ପଞ୍ଚାୟତ ଉପନିର୍ବାଚନରେ ବିଜେଡିର ବୃହତ ବିଜୟ, ଶାସକ ଦଳକୁ ଶକ୍ତ ଧକ୍କା
ଭୁବନେଶ୍ବର: ପଞ୍ଚାୟତ ଉପନିର୍ବାଚରେ ବିଜେଡିର ଦମଦାର ବିଜୟ । ରାଜ୍ଯର ୩ ବ୍ଲକ ଅଧ୍ଯକ୍ଷ, ଗୋଟିଏ ଉପାଧ୍ଯକ୍ଷ ଓ ଗୋଟିଏ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଆସନରେ ହୋଇଥିବା ଉପନିର୍ବାଚନରେ ବିଜେଡି ହାସଲ କରିଛି ବୃହତ ବିଜୟ । ଭାପୁର ଓ ରାଇଘର ବ୍ଲକ ଅଧ୍ଯକ୍ଷ ସହ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ଯକ୍ଷ ପଦ ଜିତି ନେଇଛନ୍ତି ବିଜେଡି ପ୍ରାର୍ଥୀ । ଖଲ୍ଲିକୋଟ ପଞ୍ଚାୟତ ସମିତି ଅଧ୍ଯକ୍ଷ ଓ ହରଭଙ୍ଗା ବ୍ଲକ ଉପାଧ୍ଯକ୍ଷ ପଦକୁ ନିଜ ଅକ୍ତିଆରରେ ରଖିଛି ବିଜେପି ।
ପଞ୍ଚାୟତ ଉପନିର୍ବାଚନରେ ପାଓ୍ବାର ଶୋ’ ଦେଖାଇଛି ବିଜେଡି । କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦରେ ଏକତରଫା ବିଜୟ । ଅଭେଦ୍ଯ ରହିଲା ଭାପୁର ଓ ରାଇଘର ଗଡ଼ । ସାଧାରଣ ନିର୍ବାଚନର ଦୁଇ ମାସ ପରେ ଗାଁରେ ଦେଖାଦେଇଛି ରାଜନୀତି ତାତି । ରାଜ୍ଯରେ ଖାଲି ପଡ଼ିଥିବା ୩ ବ୍ଲକ ଅଧ୍ଯକ୍ଷ, ଗୋଟିଏ ଉପାଧ୍ଯକ୍ଷ ଓ ଗୋଟିଏ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଆସନ ଉପନିର୍ବାଚନରେ ଦମଦାର ବିଜୟ ହାସଲ କରିଛି ବିଜୁ ଜନତା ଦଳ । ୩ ବ୍ଲକ ଅଧ୍ଯକ୍ଷ ପଦରୁ ୨ଟିରେ ବିଜେଡି ବିଜୟ ବାନା ଉଡ଼ାଇଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ଯକ୍ଷ ପଦରେ ନିର୍ଦ୍ବନ୍ଦ୍ବରେ ବିଜୟୀ ହୋଇଛି । ୩୨ ସଦସ୍ଯ ବିଶିଷ୍ଟ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦରେ ବିଜେଡି ୩୧ ଓ ବିଜେପିର ଗୋଟିଏ ଆସନରେ ଜିତିଥିଲା । ଅଧ୍ଯକ୍ଷ ଥିବା ଗୀତାଞ୍ଜଳୀ ସେଠୀ ଇସ୍ତଫା ଦେଇ ସାଧାରଣ ନିର୍ବାଚନରେ ବିଜେପିରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ । ଉପନିର୍ବାଚନରେ ବିଜେଡି ଲିଲିତା ଦାସଙ୍କୁ ପ୍ରାର୍ଥୀ କରିଥିଲା । ଅନ୍ଯ କେହି ପ୍ରାର୍ଥୀ ନଥିବାରୁ ସେ ନିର୍ଦ୍ବନ୍ଦ୍ବରେ ବିଜୟୀ ହୋଇଛନ୍ତି ।
ନୟାଗଡ଼ ଜିଲ୍ଲାର ଭାପୁର ଓ ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକକୁ ବି ଦଖଲ କରିଛି ବିଜେଡି । ପୂର୍ବରୁ ମଧ୍ଯ ଏହି ଦୁଇ ପଞ୍ଚାୟତ ସମିତି ଶଙ୍ଖ ଦଖଲରେ ରହିଥିଲା । ସାଧାରଣ ନିର୍ବାଚନରେ ଭାପୁର ବ୍ଲକ ଅଧ୍ଯକ୍ଷା ସାବିତ୍ରୀ ପ୍ରଧାନ ଇସ୍ତଫା ଦେଇ ବିଜେଡିରୁ ଖଣ୍ଡପଡ଼ା ବିଧାୟକ ପ୍ରାର୍ଥୀ ହୋଇଥିଲେ । ଉପନିର୍ବାଚନରେ ପ୍ରତିପକ୍ଷ କୌଣସି ପ୍ରାର୍ଥୀ ଦେଇ ନଥିବାରୁ ସେ ମଧ୍ୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ରାଇଘର ବ୍ଲକରେ ଅଧ୍ଯକ୍ଷ ଥିବା ନବୀନା ନାୟକ ଉମରକୋଟ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ହେବା ପରେ ଏଠାରେ ପଦ ଖାଲି ପଡ଼ିଥିଲା । ଉପନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ଗୁପ୍ତ ପ୍ରସାଦ ଝାଙ୍କର ୧୬ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ସମର୍ଥିତ ପ୍ରାର୍ଥୀ ତୃପ୍ତିରଞ୍ଜନ ମାଝୀ ୭ ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଛନ୍ତି । ସେପଟେ ଖଲ୍ଲିକୋଟ ବ୍ଲକ ଅଧ୍ଯକ୍ଷ ଏବଂ ହରଭଙ୍ଗା ବ୍ଲକ ଉପାଧ୍ଯକ୍ଷ ପଦରେ ବିଜେପି ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।
ଦୁଇଦିନ ତଳେ ନିମାପଡ଼ା ଏନଏସି ଅନାସ୍ଥା ଭୋଟରେ ବିଜୟୀ ହୋଇଥିଲା ବିଜେଡି । ଗୋଟିଏ ଭୋଟ ନାକଚ ହେବା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ସମୀର ଦାସଙ୍କୁ ଲାଗିଥିଲା ଶକ୍ତ ଝଟକା । ଏବେ ପଞ୍ଚାୟତ ନିର୍ବାଚନରେ ବୃହତ ବିଜୟ ତୃଣମୂଳସ୍ତରରେ ବିଜେଡିର ଲୋକପ୍ରିୟତକା ଓ ଗ୍ରହଣୀୟତାକୁ ପ୍ରମାଣିତ କରିଛି ।