ନନ୍ଦିଘୋଷ ବ୍ୟୁରୋ: ବାତ୍ୟା ‘ଅର୍ଣ୍ଣବ’ର ତାଣ୍ଡବରେ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଭୟଙ୍କର ଭୂସ୍ଖଳନ ଘଟିଛି । ଉଭୟ ଜିଲ୍ଲାର ସୀମାନ୍ତରେ ଥିବା ଭଞ୍ଜନଗର ବ୍ଲକ ବାଇବାଲି ପଞ୍ଚାୟତ ଅନ୍ତର୍ଗତ ଗିଡ଼ିପାବାଲି ଗ୍ରାମ ମଧ୍ୟ ଭୟଙ୍କର ଭୂସ୍ଖଳନର ଶିକାର ହୋଇଛି। ପାହାଡ଼ରୁ ମାଟି, ପଥର, ଗଛ ଓ ପାଣି ମାଡ଼ି ଆସିବାରୁ ସମ୍ପୂର୍ଣ୍ଣ ଗ୍ରାମଟି ଧ୍ୱଂସସ୍ତୂପରେ ପରିଣତ ହୋଇଛି। ଏହି ଘଟଣାରେ ୧୩ ଜଣ ନିଖୋଜ ହୋଇଛନ୍ତି । ୧୧ ଜଣ କତିଙ୍ଗିଆ ପଞ୍ଚାୟତର କିଲାପାଙ୍ଗା ପ୍ରାଥମିକ ବିଦ୍ୟାଳୟରେ ଖୋଲାଯାଇଥିବା ଅସ୍ଥାୟୀ ଆଶ୍ରୟସ୍ଥଳରେ ଆଶ୍ରୟ ନେଇଥିବା ଜିଲ୍ଲାପାଳ କହିଛନ୍ତି l ଅନ୍ୟ ଦୁଇ ଜଣ ମହିଳାଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ଦୁଇ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଘୁ. ଉଦୟଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଗିଡ଼ିପାବାଲି ଗାଁରେ ୯ଟି ପରିବାରର ୨୬ ଜଣ ରହୁଥିଲେ । ରାତି ପ୍ରାୟ ୩ଟାରେ ଭୂସ୍ଖଳନ ହୋଇଥିଲା। ହଠାତ୍ ଏକ ଭୟଙ୍କର ଶବ୍ଦ ଶୁଣାଗଲା। କିଛି ବୁଝିବା ପୂର୍ବରୁ ପାହାଡ଼ ଉପରୁ ମାଟି, ପଥର, ଗଛ ଓ ପାଣିର ବିଶାଳ ସ୍ରୋତ ମାଡ଼ି ଆସି ଘର ଗୁଡ଼ିକୁ ପୋତି ଦେଇଥିଲା। ୧୧ ଜଣ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ବୁଧବାର ରାତିରୁ ଭୋକ ଉପାସରେ ପାହାଡ଼ ଉପରେ ଆଶ୍ରୟ ନେଇଥିଲେ। ବହୁ ସଂଘର୍ଷ ପରେ ସେମାନେ କଲିପାଙ୍ଗାରେ ପହଞ୍ଚି ଥିଲେ। ତେବେ ଆଉ କେତେକ ବ୍ୟକ୍ତିଙ୍କ ପତ୍ତା ମିଳୁନଥିବା ଜଣାପଡ଼ିଥିବା ବେଳେ ୩ ଜଣ ନିଖୋଜ ଅଛନ୍ତି । ସେହିଭଳି ରାଇକିଆ ବ୍ଲକ କ୍ରୁହୁଗୁଡା ଗାଁର ୬୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିଶମ ବାହିନୀ ଉଦ୍ଧାର କରିବା ପରେ ଲୋକଙ୍କୁ ଆଶ୍ରୟସ୍ଥଳୀରେ ରଖାଯାଇଛି। ଘରେ ଘରେ ପାଣି କାଦୁଅ ଭର୍ତ୍ତି ହୋଇଯାଇଥିବା ବେଳେ ସବୁ ନଷ୍ଟ ହୋଇଯାଇଛି ।
କନ୍ଧମାଳ ଭୂସ୍ଖଳନରେ ପ୍ରାଣହାନୀ ନେଇ ଶୋକ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ସୋସିଆଲ ମିଡିଆର ‘ଏକ୍ସ’ରେ ପୋଷ୍ଟ କରି ସେ ଲେଖିଛନ୍ତି, ‘ଏହି ଖବର ବିଷୟରେ ଜାଣି ମୁଁ ଦୁଃଖିତ। ଲୋକମାନଙ୍କ ସୁରକ୍ଷିତ ଉଦ୍ଧାର ଓ ଜନଜୀବନକୁ ସୁଗମ କରିବା ପାଇଁ ସରକାର ତ୍ୱରିତ ଭାବେ ସମସ୍ତ ପଦକ୍ଷେପ ସୁନିଶ୍ଚିତ କରନ୍ତୁ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।

