ବିଜେପି ସରକାରରେ ମହିଳା ଅସୁରକ୍ଷିତ: ବିଜେଡି

ଭୁବନେଶ୍ବର: ବିଜେପି ସରକାରରେ ମହିଳା ଅସୁରକ୍ଷିତ ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । ଏମିତି ଅଭିଯୋଗ କରି ମୋହନ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଇପସିତା ସାହୁ ସରକାରଙ୍କ ଉପରେ ବର୍ଷିଛନ୍ତି ।

୨୬ ତାରିଖ ରାତିରେ ଜଣେ ମହିଳା ଖଣ୍ଡଗିରି ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ବେଳେ ଥାନାର ଜଣେ ଇନ୍ସପେକ୍ଟର ତାଙ୍କ ଏତଲାକୁ ଗ୍ରହଣ କରି ନଥିଲେ । ସେତିକି ନୁହେଁ, ଏତଲାକୁ ଚିରି ଦେବା ସହ ତାଙ୍କୁ ନିର୍ଧୁମ ମାଡ଼ ମାରିଥିବାର ଅଭିଯୋଗ କରିଛି ବିଜେଡି । ବିଜେଡି ସରକାର ସମୟରେ ମହିଳାଙ୍କୁ ପ୍ରାଥମିକତା ଦିଆଯାଉଥିବା ବେଳେ ବିଜେପି ସରକାରରେ ମହିଳା ନିଜକୁ ଅସୁରକ୍ଷିତ ମଣୁଥିବା ଇପସିତା ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି, ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ବେଳେ ଏପରି ବିଶୃଙ୍ଖଳା ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଇଛି । ଖଣ୍ଡଗିରି ଥାନାର ଇନ୍ସପେକ୍ଟର ମହିଳାଙ୍କୁ ଅକଥନୀୟ ନିର୍ଯାତନା ଦେଇଥିବା ବେଳେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ଦଳ ତରଫରୁ ସେ ଦାବି କରିଛନ୍ତି ।