ନାଗରିକତା ସଂଶୋଧନ ବିଲକୁ ରାଷ୍ଟ୍ରୀୟ ସ୍ୱାର୍ଥ ଦୃଷ୍ଟିରୁ ଦେଖାଯାଉ: ବିଜେଡି

1 min read

ଭୁବନେଶ୍ୱର: ସଂସଦରେ ଆଗତ ହୋଇଥିବା ନାଗରିକତା ସଂଶୋଧନ ବିଲକୁ ସାମ୍ପ୍ରଦାୟିକ କିମ୍ବା ଧର୍ମୀୟ ଦୃଷ୍ଟିରୁ ନଦେଖି, ଭାରତ ବର୍ଷର ରାଷ୍ଟ୍ରୀୟ ଓ ବୃହତର ସ୍ୱାର୍ଥ ଦୃଷ୍ଟିରୁ ଦେଖିବାର ଆବଶ୍ୟକତା ରହିଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ଦଳର ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର କହିଛନ୍ତି, ନାଗରିକତା ସଂଶୋଧନ ବିଲ୍ ୨୦୧୯ର ପ୍ରଭାବ କେବଳ ଭାରତରେ ନୁହେଁ, ବରଂ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ପର୍ଯ୍ୟନ୍ତ ବ୍ୟାପିଛି ।

Dr. Sasmit Patra, Spokes Person, BJD

ଓଡ଼ିଶା ଏକ ଶାନ୍ତିପ୍ରିୟ ଓ ଧର୍ମ ନିରପେକ୍ଷ ରାଜ୍ୟ । ବିଜୁ ଜନତା ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଧର୍ମନିରପେକ୍ଷ ନେତା ଭାବେ ବେଶ୍‍ ପରିଚିତ । ବିଲକୁ ଅନୁଧ୍ୟାନ କରିବା ପରେ ଦଳ ଅନୁଭବ କରୁଛି ଯେ, ଏନ୍‍ଆରସି ସହିତ ଏହି ବିଲର କୌଣସି ସମ୍ପର୍କ ନାହିଁ । ଏନ୍‍ଆରସି ଏକ ଭିନ୍ନ ପ୍ରସଙ୍ଗ ଏବଂ ତାହା ଉପରେ ବ୍ୟାପକ ଆଲୋଚନା କରିବାର ଆବଶ୍ୟକତା ରହିଛି ।

Courtesy-LSTV

ଏହି ବିଲ୍ ଯଦିଓ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶକୁ ଅନ୍ତର୍ଭୁକ୍ତ କରାଯାଇଛି, କିନ୍ତୁ ଶ୍ରୀଲଙ୍କାକୁ ବାଦ୍ ଦିଆଯାଇଛି । ପୂର୍ବରୁ ୧୧ ବର୍ଷ ଭାରତରେ ବସବାସ କରିଥିଲେ ଯାଇ ସେମାନେ ନାଗରିକତ୍ୱ ପାଇଁ ଆବେଦନ କରିପାରୁଥିଲେ । ତାହାକୁ କୋହଳ କରି କେବଳ ୫ ବର୍ଷକୁ ହ୍ରାସ କରାଯିବା ଦ୍ୱାରା ଅନେକ ଲୋକ ଏଥିରେ ଉପକୃତ ହେବେ । ବିଜେଡି ଏହି ବିଲକୁ ସମର୍ଥନ କରିବା ସହ ଦଳ ୩ଟି ପରାମର୍ଶ ଦେଇଛି ।

ସେଗୁଡିକ ହେଲା:

୧. ଶ୍ରୀଲଙ୍କାକୁ ଏହି ବିଲରେ ଅନ୍ତର୍ଭୁକ୍ତ କରାଯାଉ । ଶ୍ରୀଲଙ୍କାରେ ଅନେକ ଦଶନ୍ଧି ଧରି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ପ୍ରତି ଅତ୍ୟାଚାର କରାଯାଉଛି । ସେମାନଙ୍କୁ ଏହି ସୁଯୋଗରୁ ବଞ୍ଚିତ କରାନଯାଉ ।

୨. ଏହି ବିଲକୁ ଏନ୍‍ଆରସି ସହ ଯୋଡ଼ା ନଯାଉ । ଏନ୍‍ଆରସି ଏକ ବ୍ୟାପକ ପ୍ରସଙ୍ଗ, ଯାହା ଉପରେ ବିସ୍ତୃତ ଆଲୋଚନାର ଆବଶ୍ୟକତା ରହିଛି । ସରକାର ଏଥିପ୍ରତି ଧ୍ୟାନ ଦିଅନ୍ତୁ ।

୩. ମୁସଲମାନ ସମ୍ପ୍ରଦାୟକଙ୍କୁ ଅନ୍ତର୍ଭୁକ୍ତ ନକରାଯିବାରୁ ତାଙ୍କ ମନରେ ଯେଉଁ ସନ୍ଦେହ ସୃଷ୍ଟି ହେଉ ଥାଇପାରେ ତାହାକୁ ପ୍ରଶମିତ କରିବା ସରକାରଙ୍କର ନୈତିକ ଦାୟିତ୍ୱ । ସରକାର ଦୃଢ଼ତାର ସହ ସମାଜ ମଧ୍ୟରେ ଏଭଳି ବିଶ୍ୱାସ ବୃଦ୍ଧି କରନ୍ତୁ ଯେ, ଏହି ବିଲ୍ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ନୁହେଁ, ଯାହାକି କିଛି ରାଜନୈତିକ ଦଳମାନେ ପ୍ରଚାର କରୁଛନ୍ତି ।ସର୍ବୋପରି କେନ୍ଦ୍ର ସରକାର ଯେଉଁ ବିଲ୍‍ ଆଣିଛନ୍ତି ତାହାର ରାଜନୀତିକରଣ ନକରାଯାଉ । ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହାକୁ ସର୍ମଥନ କରିବା ଏବଂ ଯଦି ମନରେ କୌଣସି ଆଶଙ୍କା ଅଛି, ତାହାକୁ ଦୂର କରି ରାଜନୀତିକରଣରୁ ନିବୃତ ରହିବା ଆବଶ୍ୟକ । ଦଳର ଉପରୋକ୍ତ ପରାମର୍ଶ ପ୍ରତି କେନ୍ଦ୍ର ସରକାର ଧ୍ୟାନ ଦେବା ସହିତ ତାହାକୁ କାର୍ଯ୍ୟକାରୀ କରିବେ ବୋଲି ବିଜେଡି ଆଶା ରଖିଛି । ମୁସଲମାନ ଭାଇଭଉଣୀ ମାନଙ୍କର ସବୁ ସନ୍ଦେହ ଦୂର କରିବା ପାଇଁ ଯେ, ସରକାରଙ୍କର ସେମାନଙ୍କ ବିରୋଧରେ କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ ଏବଂ ଯାହା କିଛି କରାଯାଉଛି ତାହା ଆମ ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିୟ ସମ୍ପ୍ରଦାୟର ଭାଇଭଉଣୀମାନଙ୍କ ପାଇଁ ବୋଲି ଡକ୍ଟର ପାତ୍ର ସ୍ପଷ୍ଟ କରିଛନ୍ତି ।

Courtesy-LSTV

Leave a Reply