ବାପା ଅଟୋ ଡ୍ରାଇଭର, ଆଇପିଏଲରେ କମାଲ କରୁଛନ୍ତି ପୁଅ

1 min read

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲର ସବୁଠୁ ସଫଳ ଦଳ ଚେନ୍ନାଇ ସୁପର କିଙ୍ଗସକୁ ପଡିଆ ମଝିରେ ପାଣି ପିଆଇଛନ୍ତି ଜଣେ ଅଟୋ ଡ୍ରାଇଭରଙ୍କ ପୁଅ । ରବିବାର ମ୍ୟାଚରେ ସେ ବିରୋଧୀ ଟିମର ଅଣ୍ଟା ଭାଙ୍ଗି ଦେଇଥିଲେ । ରବିବାର ଆଇପିଏଲରେ ଖେଳାଯାଇଥିଲା ମୁମ୍ବାଇ-ଚେନ୍ନାଇ ହାଇଭୋଲଟେଜ୍ ମ୍ୟାଚ୍ । ଆଉ ଏ ମ୍ୟାଚରେ ସବୁଠୁ ଅଧିକ ଚର୍ଚ୍ଚାକୁ ଆସିଛନ୍ତି ଜଣେ ୨୪ ବର୍ଷୀୟ ଖେଳାଳି ବିଗ୍ନେଶ ପୁଥୁର । ବିଗ୍ନେଶ ପୁଥୁର ମୁମ୍ବାଇ-ଚେନ୍ନାଇ ମ୍ୟାଚରେ, ୩ଟି ଓ୍ୱିକେଟ୍ ନେବା ସହ କ୍ୟାପଟେନ୍ କୁଲ୍ ଧୋନୀଙ୍କର ମଧ୍ୟ ପ୍ରିୟ ପାଲଟିଯାଇଛନ୍ତି । ରବିବାର ଆଇପିଏଲର ତୃତୀୟ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ମୁମ୍ବାଇ ଇଣ୍ଡିଆନ୍ସ ଆଉ ଚେନ୍ନାଇ ସୁପର କିଙ୍ଗ୍ସ ।

ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ବୋଲିଂ କରିଥିଲା ଚେନ୍ନାଇ । ଆଉ ମୁମ୍ବାଇ ଟିମ୍ ୨୦ ଓଭରରେ ୯ ଓ୍ୱିକେଟ୍ ହରେଇ କରିଥିଲା ୧୫୫ ରନ୍ । ତେବେ ଯେତେବେଳେ ଚେନ୍ନାଇ ଟିମ୍ ଏହି ୧୫୬ ରନ୍ କରିବାକୁ ପଡିଆକୁ ଓହ୍ଲେଇଥିଲା, ସେତେବେଳେ ଚେନ୍ନାଇ ଭଳି ଟିମକୁ ଚ୍ୟାଲେଞ୍ଜ ଦେଇଥିଲେ ଏହି ୨୪ ବର୍ଷୀୟ ବାମହାତୀ ସ୍ପିନର । ବିଗ୍ନେଶ ପୁଥୁର ଆରମ୍ଭରୁ ହିଁ, ଚେନ୍ନାଇ ଟିମ ଉପରେ ଭାରି ପଡିଥିଲେ । ନିଜର ପ୍ରଥମ ମ୍ୟାଚରେ ସେ କ୍ୟାପଟେନ୍ ଋତୁରାଜ ଗାଏକ୍ୱାଡଙ୍କୁ ଆଉଟ୍ କରିବା ସହିତ, ପରେ ପରେ  ନେଇଥିଲେ ଶିଭମ ଦୁବେ ଆଉ ଦୀପକ ହୁଡ୍ଡାଙ୍କ ଓ୍ୱିକେଟ୍ । ଯାହା ମୁମ୍ବାଇକୁ ଖାଲି ମ୍ୟାଚରେ ଜୀବିତ ରଖିନଥିଲା, ବରଂ ଗୋଟିଏ ସମୟରେ ବିଜୟର ଚାନ୍ସ ମଧ୍ୟ ସୃଷ୍ଟି କରିଥିଲା । ତେବେ ଶେଷରେ ମୁମ୍ବାଇ ମ୍ୟାଚ୍ ହାରିଥିଲେ ବି, ନିଜ ଦମଦାର ବୋଲିଂ ବଳରେ ସମସ୍ତଙ୍କ ହୃଦୟ ଜିତିସାରିଥିଲେ ଏହି ୟଙ୍ଗ୍ ବାମହାତୀ ସ୍ପିନର ।

ବିଗ୍ନେଶଙ୍କ ବାପା ହେଉଛନ୍ତି ଜଣେ ସାମାନ୍ୟ ଅଟୋ ଡ୍ରାଇଭର । କେରଳର ମଲପପୁରମରୁ ଆସୁଥିବା ଏହି ଖେଳାଳି, ପ୍ରଥମ ଥର ପାଇଁ ଆଇପିଏଲରେ ଡେବ୍ୟୁ କରିଛନ୍ତି । ଏହା ପୂର୍ବରୁ ସେ କେରଳ ପାଇଁ ଘରୋଇ କ୍ରିକେଟ୍ ବି ଖେଳିନାହାଁନ୍ତି, ଏମିତି କି ସିନିୟର ଟିମରେ ତାଙ୍କ ଜାଗା ମଧ୍ୟ ନାହିଁ । ହେଲେ ତାହାରି ଭିତରେ କିନ୍ତୁ, ମୁମ୍ବାଇ ଟିମର ମ୍ୟାନେଜମେଣ୍ଟ ତାଙ୍କୁ କେରଳ କ୍ରିକେଟ୍ ଲିଗରୁ ଦେଖି, ଟିମକୁ ଆଣିବା ସହିତ ଏବେ ଆଇପିଏଲରେ ଦେଇଛି ଖେଳିବାର ସୁଯୋଗ । ଏଥର ଆଇପିଏଲ ଅକ୍ସନରେ ଦଳ ବିଗ୍ନେଶ ପୁଥୁରଙ୍କୁ ବେସ୍ ପ୍ରାଇସ୍ ୩୦ ଲକ୍ଷ ଟଙ୍କା ଦେଇ କିଣିଥିଲା । ଆଉ ଏହା ପୂର୍ବରୁ ସାଉଥ୍ ଆଫ୍ରିକା ଟି-୨୦ ଲିଗରେ ସେ ଥିଲେ ମୁମ୍ବାଇର ନେଟ୍ ସ୍ପିନର । ଯେଉଁ କାରଣରୁ ଆଜି ସେ ଆଇପିଏଲ୍ ଭଳି ଟୁର୍ଣ୍ଣାମେଣ୍ଟରେ ଚମକିବା ଆରମ୍ଭ କରିଛନ୍ତି ।