାରା ରାଜ୍ୟରେ ବିଜେପିର ଏହି ହୀନ ରାଜନୀତିକୁ ନେଇ ବିରୋଧର ସ୍ବର ଉଠିବାରେ ଲାଗିଛି । ବିଜେପିର ଏ ରାଲି ଲୋକଙ୍କ ସ୍ବାର୍ଥ ନୁହେଁ, ନିଜ ସ୍ବାର୍ଥ ବୋଲି ଲୋକେ ଅଭିଯୋଗ କରିଛନ୍ତି ।

ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନାରୀ ଶକ୍ତିକୁ ସମ୍ମାନ ଦେଉଛନ୍ତି । ସ୍ବୟଂ ସହାୟିକା ଗୋଷ୍ଠୀ ମହିଳା ଆଜି ବିକାଶ ପଥରେ ଆଗେଇ ଚାଲିଛନ୍ତି । ହେଲେ ରାଜ୍ୟର ମହିଳାମାନଙ୍କ ଉନ୍ନତି ବିଜେପି ସହି ପାରୁନି । ବାରମ୍ବାର ଏସଏଚଜି ମହିଳାଙ୍କୁ ଅପମାନିତ କରିଚାଲିଛି ବିଜେପି । ଧାମନଗର ଉପନିର୍ବାଚନ ଏହାର ଏକ ଜ୍ବଳନ୍ତ ଉଦାହରଣ । ମୁହଁ ଘୋଡ଼ା ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଧାମନଗରରେ ଟଙ୍କା ବାଣ୍ଟଥିବା କହି ରାଜ୍ୟର ପ୍ରତିଟି ମାଆଙ୍କୁ ଅପମାନିତ କରିଛନ୍ତି । କେବଳ ରାଜ୍ୟ ବିଜେପି ନେତା ନୁହଁନ୍ତି, କେନ୍ଦ୍ରମନ୍ତ୍ରୀ ବି ମହିଳାଙ୍କୁ ଅପମାନିତ କରିବାରେ ପଛାଉ ନାହାନ୍ତି । କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଟୁ ଅପଶବ୍ଦ ପ୍ରୟୋଗ କରିବାକୁ ବି ପଛାଉ ନାହାନ୍ତି ।

ସେପଟେ ଅର୍ଚ୍ଚନା ନାଗ ଓ ଧର୍ମେନ୍ଦ୍ର ସାହୁ ମାମଲାକୁ ମୁଦ୍ଦା କରି ରାସ୍ତାରେ ଉତ୍ପାତ କରୁଥିବା ବିଜେପିର ରାଲିକୁ ନେଇ ଉଠିବାରେ ଲାଗିଛି ପ୍ରଶ୍ନ । ରାଲିରେ ଭିଡ଼ ବଢ଼ାଇବାକୁ ମହିଳାଙ୍କୁ ଅପମାନିତ କରୁଥିବା ବିଜେପି ବହୁ ସଂଖ୍ୟାରେ ମହିଳାଙ୍କୁ ସାମିଲ କରିଛି । ହେଲେ ରାଲିରେ ସାମିଲ ଏ ମହିଳାମାନେ ଜାଣି ନାହାନ୍ତି, କେଉଁ ଦଳ ପାଇଁ ଆନ୍ଦୋଳନ କରୁଛନ୍ତି ଓ କେଉଁ ପ୍ରସଙ୍ଗରେ ଆନ୍ଦୋଳନ ହେଉଛି । ସେପଟେ ରଜନୀତି ନାଁରେ ବିଜେପିର କୁତ୍ସିତ ମାନସିକତା ଆଜି ଦେଖିବାକୁ ମିଳିଛି ରାଜଧାନୀ ରାଜରାସ୍ତାରେ । ରାଜ୍ୟ ବିକାଶ, ମହିଳାଙ୍କ ଉନ୍ନତି, ବିଜେଡିକୁ ଜନ ସମର୍ଥନରେ ବିଜେପି ଏତେ ହତୋତ୍ସାହିତ ହୋଇ ଯାଇଛି ଯେ ହିତାହିତ ଜ୍ଞାନ ଭୁଲି କୁନି କୁନି ପିଲାଙ୍କ ହାତରେ ପଦ୍ମ ପତାକା ଧରାଇ ଦେଇଛି । ବିଜେପିର ଏଭଳି ନାଟକବାଜିକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।