କେନ୍ଦ୍ର କର୍ମଚାରୀଙ୍କୁ ବଡ଼ ଝଟକା! ୭ ବର୍ଷରେ ସବୁଠାରୁ କମ୍ ବଢ଼ିବ ମହଙ୍ଗା ଭତ୍ତା?
1 min read
ନୂଆଦିଲ୍ଲୀ: ଏଥର ମାର୍ଚ୍ଚ ମାସ ୧୪ ତାରିଖରେ ହୋଲି ପଡ଼ୁଛି । ପ୍ରତିବର୍ଷ ହୋଲି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି ନେଇ ଘୋଷଣା କରାଯାଇଥାଏ । ମାତ୍ର ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଡିଏ ବୃଦ୍ଧି ନେଇ କୌଣସି ଘୋଷଣା କରାଯାଇନାହିଁ । ଏପର ସ୍ଥିତିରେ କେନ୍ଦ୍ର ସରକାର କର୍ମଚାରୀ ଓ ପେନସନଧାରୀମାନେ ବଡ଼ ଅପେକ୍ଷାରେ ରହିଛନ୍ତି । ଚଳିତ ସପ୍ତାହରେ କେନ୍ଦ୍ର କ୍ୟାବିନେଟ ଡିଏ ବୃଦ୍ଧିକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରେ । ଯଦି ଏହାକୁ ମଞ୍ଜୁରୀ ମିଳିଯାଏ, ତେବେ ନୂଆା ଡିଏ ଚଳିତ ବର୍ଷ ଜାନୁଆରୀରୁ ଲାଗୁ ହୋଇପାରେ । ଅର୍ଥାତ କର୍ମଚାରୀଙ୍କୁ ମାର୍ଚ୍ଚରେ ବର୍ଦ୍ଧିତ ବେତନ ମିଳିବ ଓ ଦୁଇ ମାସର ଏରିୟର ମଧ୍ୟ ମିଳିବ ବୋଲି କୁହାଯାଉଛି ।
ରିପୋର୍ଟ ମୁତାବକ, କେନ୍ଦ୍ର କର୍ମଚାରୀ ଓ ପେନସନଧାରୀଙ୍କୁ ଏଥର ନିରାଶ ହେବାକୁ ପଡ଼ିପାରେ । କାରଣ ବିଗତ ବର୍ଷମାନଙ୍କରେ କର୍ମଚାରୀଙ୍କୁ ୩ ବା ୪ ପ୍ରତିଶତ ଡିଏ ମିଳୁଥିବା ବେଳେ ଏଥର ମାତ୍ର ୨ ପ୍ରତିଶତରେ ସନ୍ତୁଷ୍ଟ ହେବାକୁ ପଡ଼ିପାରେ । ଅଖିଳ ଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (AICPI)ର ତଥ୍ୟରୁ ଜଣାପଡ଼ିଛି ଯେ, ବିଗତ ବର୍ଷମାନଙ୍କ ଅପେକ୍ଷା ଏଥର ଡିଏରେ ସବୁଠାରୁ କମ୍ ବୃଦ୍ଧି ହେବାର ସମ୍ଭାବନା ରହିଛି । କେନ୍ଦ୍ର ସରକାର ୨୦୧୮ ମସିହା ଜୁଲାଇ ଠାରୁ ଡିଏରେ ଅତିକମରେ ୩-୪ ପ୍ରତିଶତ ବା ତା’ଠାରୁ ଅଧିକ ଡିଏ ବୃଦ୍ଧି କରିଆସୁଥିଲେ । ଆଗାମୀ ଡିଏ ବୃଦ୍ଧି ୨ ପ୍ରତିଶତ ହେବାର ସମ୍ଭାବନା ରହିଛି । ସୂଚନାଯୋଗ୍ୟ ଯେ, ବର୍ଷକୁ ଦୁଇଥର ଜାନୁଆରୀ ଓ ଜୁଲାଇରେ ଡିଏ ବଢ଼ିଥାଏ । ୨୦୨୪ ଜୁଲାଇରେ ୩ ପ୍ରତିଶତ ଡିଏ ବଢ଼ିଥିବା ବେଳେ କର୍ମଚାରୀଙ୍କ ମୋଟ ଡିଏ ୫୦ରୁ ବୃଦ୍ଧି ପାଇ ୫୩ ପ୍ରତିଶତରେ ପହଞ୍ଚିଥିଲା ।