ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡିର ୪୦ ଜଣିଆ ଷ୍ଟାର କ୍ୟାମ୍ପେନରଙ୍କ ତାଲିକା

ଭୁବନେଶ୍ବର: ବ୍ରଜରାଜନଗର ବିଧାନସଭା ଉପ ନିର୍ବାଚନ ପାଇଁ ଷ୍ଟାର କ୍ୟାମ୍ପେନରଙ୍କ ତାଲିକା ପ୍ରକାଶ କରିଛି ବିଜେଡି । ଏଥିରେ ଅଛନ୍ତି ୪୦ ଜଣ ଷ୍ଟାର ପ୍ରଚାରକ । ଦଳର ଏକ ନମ୍ବର ଷ୍ଟାର କ୍ୟାମ୍ପେନର ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟ । ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଚାର ମଙ୍ଗ ଧରିବେ ୮ ମନ୍ତ୍ରୀ । ଏହାସହ ବଛାବଛା ବିଧାୟକ ତଥା ଟାଣୁଆ ନେତାଙ୍କୁ ଦିଆଯାଇଛି ବ୍ରଜରାଜନଗର ଦାୟିତ୍ବ ।

ପାଲି ପାଳି କରି ଏମାନେ ପ୍ରଚାର ମୈଦାନକୁ ଓହ୍ଲାଇ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କ ପାଇଁ କରିବେ ପ୍ରଚାର  । ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରତାପ ଜେନା, ଅରୁଣ କୁମାର ସାହୁ, ସୀମର ରଞ୍ଜନ ଦାସ, ନବ କିଶୋର ଦାସ, ସୁଶାନ୍ତ ସିଂ, ଟୁକୁନି ସାହୁ ଓ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ସାଜିବେ ବିଜେଡିର ବ୍ରଜରାଜନଗର ଷ୍ଟାର କ୍ୟାମ୍ପେନର । ଏହାଛଡ଼ା ପ୍ରଥମ ଥର ପାଇଁ ବିଜେପୁର ବିଧାୟିକା ରୀତା ସାହୁଙ୍କୁ ଦିଆଯାଇଛି କ୍ୟାମ୍ପେନିଂ ଦାୟିତ୍ବ ।

ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା ପ୍ରମୁଖ ଷ୍ଟାର କ୍ୟାମ୍ପେନର ତାଲିକାରେ ଅଛନ୍ତି । ସେହିପରି ସ୍ନେହାଙ୍ଗୀନି ଛୁରିଆ, ଲତିକା ପ୍ରଧାନ, ପ୍ରୀତିରଞ୍ଜନ ଘଡ଼େଇ, ଆକାଶ ଦାସନାୟକ ମୈଦାନକୁ ଓହ୍ଲାଇ ଅଳକାଙ୍କ ପାଇଁ କରିବେ ଭୋଟ୍ ଭିକ୍ଷା ।