ଚାଉଳ ପାଇଁ କେନ୍ଦ୍ର ବିରୋଧରେ ବିଜେଡିର ରଣହୁଙ୍କାର

ଭୁବନେଶ୍ୱର: ଚାଉଳ ପାଇଁ କେନ୍ଦ୍ର ବିରୋଧରେ ବିଜେଡିର ରଣହୁଙ୍କାର । ୧୫ ଓ ୧୬ ତାରିଖରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଚାଉଳ କାଟକୁ ନେଇ କେନ୍ଦ୍ର ଉପରେ ବର୍ଷିଲା କଂଗ୍ରେସ । ଗରିବଙ୍କ କଥା ଭୁଲି କେନ୍ଦ୍ର ପାଇଁ ରାଜ୍ୟ ବିଜେପିର ଓକିଲାତି । ଦୂର ହୋଇନି କୋଭିଡର କୁପ୍ରଭାବ । କିନ୍ତୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟବାସୀଙ୍କୁ କେନ୍ଦ୍ର ସରକାର ୫ କେଜି ଚାଉଳରୁ ବଞ୍ଚିତ କରିଛନ୍ତି । ଏହାର ପ୍ରତିବାଦରେ ପ୍ରଥମେ ବିଜେଡି ଗତ ୩ ତାରିଖରେ ପ୍ରେସମିଟ କରିବା ପରେ ପୂର୍ବପରି ୧୦ କେଜି ଦେବାକୁ ଦାବି କରିଥିଲା ।

ଏବେ ଓଡ଼ିଶାର ୩ କୋଟି ୨୫ ଲକ୍ଷ ଲୋକଙ୍କ ହକ୍‌ ପାଇଁ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ । ଆସନ୍ତା ୧୫ ଓ ୧୬ ତାରିଖରେ ସମସ୍ତ ପଞ୍ଚାୟତ, ବ୍ଲକ ଓ ଜିଲ୍ଲାସ୍ତରରେ ଆନ୍ଦୋଳନ କରିବ ବିଜେଡି । ପୂର୍ବପରି ୧୦ କେଜି ଚାଉଳ ଦେବାକୁ ଦଳ ଦାବି କରିବ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ କରି ଗରିବଙ୍କ ଭାତହାଣ୍ଡିରୁ କେନ୍ଦ୍ର ଚାଉଳ କାଢି ନେଇଛି । ଏହାଦ୍ବାରା କୃଷକମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଖାଦ୍ୟ ସାମଗ୍ରୀ କିଣିବାରେ କେନ୍ଦ୍ର ସରକାର ୨୦ ହଜାର କୋଟି ଟଙ୍କା ହ୍ରାସ କରିଛନ୍ତି । ଯାହାର ସିଧା ପ୍ରଭାବ ଚାଷୀଙ୍କ ଉପରେ ପଡ଼ିବ ବୋଲି ବିଜେଡି କହିଛି ।

ଚାଉଳ ପ୍ରସଙ୍ଗରେ ଓଡ଼ିଶାବାସୀଙ୍କ ପ୍ରତି ବୈମାତୃକ ମନୋଭାବ ନେଇ କେନ୍ଦ୍ର ବିରୋଧରେ ବିଜେଡି ଋଣହୁଙ୍କାର ଦେବା ପରେ କଂଗ୍ରେସ ମଧ୍ୟ କେନ୍ଦ୍ର ଉପରେ ବର୍ଷିଛି । ତୁରନ୍ତ କେନ୍ଦ୍ର ସରକାର ଗରିବଙ୍କୁ ପୂର୍ବପରି ୧୦ କେଜି ଚାଉଳ ଦେବା ସହ ଅନୁଦାନ କାଟ୍‌ ବନ୍ଦ କରି ସବସିଡି ବାବଦ ଅର୍ଥ ଦେବାକୁ କଂଗ୍ରେସ ଦାବି କରଛି । ନହେଲେ ଆଗାମୀ ଦିନରେ କେନ୍ଦ୍ର ବିରୋଧରେ ଆନ୍ଦୋଳନ ଚେତବାନୀ ଦେଇଛି କଂଗ୍ରେସ । କେନ୍ଦ୍ର ସରକାର ଓଡ଼ିଶା ହିତାଧିକାରୀଙ୍କ ୫ କେଜି ଚାଉଳ କାଟିଥିଲେ ମଧ୍ୟ ବିଜେପି କିନ୍ତୁ ସଂସଦରେ ଚୁପ ରହିଛି । ରାଜ୍ୟ ବିଜେପି ମଧ୍ୟ ରାଜ୍ୟବାସୀଙ୍କ ହକ୍‌ ଭୁଲି କେନ୍ଦ୍ର ପାଇଁ ଓକିଲାତି କରିବାକୁ ପଛାଇ ନାହିଁ ।