ଶୀଘ୍ର ଉଷୁନା ଚାଉଳ ଉଠାଇବା ବ୍ୟବସ୍ଥା କର

1 min read

ଭୁବନେଶ୍ବର: ରାଜ୍ୟରୁ ଉଷୁଣା ଚାଉଳ ଶୀଘ୍ର ଉଠାଇବାକୁ ପୁଣି ଥରେ ଦାବି କଲା ବିଜେଡି । ଏନେଇ କେନ୍ଦ୍ରକୁ ଚିଠି ଲେଖିଛନ୍ତି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ଚାଉଣ ଉଠାଣ ନେଇ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଅମର ।

ଓଡିଶାରୁ ଉଷୁନା ଚାଉଳ ଉଠାଇବା ସପକ୍ଷରେ କେନ୍ଦ୍ର ସରକାର ନଥିବାରୁ ଦୀର୍ଘଦିନ ଧରି ବିଜେଡି ସରକାର କେନ୍ଦ୍ର ସହିତ ଲଢେଇ ଜାରି ରଖିଛି । ବିପୁଳ ମାତ୍ରାରେ ରପ୍ତାନୀ ସମ୍ଭାବନା ସତ୍ତ୍ବେ ଚାଉଳ ଉଠାଣ ନହେବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଅମର । ଏବର୍ଷ ବଳକା ଉଷୁନା ଚାଉଳ ପରିମାଣ ୧୧ ଲକ୍ଷ ମେଟ୍ରିକ୍‌ ଟନ୍‌ ପହଞ୍ଚିବ । ଏନେଇ ଅନେକ ଥର କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି । ସାଧାରଣ ବଣ୍ଟନ ବ୍ୟବସ୍ଥା ଓ ଅନ୍ୟ କଲ୍ୟାଣକାରୀ ଯୋଜନା ପାଇଁ ଆବଶ୍ୟକ ହେଉଥିବା ଚାଉଳଠାରୁ ଯଦି ଅଧିକ ଚାଉଳ ରାଜ୍ୟ ନିକଟରେ ଗଚ୍ଛିତ ରହିଯିବ ଏହାକୁ ରାଜ୍ୟ ସରକାର ଏଫସିଆଇକୁ ଦେବା ନେଇ ବ୍ୟବସ୍ଥା ରହିଛି । ତେବେ ଆବଶ୍ୟକତା ପାଇଁ ଚାଉଳକୁ ଅରୁଆ କିମ୍ବା ଉଷୁନା ଆକାରରେ ସଂଗ୍ରହ କରିବ ତାହା ଏଫିସିଆଇ ଉପରେ ନିର୍ଭର କରେ ।

କେନ୍ଦ୍ରୀୟ ପୁଲରେ ଉଷୁନା ଚାଉଳ ଗଚ୍ଛିତ ପରିମାଣ ବଢି ଚାଲିଥିବାରୁ ୨୦୨୧-୨୨ରେ ଏଫସିଆଇ ଓଡିଶାରୁ ଉଷୁନା ଚାଉଳ ଉଠାଇବା ସ୍ଥିତିରେ ନାହିଁ ବୋଲି ଅବଗତ କରିଥିଲା । ଏହାଦ୍ବାରା ରାଜ୍ୟର ଚାଷୀ ମାନସିକ ନିର୍ଯାତନା ପାଉଛନ୍ତି ବୋଲି ସାଂସଦ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି । ଭାରତରୁ ୧୫୨ଟି ଦେଶକୁ ଚାଉଳ ରପ୍ତାନୀ ହେଉଥିବା ବେଳେ କେନ୍ଦ୍ର ନିଜର ଅପାରଗତା ପ୍ରକାଶ କରିବା ସହଜରେ ଗ୍ରହଣ କରି ହେଉନାହିଁ ବୋଲି ସାଂସଦ କହିଛନ୍ତି । କରୋନା କହରରୁ ଅଣ୍ଟା ସଳଖି ଚାଷୀ ଏବେ ନିଜର ସ୍ଥିତି ସୁଧାରୁଥିବା ବେଳେ କେନ୍ଦ୍ରର ପ୍ରବଞ୍ଚନ ସେମାନଙ୍କୁ ଶକ୍ତ ଧକ୍କା ଦେବ ବୋଲି ଅମର ପଟ୍ଟନାୟକ କହିଛନ୍ତି ।