ଶହେ ଦିନର କାମକୁ ନେଇ ବିଜେପି ସରକାରକୁ ବିଜେଡିର ଟାର୍ଗେଟ

ଭୁବନେଶ୍ବର: ଆଗକୁ ଯିବା ବଦଳରେ ପଛକୁ ଚାଲିଛି ବିଜେପିର ୧୦୦ ଦିନିଆ ସରକାର । ତୃତୀୟ ପାଳିରେ କେନ୍ଦ୍ର ବିଜେପି ସରକାର ପଛକୁ ଚାଲିଛନ୍ତି ବୋଲି କହି କଟାକ୍ଷ କରିଛି ବିଜେଡି । ବିଜେପିର ୧୦୦ ଦିନର ଶାସନକୁ ସମାଲୋଚନା କରି ବିଜେଡି କହିଛି, କେନ୍ଦ୍ର ସରକାର ବିଭିନ୍ନ ପ୍ରସଙ୍ଗରେ ପଛଘୁଞ୍ଚା ଦେଇଛନ୍ତି ।

ପିଏମୱାଇ ଆବାସ ସମ୍ପର୍କରେ କଡ଼ା ସମାଲୋଚନା କରି ବିଜେଡି କହିଛି, ୩ କୋଟି ପିଏମ୍ ଆବାସ ଦେବା ପାଇଁ ବିଜେପି ସରକାର ଘୋଷଣା କରିଛନ୍ତି । ହେଲେ ଏଥିପାଇଁ ବଜେଟରେ ପ୍ରାବଧାନ ରଖିନାହାଁନ୍ତି । ୨୦୨୨ ସୁଦ୍ଧା ଦେଶରେ ସବୁ କଚ୍ଚା ଘରକୁ ପକ୍କା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ତେବେ ୨୦୨୪ରେ ଆଉ କଚ୍ଚା ଘର କୁଆଡୁ ଆସିଲା ବୋଲି ଦଳ ପ୍ରଶ୍ନ କରିଛି ।

ସେହିପରି ଓଡିଶାକୁ ୨୦ ଲକ୍ଷ ଘର ଦେବାକୁ ତତ୍କାଳୀନ ସରକାର ଦାବି କରିଥିଲେ । ହେଲେ ବିଜେପି ସରକାର ମାତ୍ର ୮ରୁ ୯ ଲକ୍ଷ ଘର ଦେଇ ପରେ ୩ ଲକ୍ଷ ଘର ଫେରାଇ ନେଲେ ବୋଲି ବିଜେଡି ଅଭିଯୋଗ କରିଛି ।

ବିଶ୍ବରେ ଅଶୋଧିତ ତୈଳଦର ହ୍ରାସ ହେଉଥିବାବେଳେ ଭାରତରେ ପେଟ୍ରୋଲ ଡିଜେଲ ଦର ହ୍ରାସ ପାଉନି । ଦରଦାମ ବୃଦ୍ଧି ଓ ନିଯୁକ୍ତି କ୍ଷେତ୍ରରେ ବି ବିଜେପିର ଭୂଆଁ ବୁଲାଇବା ନୀତିକୁ ବିଜେଡି ପଦାରେ ପକାଇଛି । ବିଶ୍ବଗୁରୁ ବୋଲାଉଥିଲେ ମଧ୍ଯ ଭାରତର ପଡ଼ୋଶୀ ରାଷ୍ଟ୍ରଙ୍କ ସହ ସମ୍ପର୍କ ଭଲ ନାହିଁ । ଏପଟେ ରାଜ୍ଯରେ ବିଜେପି ସରକାର ଘରେ ନପଶୁଣୁ ଚାଳ ବାଜିଲାଣି ବୋଲି ଦଳ କହିଛି ।

ମୋହନ ସରକାର କେବଳ ରଙ୍ଗ ଓ ନାମ ବଦଳାଇବାରେ ୧୦୦ ଦିନ ସାରି ଦେଇଥିବା ବିଜେଡି କହିଛି । ଓମଫେଡ୍ ରଙ୍ଗ ବଦଳେଇ ଓଜନ କମେଇ ଦର ବଢେଇ ଦେଲେ । ୫ ହଜାର ଟଙ୍କା ଦେଇ ଓଡ଼ିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି କେମିତି ସୃଷ୍ଟି କରିବେ ଜବାବ ଦେବାକୁ ବିଜେଡି ଦାବି କରିଛି । ଦରଦାମ ବୃଦ୍ଧି, ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ, ରାଜ୍ଯପାଳଙ୍କ ପୁଅ ଓଡ଼ିଆ ଏଏସଓଙ୍କୁ ମାଡ଼ ମାରିବା, ଟିକିଟି ମଦମୃତ୍ଯ, ଭରତପୁର ଥାନାରେ ମେଜରଙ୍କୁ ମାଡ଼ ପ୍ରସଙ୍ଗରେ ବି ପ୍ରବଳ ବର୍ଷିଛି ବିଜେଡି । ବିଜେଡି କହିଛି ଥାନାଗୁଡିକ ଏବେ ବିଜେପିର ସେକେଣ୍ଡ ପାର୍ଟି ଅଫିସ ହୋଇଯାଇଛି । ରାଜ୍ଯରେ ସାଂପ୍ରଦାୟିକ ହିଂସା, ମହିଳାଙ୍କ ଉପରେ ଅତ୍ୟାଚାର ବଢିଛି । ଅନ୍ଯ ରାଜ୍ଯକୁ କେନ୍ଦ୍ର ସହାୟତା ଦେଉଥିବାବେଳେ ଓଡ଼ିଶାକୁ କ’ଣ ସ୍ବତନ୍ତ୍ର ଅନୁଦାନ ଦେଇଛନ୍ତି ବୋଲି ଜବାବ ରଖିବାକୁ ବିଜେଡି ଆହ୍ବାନ ଦେଇଛି ।

ଅନ୍ଯପଟେ ମହାନଦୀ, ପୋଲାଭରମ, କୋଟିଆକୁ ନେଇ ଓଡ଼ିଆ ଅସ୍ମିତା କୁଆଡ଼େ ଗଲା ବୋଲି ଦଳ ପ୍ରଶ୍ନ କରିବା ସହ ଶିକ୍ଷକମାନଙ୍କୁ ଭାରତୀୟ ଜନତା ପାର୍ଟିର ସଦସ୍ୟ ଭାବେ ଗ୍ରହଣ କରିବା ଘୋଷଣାକୁ ନେଇ ପ୍ରବଳ ବର୍ଷିଛି ।