ସମର୍ଥକଙ୍କ ସାଙ୍ଗରେ ଆସି ନାମାଙ୍କନ ଦାଖଲ କଲେ ବର୍ଷା

ପଦମପୁର: ଆଜି ପଦମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ନାମାଙ୍କନ କରିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା  । ବରିଷ୍ଠ ଓ ସମର୍ଥକଙ୍କ ସାଙ୍ଗରେ ଆସି ନାମାଙ୍କନ ଦାଖଲ କରିଛନ୍ତି ବର୍ଷା  । ଏହା ପୂର୍ବରୁ ପୂଜାର୍ଚ୍ଚନା ପାଇଁ ମାଣ୍ଡୋସିଲ ନିକଟ ବୁଢ଼ାରଜା ମନ୍ଦିର ଠାରେ ପୂଜା କରିଛନ୍ତି ବର୍ଷା । ପୂର୍ବରୁ ମଧ୍ୟ ଏହି ମନ୍ଦିରରେ ଦିବଂଗତ ନେତା ବିଜୟ ରଂଜନ ସିଂ ବରିହା ଏହି ପୂଜାର୍ଚ୍ଚନା କଲା ପରେ ନାମାଙ୍କନ ଦାଖଲ କରୁଥିଲେ ।

ତେବେ ବରିହା ପରିବାରର ପ୍ରତ୍ୟେକ ଶୁଭ କାର୍ଯ୍ୟ ପୂର୍ବରୁ ଏହି ମନ୍ଦିରରେ ପୂଜାର୍ଚ୍ଚନା ହୁଏ। ଏହି ସ୍ଥାନରେ ଅଂଚଳବାସୀ ଓ ବିଜେଡ଼ି କର୍ମୀ ମାନେ ଉପସ୍ଥିତ ଥିଲେ ।

ଗତକାଲି ପଦମପୁର, ପଶ୍ଚିମ ଓଡ଼ିଶା ସହ ଉପକୂଳ ଓଡ଼ିଶା ଦେଖିଥିଲା ଦିବଂଗତ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ସୁପୁତ୍ରୀ ବର୍ଷାଙ୍କ ପଲିଟିକାଲ ଇମେଜ । ମଞ୍ଚ ଉପରୁ ଦଳର ହେଭିୱେଟଙ୍କ ଉପସ୍ଥିତିରେ ବାପାଙ୍କୁ ମନେ ପକାଇ ଲୁହ ଭିଜା ଆଖିରେ ବର୍ଷା ଲୋଡିଥିଲେ ପଦମପୁରର ଆଶୀର୍ବାଦ । ଉପନିର୍ବାଚନରେ ବିଜୟୀ ହେବା ଲାଗି ମାଗିଥିଲେ ବହୁମୂଲ୍ୟ ଭୋଟ ।

ବାପାଙ୍କ ଲିଗାସି ବଜାୟ ରଖିବାକୁ ବର୍ଷା ଦେଇଥିଲେ ନିର୍ଭର ପ୍ରତିଶ୍ରୁତି । ଆକାଶଛୁଆଁ ଉତ୍ସାହ ଭିତରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଦଳୀୟ ପ୍ରାର୍ଥୀ ବର୍ଷା ସିଂ ବରିହା । ବାପାଙ୍କ ଗଡ଼ ଦଖଲ ଲାଗି ଭୋଟରଙ୍କ ସାମ୍ନାକୁ ଆସିଛନ୍ତି ବର୍ଷା ।