ବିଜେପିର କାର୍ଯ୍ୟକାରିଣୀକୁ ନେଇ ବର୍ଷିଲା ବିଜେଡି; କର୍ମୀଙ୍କ ମନରେ ଉତ୍ସାହ ଭରିବାକୁ ବୈଠକ ହୋଇଥିଲା

ଭୁବନେଶ୍ୱର: ଓଡ଼ିଶା ବିଜେପିର କାର୍ଯ୍ୟକାରିଣୀକୁ ନେଇ ବିଜେଡିର ପ୍ରେସମିଟ୍ । ପ୍ରେସମିଟରେ ବିଜେପି ଉପରେ ବର୍ଷିଛନ୍ତି ଲେନିନ ମହାନ୍ତି । ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ଜିଲ୍ଲା ପରିଷଦ ନିର୍ବାଚନରେ ହାରିବା ପରେ ବିଜେପି ନିରାଶ ହୋଇଯାଇଛି । ଏଣୁ କର୍ମୀଙ୍କ ମନରେ ଉତ୍ସାହ ଆଣିବାକୁ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକ କରାଯାଇଥିବା ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ।

ଲୋକଙ୍କ ସମସ୍ୟା ସମ୍ପର୍କରେ ଓଡ଼ିଶା ବିଜେପି କେବେ ଚର୍ଚ୍ଚା କରେନି । ବିଜେପିର ଆଭିମୁଖ୍ୟ ମିଥ୍ୟା ଉପରେ ଆଧାରିତ । ସେଥିପାଇଁ ରାଜ୍ୟବାସୀଙ୍କ ଦ୍ବାରା ଦଳ ବାରମ୍ବାର ପ୍ରତ୍ୟାଖ୍ୟାତ ହୋଇଛି । ରାଜ୍ୟରୁ ୮ଜଣ ବିଜେପି ସାଂସଦ ନିର୍ବାଚିତ ହୋଇଛନ୍ତି । ସେମାନଙ୍କୁ ଏବେ ଓଡ଼ିଶାବାସୀ ପ୍ରଶ୍ନ କରିବେ । ଗରିବ ଲୋକଙ୍କ ଘର କାଟିବାକୁ କ’ଣ ନିର୍ବାଚିତ ହୋଇଛି ବୋଲି ରାଜ୍ୟବାସୀ ପ୍ରଶ୍ନ କରିବେ ।

ପ୍ରଧାନମନ୍ତ୍ରୀ ଗ୍ରାମୀଣ କଲ୍ୟାଣ ଅନ୍ନ ଯୋଜନାରେ ଚାଉଳ ବନ୍ଦ କରି ୩ କୋଟି ୨୫ ଲକ୍ଷ ଲୋକଙ୍କ ପେଟରେ ଲାତ ମାରିଛି କେନ୍ଦ୍ରର ବିଜେପି ସରକାର । ଏ ସମ୍ପର୍କରେ ବିଜେପି କେବେ ଚର୍ଚ୍ଚା କରିନି । ବିଜେପି ସାଂସଦ ଲୋକଙ୍କ ସହିତ କି ସମସ୍ୟା ସହ ନାହାନ୍ତି ବୋଲି ଲେନିନ ଅଭିଯୋଗ କରିଛନ୍ତି । ଦୁର୍ବଳ ଓ ହତାଶ କ୍ୟାଡରଙ୍କ ମନରେ ଉତ୍ସାହ ଭରିବା ପାଇଁ କାର୍ଯ୍ୟକାରିଣୀ ବୈଠକ କରାଯାଇଛି ବୋଲି ବିଜେଡି କହିଛି ।