ପ୍ରଶାସନିକ ବିଷୟକୁ ନେଇ ବିଜେପିର ରାଜନୀତି ନିନ୍ଦନୀୟ: ବିଜେଡି

ଭୁବନେଶ୍ୱର: ପ୍ରଶାସନିକ ବିଷୟକୁ ନେଇ ବିଜେପିର ରାଜନୀତି ନିନ୍ଦନୀୟ ବୋଲି କହିଛି ବିଜେଡି । ସରକାରୀ ଅଫିସରଙ୍କୁ ଟାର୍ଗେଟ କରୁଛି ବିଜେପି । ରାଜ୍ୟ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ସଚିବ ଭାବେ ଶ୍ରୀ ମନୋଜ ମିଶ୍ର ସଫଳତାର ସହ କାମ କରିବା ସହିତ ଓଡିଶାକୁ ଖ୍ୟାତନାମା ଆଇଟି କମ୍ପାନୀମାନଙ୍କୁ ଆଣି ଏଠାରେ ଯୁବକ ଯୁବତୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୃଷ୍ଟି କରିଛନ୍ତି ।

ଏଭଳି ସଫଳତାକୁ ଦିନଟିଏ ହେଲେ ପ୍ରଂଶସା କରିନଥିବା ବିଜେପି ପୁନଃ ନିଯୁକ୍ତିକୁ ନେଇ ଭୟଭୀତ ହେବା ସହିତ ଯେଭଳି ପ୍ରଶ୍ନ ଉଠାଇବାରେ ଲାଗିଛି ତାହା ନିନ୍ଦନୀୟ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ । ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଗୌତମ ବୁଦ୍ଧ ଦାସ କହିଛନ୍ତି ଯେ ମନୋଜ ମିଶ୍ର ଦୀର୍ଘ ଦିନ ଧରି ଆଇଟି ସଚିବ ଭାବେ କାର୍ଯ୍ୟ କରିଆସୁଛନ୍ତି । ତାଙ୍କର କାର୍ଯ୍ୟକାଳ ମଧ୍ୟରେ ଅନେକ ନାମୀ ଦାମୀ ଆଇଟି କମ୍ପାନୀ ଓଡିଶାକୁ ଆସିବା ଫଳରେ ଓଡିଆ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ।  ସେତେବେଳେ କିନ୍ତୁ ବିଜେପି ପଦୁଟିଏ ହେଲେ ପ୍ରଶଂସା କରୁନଥିଲା ।

ବର୍ତ୍ତମାନ ମନୋଜ ମିଶ୍ରଙ୍କ ପୁନଃ ନିଯୁକ୍ତିକୁ ନେଇ ବିଜେପି କାହିଁକି ଭୟଭୀତ ବୋଲି ବିଜେଡି ପ୍ରଶ୍ନ କରିଛି । ମନୋଜ ମିଶ୍ର ରାଜ୍ୟ ସରକାରଙ୍କ ଅନ୍ୟ ଅଧିକାରୀଙ୍କ ଭଳି ଜଣେ ହୋଇଥିବାରୁ ତାଙ୍କୁ ବିଜେପି କାହିଁକି ଟାର୍ଗେଟ କରୁଛନ୍ତି ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି । କେନ୍ଦ୍ର ସରକାରଙ୍କ ଏକାଧିକ ଅଧିକାରୀଙ୍କୁ ନିଯୁକ୍ତି ଦେଉଥିବାବେଳେ ବିଜେଡି କିନ୍ତୁ ଥରୁଟିଏ ହେଲେ ଏ ନେଇ ପ୍ରଶ୍ନ କରିନାହିଁ । ଏ ସବୁ ହେଉଛି ପ୍ରଶାସନିକ ବିଷୟ । ତେଣୁ ସରକାରୀ କର୍ମଚାରୀଙ୍କୁ ଟାର୍ଗେଟ କରିବା ଏବଂ ଅଧିକାରୀ ନିଯୁକ୍ତି ଉପରେ ରାଜନୀତି ଖେଳ ବନ୍ଦ କରି ଓଡିଶାର ବିକାଶ ପ୍ରସଙ୍ଗରେ ବିଜେପି ରାଜନୀତି କରିବା ଆବଶ୍ୟକ ବୋଲି ଗୌତମ ବୁଦ୍ଧ ଦାସ କହିଛନ୍ତି ।