ଦ୍ରୌପଦୀ ମୁର୍ମୁଙ୍କୁ ନେଇ ମୁହାଁମୁହିଁ ବିଜେପି-କଂଗ୍ରେସ, ପ୍ରଶ୍ନକାଳ, ଶୂନ୍ୟକାଳ ଠପ୍

ଭୁବନେଶ୍ବର: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କ ବିରୋଧରେ କଂଗ୍ରେସ ମୁଖପାତ୍ର ଅଜୟ କୁମାର ଦେଇଥିବା ବୟାନକୁ ନେଇ ବିଧାନସଭାରେ ଝଡ଼ । ମୁହାଁମୁହିଁ କଂଗ୍ରେସ ଓ ବିଜେପି । ଧୋଇଗଲା ପ୍ରଶ୍ନକାଳ । ତୁ ତୁ ମେଁ ମେଁ ଛାଡ଼ିବାକୁ ବିରୋଧୀଙ୍କୁ ବିଜେଡି କଲା ଅପିଲ ।

ବିରୋଧୀଙ୍କ ପାଇଁ ଅଚଳ ବିଧାନସଭା । ଚାଲି ପାରିଲାନି ପ୍ରଶ୍ନକାଳ କି ଶୂନ୍ୟକାଳ । ହୋଇପାରିଲାନି ମୁଲତବି ଆଲୋଚନା । ପ୍ଲାକାର୍ଡ ନାରାବାଜିରେ ହୁଲୁସ୍ତୁଲୁ ହେଲା ଗୃହ । କଂଗ୍ରେସ ଜାତୀୟ ମୁଖପାତ୍ର ଅଜୟ କୁମାର ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ଦେଇଥିବା ମନ୍ତବ୍ୟକୁ ନେଇ ବିଧାନସଭା ମୌସୁମୀ ଅଧିବେଶନ ଷଷ୍ଠ ଦିନରେ ଝଡ଼ ସୃଷ୍ଟି ହୋଇଛି । ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ବିଜେପି ବିଧାୟକମାନେ ଏହା ବିରୋଧରେ ନିନ୍ଦା ପ୍ରସ୍ତାବ ଦାବି କରି ପ୍ଲାକାର୍ଡ ଧରି ହଙ୍ଗାମା କରିଥିଲେ । କଂଗ୍ରେସ ମଧ୍ୟ ଏହାର କାଉଣ୍ଟର ଜବାବ ଦେଇଥିଲା । କଂଗ୍ରେସ ବିଜେପିର ଏଭଳି ଆଚରଣକୁ ବିରୋଧ କରି ଗୃହ ମଧ୍ୟରେ ପାଟିତୁଣ୍ଡ କରିଥିଲା । ଫଳରେ ବାଚସ୍ପତି ଗୃହକୁ ପ୍ରଥମେ ସାଢ଼େ ୧୧  ଓ ପରେ ୪ଟା ଯାଏଁ ମୁଲତବି କରିଥିଲେ । କଂଗ୍ରେସ ମୁଖପାତ୍ର ଓ ରାହୁଲ ଗାନ୍ଧି ତୁରନ୍ତ ଏ ପ୍ରସଙ୍ଗରେ କ୍ଷମା ମାଗିବାକୁ ଦାବି କରିଥିଲା ବିଜେପି ।  ସେପଟେ କଂଗ୍ରେସ କହିଥିଲା, ବ୍ୟକ୍ତିଗତ ଭାବେ ଆକ୍ଷେପ କରିବା ଠିକ ହୋଇନାହିଁ । କେବଳ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ପାଇଁ ବିଜେପି ଏପରି ଡ୍ରାମା କରିଛି ।

ଏପଟେ ବିଧାନସଭାକୁ ବିରୋଧୀ ଅଚଳ କରିବାକୁ ନାପସନ୍ଦ କରିଛି ବିଜେଡି । ଦୁଇ ବିରୋଧୀ ତୁ ତୁ ମେଁ ମେଁ ଛାଡ଼ିବା ପାଇଁ ଦଳ ପରାମର୍ଶ ଦେଇଥିଲା । ଗୃହକୁ ସ୍ବାଭାବିକ କରିବା ପାଇଁ ବିରୋଧୀ ସହଯୋଗ କରିବା ଦରକାର ବୋଲି ଶାସକ ଦଳ କହିଛି ।

ଅପରାହ୍ନ ଅଧିବେଶନ ଆରମ୍ଭ ହେବା କ୍ଷଣି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଭିନ୍ନ ପ୍ରସଙ୍ଗକୁ ନେଇ କଥା କଟାକଟି ହୋଇଥିଲେ ।