ପୁଣି ଫଟୋ ରାଜନୀତି ଆରମ୍ଭ କଲା ବିଜେପି

ଭୁବନେଶ୍ବର: ପୁଣି ଥରେ କିଛି ଫଟୋକୁ ନେଇ ରାଜନୀତି ଆରମ୍ଭ କରିଛି ବିଜେପି । ବିଧାନସଭାରେ କିଛି ଫଟୋକୁ ନେଇ ସରକାର, ସରକାରୀ ଅଧିକାରୀ ଓ ବରିଷ୍ଠ ନେତାଙ୍କୁ ବଦନାମ କରିବାକୁ ଚେଷ୍ଟା କରିଛନ୍ତି ବିରୋଧୀ ଦଳ ନେତା । ଏହାକୁ ନେଇ ବର୍ଷିଛି ବିଜେଡି । ବିଜେପିର ଫଟୋ ରାଜନୀତିକୁ କଟୁ ସମାଲୋଚନା କରିବା ସହ ରାଜ୍ୟରେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ଚାଲିଛି । ସେ ସରକାର ଓ ପ୍ରଶାସନର ସର୍ବୋଚ୍ଚ କର୍ତ୍ତା । କିନ୍ତୁ ବାରମ୍ବାର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ସାମ୍ମନହାନୀ କରୁଛନ୍ତି ବିରୋଧୀ । ଏଭଳି ଅଭିଯୋଗ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଂଜନ ପୂଜାରୀ । ସେ ମୁଖ୍ୟମନ୍ତ୍ରୀଙ୍କୁ ନମସ୍କାର କରୁଥିବା ଫଟୋକୁ ଏଡିଟ କରି ଦେଖାଉଛନ୍ତି ବିରୋଧୀ । ବାରମ୍ବାର ବିରୋଧୀ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନହାନୀ କରୁଛନ୍ତି ବୋଲି କହିଛନ୍ତି ।

ସେହିଭଳି ବିଜେପିର ଫଟୋ ରାଜନୀତି ଉପରେ ବର୍ଷିଛନ୍ତି ବିଧାୟକ ଅରୁଣ ସାହୁ । ବିଜେପି ଗୋବେଲ୍ସ ଥିଓରୀ ଆପଣାଇ ତିନି ତୁଣ୍ଡରେ ଛେଳିକୁ କୁକୁର କରିବାକୁ ଅପଚେଷ୍ଟା କରୁଛ । ଯେଉଁଥିପାଇଁ ବିଜେପି ବାରମ୍ବାର ଓଡିଶାରେ ପ୍ରତ୍ୟାକ୍ଷାତ ହେଉଛି । ବିଜେପିର ଚକ୍ରାନ୍ତକୁ ଓଡିଶାବାସୀ ବୁଝି ସାରିଛନ୍ତି । ବିଧାନସଭାରେ ଲୋକଙ୍କ ସ୍ବାର୍ଥକୁ ଗୁରୁତ୍ବ ନେଇ ଅଜଥା ରାଜନୀତି କରୁଛନ୍ତି ବିରୋଧୀ । ନିର୍ବାଚିତ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ନଖ ଓ ମାଉଁସ ସଦୃଶ ।  ସେମାନେ ଉଭୟ ଉଭୟଙ୍କ ପରିପୂରକ । ଜନପ୍ରତିନିଧି ଓ ସରକାରୀ ଅଧିକାରୀ ସମସ୍ତେ ସାଧାରଣ  ଲୋକଙ୍କ ସେବା ପାଇଁ କାମ କରୁଛନ୍ତି । କିନ୍ତୁ ବିରୋଧୀ ଦଳ ଏକଥାକୁ ବୁଝୁନାହାଁନ୍ତି କି ବୁଝିବାକୁ ଚେଷ୍ଟା କରୁନାହାଁନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାର ଦାୟିତ୍ବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର । କିନ୍ତୁ ବିରୋଧ ଏଭଳି ସେବା ମନୋବୃତିର ତତ୍ବକୁ ଭିନ୍ନ ଭାବେ ଚିତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି ।