ସମୀରଙ୍କୁ ଲେନିନଙ୍କ କଟାକ୍ଷ, ଲାଇମଲାଇଟରେ ରହିବାକୁ କରୁଛନ୍ତି ଟୁଇଟ୍

ଭୁବନେଶ୍ୱର: ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ କଟାକ୍ଷ କଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ସମୀର ମହାନ୍ତିଙ୍କ ଟୁଇଟର ଜବାବ ଦେଇଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଲେନିନ କହିଛନ୍ତି, ରାଜନୀତିରେ ତିଷ୍ଠି ରହିବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି ସମୀର । କୌଣସି ଘଟଣା ଉପରେ ନଜାଣି ଅର୍ଥହୀନ ଟ୍ୱିଟ୍ କରୁଛନ୍ତି ସମୀର । ଲେନିନ ମହାନ୍ତି ଟ୍ୱିଟ୍ କରି ସମୀରଙ୍କୁ ଟାର୍ଗେଟ କରିଛନ୍ତି । ଲେନିନ ନିଜ ଟ୍ୱିଟରେ ଲେଖିଛନ୍ତି, ”ବିଜେପି ନେତା ସମୀର ମହାନ୍ତି ରାଜ୍ୟ ବିଜେପି ସଭାପତି ପଦରୁ ବିଦା ହେବାପରେ ନିଜର ରାଜନୈତିକ ସ୍ଥିତି ହରାଇଛନ୍ତି ।

ରାଜନୀତିରେ ତିଷ୍ଠି ରହିବାପାଇଁ ଆପ୍ରାଣ ଉଦ୍ୟମ ସହିତ ଆଜିକାଲି ସେ ଟୁଇଟ୍‍ ଜରିଆରେ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରୁଛନ୍ତି । ଆମେ ତାଙ୍କର ନିରାଶା ଏବଂ ହତାଶାକୁ ବୁଝୁଛୁ । ପୂର୍ବତନ ରାଜ୍ୟ ବିଜେପି ସଭାପତି ତାଙ୍କର ଅର୍ଥହୀନ ଏବଂ ବୁଦ୍ଧିହୀନ ଟୁଇଟ୍‍ ଜରିଆରେ ରାଜନୀତିରେ ପ୍ରାସଙ୍ଗିକ ହୋଇ ରହିବା ଏବଂ ଓଡ଼ିଶା ବିଜେପି ରାଜନୀତିରେ ନିଜର ରାଜନୈତିକ ଅସ୍ତିତ୍ୱ ଖୋଜିବାକୁ ଚେଷ୍ଟା କରୁଥିବାରୁ ଆମେ ତାଙ୍କ ପ୍ରତି ସହାନୁଭୂତି ଦେଖାଉଛୁ । ଆମେ ଆଶା କରୁଛୁ ଯେ ତାଙ୍କର ଓଡିଶା ବିଜେପି ସହକର୍ମୀମାନେ ତାଙ୍କ ପ୍ରତି ଅନୁରୂପ ଭାବେ ଅଧିକ ଦୟା ଏବଂ ସହାନୁଭୂତି ଦେଖାଇବେ ।”