ଶସ୍ତା ଫିଲ୍ମ ଦେଖି ମନଗଢା କାହାଣୀ କହୁଛନ୍ତି ବିଜେପି ନେତା: ବିଜେଡି

ଭୁବନେଶ୍ୱର: ସ୍ପର୍ଶକାତର ପ୍ରସଙ୍ଗରେ ରାଜନୀତି କରିବା ବିଜେପିର ଅଭ୍ୟାସ ହୋଇଗଲାଣି । ଜାଲ ସାର୍ଟିଫିକେଟ ଘଟଣାରେ ହୀନ ରାଜନୀତି କରୁଥିବା ବିଜେପିକୁ କଡ଼ା ଜବାବ ଦେଇଛି ବିଜେଡି । ବିଜେପି ନେତା ଗୋଲକ ମହାପାତ୍ରଙ୍କ ବୟାନର ଜବାବ ଦେବା ସହ ବର୍ଷିଛି ବିଜୁ ଜନତା ଦଳ । ଜାଲ ସାର୍ଟିଫିକେଟ କାରବାରର ପର୍ଦ୍ଦାଫାସ କରିଛି ଓଡ଼ିଶା ପୋଲିସ । ତଦନ୍ତ ଭାର ନେଇ ଜଣେ ପରେ ଜଣେ ଠକକୁ ଗିରଫ କରୁଛି କ୍ରାଇମବ୍ରାଞ୍ଚ ।

ମାତ୍ର ଗୋଲକ ମହାପାତ୍ର କାହିଁକି ବ୍ୟସ୍ତ ବିବ୍ରତ ହେଉଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି । ଶସ୍ତା ସିନେମା ଦେଖି ମନଗଢା କାହାଣୀ ତିଆରି କରି ଗଣମାଧ୍ୟମ ଆଗରେ ଗପୁଛନ୍ତି ବିଜେପି ନେତା । ପୂର୍ବରୁ ମଧ୍ୟ ବିଭିନ୍ନ ସ୍ପର୍ଶକାତର ଘଟଣାରେ ବିନା ତଥ୍ୟ ପ୍ରମାଣରେ ଗପିବା ସହିତ ଅରୁଚିକର ମନ୍ତବ୍ୟ ଦେଇଛନ୍ତି । ମାତ୍ର ସଚେତନ ଓଡ଼ିଶାବାସୀ ତାହାକୁ ନାପସନ୍ଦ କରିଛନ୍ତି । ଫଳରେ ରାଜନୀତିର ରୁଟି ସେକିବାକୁ ଉଦ୍ୟମ କରୁଥିବା ବିଜେପିର ଯୋଜନା ବିଫଳ ହେଉଛି ।