ସ୍ବାର୍ଥ ନଥିଲେ ରାଜ୍ୟ ବିଜେପି ଓ କେନ୍ଦ୍ରମନ୍ତ୍ରୀ ମୁହଁ ଖୋଲନ୍ତି ନାହିଁ: ବିଜେଡି

ଭୁବନେଶ୍ୱର: ସ୍ବାର୍ଥ ନଥିଲେ ରାଜ୍ୟ ବିଜେପି ଓ କେନ୍ଦ୍ରମନ୍ତ୍ରୀ ମୁହଁ ଖୋଲନ୍ତି ନାହିଁ । ସାଢେ ୪କୋଟି ଓଡ଼ିଆଙ୍କ ସ୍ବାର୍ଥ ପାଇଁ କେବେ ଜାତୀୟସ୍ତରରେ ଲଢ଼େଇ କରୁଥିବା ଦେଖାଯାଇନାହିଁ। ଏହାର ବଡ଼ ଉଦାହରଣ ହେଉଛି ମହାନଦୀ ପ୍ରସଙ୍ଗ। ୨୦୧୮ ମସିହାରେ ଛତିଶଗଡ଼ର ବିଜେପି ସରକାର ମହାନଦୀରେ ବେଆଇନ୍ ବ୍ୟାରେଜ କାମ କରୁଥିଲା । ସେତେବେଳେ ଛତିଶଗଡ଼ ପର୍ଯ୍ୟବେକ୍ଷକ ଦାୟିତ୍ବରେ ଥିବା ଜଣେ କେନ୍ଦ୍ରମନ୍ତ୍ରୀ ଓଡ଼ିଶାର ସ୍ବାର୍ଥ ନେଇ ଏବଂ ଛତିଶଗଡ଼ ବିରୋଧରେ ପଦୁଟିଏ ବି କହିନଥିଲେ ।

ବରଂ ଛତିଶଗଡ଼ ସପକ୍ଷରେ କହି ରାଜ୍ୟ ସ୍ବାର୍ଥ ଭୁଲି ଯାଇଛନ୍ତି। ମହାନଦୀ ପ୍ରସଙ୍ଗରେ ରାଜ୍ୟ ବିଜେପିକୁ ଟାର୍ଗେଟ୍ କରି ଏଭଳି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ସେହି କେନ୍ଦ୍ରମନ୍ତ୍ରୀ ଆଉ ଏକ ଓଡ଼ିଶା ବିରୋଧୀ ନୀତି ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀଙ୍କ ବୈଠକରେ ଜଣା ପଡିଥିଲା। ସେଠାରେ ମଧ୍ୟ ଓଡ଼ିଶାରୁ ଥିବା କେନ୍ଦ୍ରମନ୍ତ୍ରୀ ବିଜେପି ସରକାର ଏବଂ ଛତିଶଗଡ଼ ସପକ୍ଷରେ ଯୁକ୍ତି ବାଢିଥିଲେ ।

ଯେତେବେଳେ ନିରୂପାୟ ହୋଇ ଓଡିଶା ସରକାର ସୁପ୍ରିମକୋର୍ଟ ଗଲେ ଏବଂ ମହାନଦୀ ଟ୍ରିବ୍ୟୁନାଲ ଗଠନ ହେଲା ସେତେବେଳେ ମଧ୍ୟ ରାଜ୍ୟ ବିଜେପି ଏବାକୁ ବିରୋଧ କରିଥିଲା । ସେଥିପାଇଁ ବିଜେପି ୨୦୧୯ରେ ରାଜ୍ୟରେ ପ୍ରତ୍ୟାଖ୍ୟାତ ହେବା ସହ ପଞ୍ଚାୟତ ଓ ପୌର ନିର୍ବାଚନରେ ମଧ୍ୟ ପରାସ୍ତ ହୋଇଥିଲା । ଏଥିପାଇଁ ବିଜେପିକୁ ରାଜ୍ୟବାସୀ କ୍ଷମା କରିବେନି ବୋଲି ବିଜେଡି କହିଛି ।