ଦୁଷ୍କର୍ମ ଭଳି ଦୁଃଖଦ ଘଟଣାକୁ ନେଇ ବିଜେପି ରାଜନୀତି ବନ୍ଦକରୁ: ବିଜେଡି

ଭୁବନେଶ୍ୱର: ଦୁଷ୍କର୍ମ ଭଳି ଦୁଃଖଦ ଘଟଣାକୁ ନେଇ ବିଜେପି ନେତାମାନେ ରାଜନୀତି କରିବା ଅନୁଚିତ । ଏଭଳି ଘୃଣ୍ୟ କାର୍ଯ୍ୟ ଦେଶର ବିଭିନ୍ନ ସ୍ଥାନରେ ପ୍ରତିଦିନ ଘଟୁଥିବା ସମସ୍ତଙ୍କ ନଜରକୁ ଆସୁଛି । ତେଣୁ, ଏଭଳି ଘଟଣାରେ ରାଜନୀତି କରିବା ଅପେକ୍ଷା ଏହାର ମୂଳୋତ୍ପାଟନ ଲାଗି ସମସ୍ତେ ଏକାଠି ହେବା ଉଚିତ୍‍ । ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଏହା କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର । ଏଭଳି ଘଟଣାରେ ଆମେ ସମସ୍ତେ ଦୁଃଖିତ ଓ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ସେ କହିଛନ୍ତି ।

ପୀଡ଼ିତା ଓ ତାଙ୍କ ପରିବାର ଗଭୀର ମାନସିକ ସ୍ଥିତିରେ ଥିବା ବେଳେ ଘଟଣାର ରାଜନୀତି କରାଗଲେ ସେମାନଙ୍କ ସ୍ଥିତି ଆହୁରି ଖରାପ ହୋଇଯିବ । ବାରମ୍ବାର ଅନୁରୋଧ ସତ୍ତ୍ୱେ ବିଜେପି ଏଭଳି ଘଟଣାକୁ ରାଜନୈତିକ ରଙ୍ଗ ଦେବା ସହିତ ଅବାସ୍ତବ ତଥ୍ୟ ଉପସ୍ଥାପନ କରି ଅତ୍ୟନ୍ତ ନିମ୍ନମାନର ରାଜନୀତି କରୁଛି । ଏଭଳି ଆଚରଣ ପାଇଁ ଓଡ଼ିଶାବାସୀ ନିକଟ ଅତୀତରେ ବିଜେପିକୁ ପରାଜୟର ସ୍ୱାଦ ଚଖାଇଥିଲେ । ମନୋଭାବରେ ପରିବର୍ତ୍ତନ ନ କଲେ ଆଗାମୀ ଦିନରେ ମଧ୍ୟ ଅନୁରୂପ ବାଟ ଦେଖାଇବେ । ତେଣୁ, ବିଜେପି ନେତାମାନେ ଏଭଳି ରାଜନୀତିରୁ ବିରତ ରହିବାକୁ ପରାମର୍ଶ ଦେଇଛନ୍ତି ଡକ୍ଟର ପାତ୍ର ।ସେହିଭଳି କାଳିଆ ଯୋଜନାକୁ ବିଜେପିର ସମାଲୋଚନାର ଜବାବ ଦେଇଛି ବିଜେଡି । ରାଜ୍ୟର ଚାଷୀମାନଙ୍କର ଆୟ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା କାଳିଆ ଯୋଜନା ଏକ ବୈପ୍ଲବିକ ପଦକ୍ଷେପ । ଏହାଦ୍ୱାରା ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଉପକୃତ ହେଉଛନ୍ତି । ଏଭଳି ଯୋଜନାକୁ କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ମଧ୍ୟ ପ୍ରଶଂସା କରିଛନ୍ତି । ଏଭଳି ଯୋଜନାକୁ ସମାଲୋଚନା କରି ବିଜେପି ତା’ର ଚାଷୀ ବିରୋଧି ମନୋଭାବକୁ ପ୍ରଦର୍ଶନ କରୁଛି ।

ବିଜେପିର ଗୃହ ନିର୍ମାଣ ସମ୍ପର୍କିତ ମତର ଜବାବ ଦେଇଛନ୍ତି ଡକ୍ଟର ପାତ୍ର । ଆମ ସରକାର ଇତି ମଧ୍ୟରେ ରାଜ୍ୟରେ ୨୦ ଲକ୍ଷ ପକ୍କା ଘର ନିର୍ମାଣ କରିଥିବାବେଳେ ବିଜେପି କେବଳ ସମାଲୋଚନା କରିବାରେ ଲାଗିଛି । ବିଜୁ ପକ୍କାଘର ଯୋଜନାର ସଫଳତାରେ ବିଜେପି ନେତାମାନେ ଇର୍ଷାନ୍ୱିତ ହେଉଥିବାବେଳେ ଏଭଳି ମନ୍ତବ୍ୟ ସେମାନଙ୍କର ହତାଶା ଓ ବିଶୃଙ୍ଖଳିତ ମନୋଭାବକୁ ଦର୍ଶାଉଛି ବୋଲି ଡକ୍ଟର ପାତ୍ର କହିଛନ୍ତି ।

Leave a Reply