ଏହି ଘଟଣା କେବଳ ମୋର ପରିବାର ପାଇଁ ନୁହେଁ, ଭୁବନେଶ୍ୱରବାସୀଙ୍କ ସୁରକ୍ଷାକୁ ନେଇ ଚିନ୍ତିତ : ନିରଞ୍ଜନ ପଟ୍ଟନାୟକ

1 min read

ଭୁବନେଶ୍ବର: ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ଵର। ଚୋରି, ରାହାଜାନୀ, ଛିନତାଇ ବଢ଼ିଛି। ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ । ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଭୁବନେଶ୍ଵର ଘରୁ ଚୋରି ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ନିରଞ୍ଜନ ପ୍ରଶ୍ନ ଉଠାଇଛନ୍ତି । ସୋସିଆଲ ମିଡିଆରେ ସେ ପୋଷ୍ଟ କରିଛନ୍ତି- ଏହି ଘଟଣା କେବଳ ମୋର ପରିବାର ପାଇଁ ନୁହେଁ । ସମସ୍ତ ଭୁବନେଶ୍ୱରବାସୀଙ୍କ ସୁରକ୍ଷାକୁ ନେଇ ଚିନ୍ତିତ। ସରକାର ଓ ଆଇନଶୃଙ୍ଖଳାର ଅବହେଳା କାରଣରୁ ଲୋକଙ୍କ ଘର, ସାହି ଏବଂ ସମ୍ପଦ ବିପଦରେ ପଡ଼ିଛି । ଓଡ଼ିଶା ପୋଲିସ ଜନତାଙ୍କ ସୁରକ୍ଷା ନିଶ୍ଚିତ କରନ୍ତୁ । ଲୋକଙ୍କ ସୁରକ୍ଷା ବିଜେପି ସରକାରଙ୍କ ସର୍ବପ୍ରଥମ ପ୍ରାଥମିକତା ହେବା ଉଚିତ ବୋଲି ସୋସିଆଲ୍ ମିଡିଆରେ ପୋଷ୍ଟ କରି କହିଛନ୍ତି ନିରଞ୍ଜନ ।

ସେପଟେ ବିଜେଡି ବିଧାୟକ କଳିକେଶ ସିଂହଦେଓ ମଧ୍ୟ କଡ଼ା ସମାଲୋଚନା କରି କହିଛନ୍ତି, ଡବଲ ଇଂଜିନ ସରକାରରରେ ଆଇନ ଶୃଙ୍ଖଳା ବୋଲି କିଛି ନାହିଁ। ଡବଲ ଇଞ୍ଜିନରେ ପୂର୍ବରୁ ଗୋଟେ ଇଂଜନ ଫେଲ୍ ହୋଇଯାଇଥିଲା  । ଏବେ ଦୁଇଟା ଯାକ ଇଞ୍ଜିନ ଫେଲ  । ଭୁବନେଶ୍ଵରରୁ ବଲାଙ୍ଗିର ଯାଏ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ  । ବରିଷ୍ଠ କଂଗ୍ରେସ ନେତାଙ୍କ ଘରୁ ଚୋରି ହୋଇଛି। ହେଲେ ସରକାର ଯେପରି ପଦକ୍ଷେପ ନେବା କଥା, ନେଉ ନାହାନ୍ତି। ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ତା ଉପରେ ସରକାର ଧ୍ୟାନ ଦିଅନ୍ତୁ। ଚୋରି, ଡକାୟତି ବଢିଛି, ହତ୍ୟା ବି ବଢ଼ିଛି  । ଲୋକେ କିପରି ସୁରକ୍ଷିତ ରହିବେ ବୋଲି ପ୍ରଶ୍ନ କରିଛନ୍ତି କଳିକେଶ ସିଂହଦେଓ।

ସେପଟେ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣା ନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି, ଏତଲା କରାଯାଇଛି। ସମସ୍ତ ସିସିଟିଭି ଯାଞ୍ଚ କରାଯାଇଛି । ନିରଞ୍ଜନଙ୍କ ପରିବାର ସଦସ୍ୟଙ୍କ ସହଯୋଗରେ ତଦନ୍ତ ଚାଲିଛି । ତଦନ୍ତ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ ସୁରାଗ ମିଳିଛି। ସେହି ତଥ୍ୟ ଆଧାରରେ ଛାନଭିନ ଚାଲିଛି । ଖୁବ ଶୀଘ୍ର ଅଭିଯୁକ୍ତ ପାଖେ ପହଞ୍ଚିବ କମିଶନରେଟ ପୋଲିସ।