ଜାନୁଆରୀ ୧୫ ଭିତରେ ସରିବ ଜାଗମରାରେ ଓ୍ବାଟକୋ ପକ୍ଷରୁ ହେଉଥିବା ସ୍ବେରେଜ କାମ

ଭୁବନେଶ୍ବର: ଭୁବନେଶ୍ବର ଜାଗମରାରେ ଓ୍ବାଟକୋ ପକ୍ଷରୁ ହେଉଥିବା ସ୍ବେରେଜ କାମ ଜାନୁଆରୀ ୧୫ ଭିତରେ ସରିବ । ରାସ୍ତା ଖୋଳାନଯାଇ ଟ୍ରେଞ୍ଚଲେସ୍ ଟେକ୍ନୋଲୋଜି ମାଧ୍ୟମରେ ମ୍ୟାନହୋଲ କରାଯାଇ ସ୍ବେରେଜ ପାଇପ ବିଛାଯାଉଛି । ଡୁମୁଡୁମା, ଖଣ୍ଡଗିରି, ଜାଗମରା, ଆଇଗିଣିଆ ଅଞ୍ଚଳର ପ୍ରାୟ ୩ଲକ୍ଷ ଲୋକଙ୍କ ସ୍ବେରେଜ ସଂଯୋଗ କରାଯିବ । ମାସେ ହେଲାଣି କାମ ଚାଲିଥିବା ବେଳେ ସ୍ଥାନୀୟ ଲୋକେ ଅସୁବିଧାରେ ଥିଲେ ମଧ୍ୟ ବୃହତ୍ତର ସ୍ବାର୍ଥ ପାଇଁ କିଛି ଦିନର କଷ୍ଟ ସହିବାକୁ ପ୍ରସ୍ତୁତ ଅଛନ୍ତି । ଲୋକଙ୍କ ଅସୁବିଧା ହେଉଥିବାରୁ ଓ୍ବାଟକୋ ପକ୍ଷରୁ ସ୍ବେରେଜ କାମ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ କାମନା କରିଛନ୍ତି ସିଇଓ ।

ଜାନୁଆରୀ ୧୫ ସୁଦ୍ଧା ସରିବ ଜାଗମରା ସ୍ବେରେଜ୍ କାମ । ନଭେମ୍ବର ୧୫ରୁ ହୋଇଛି ଆରମ୍ଭ । ରାସ୍ତାର ଉପର ଭାଗ ଖୋଳାନଯାଇ ଟ୍ରେଞ୍ଚଲେସ୍ ଟେକ୍ନୋଲୋଜି । କୋଚିଲାପୁଟ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ସଂଯୋଗ ହେବ ବିଛାଯାଉଥିବା ସ୍ବେରେଜ ଲାଇନ । ଏହି ସ୍ବରେଜ ଦ୍ବାରା ଜାଗମରା, ଖଣ୍ଡଗିରି, ଗଣ୍ଡମୁଣ୍ଡା, ସିରିପୁର, ଆଇଗିଣିଆ ଅଞ୍ଚଳର ପ୍ରାୟ ୩ଲକ୍ଷ ଲୋକଙ୍କ ସ୍ବେରେଜ ପାଣି ମୁଖ୍ୟ ଲାଇନରେ ସଂଯୋଗ ହୋଇପାରିବ । ଆଗରୁ ରାସ୍ତା ଖୋଳି ସ୍ବେରେଜ କାମ ଚାଲୁଥିବା ବେଳେ ମାସାଧିକ ସମୟ ଲାଗୁଥିଲା ଏବଂ ଅନେକ ଦୁର୍ଘଟଣା ମଧ୍ୟ ଘଟୁଥିଲା । ଏହାକୁ ନଜରରେ ରଖି ପୁରା ରାସ୍ତା ଖୋଳାନଯାଇ ମ୍ୟାନହୋଲ ଜରିଆରେ ସ୍ବେରେଜ ପାଇପ ରାସ୍ତାର ୧୦ ଫୁଟ ତଳେ ବିଛାଯାଉଛି । ଏନଜିଟି ନିର୍ଦ୍ଦେଶ କ୍ରମେ ସ୍ବେରେଜ ପରିଚାଳନା ଗୁରୁତର ସହ ନେଉଛି ନଗର ଉନ୍ନୟନ ବିଭାଗ ।

ଜାଗମରାରେ ମାସେ ହେଲାଣି ଚାଲିଛି ସ୍ବେରେଜ କାମ । ଜାଗମରାରୁ ଗଣ୍ଡମୁଣ୍ଡା ଛକ ଯାଏଁ ଗୋଟିଏ ପଟ ରାସ୍ତାକୁ ବ୍ଲକ କରାଯାଇ ୩୬୬ ମିଟର ରାସ୍ତାରେ କାମ ଚାଲିଛି । ଅନ୍ୟପଟ ରାସ୍ତାରେ ଓ୍ବାନ ଓ୍ବେ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ବଡ଼ ଗାଡ଼ିକୁ ଏହି ରାସ୍ତାରେ ବାରଣ କରାଯାଇଛି । ଏଥିପାଇଁ ସ୍ଥାନୀୟ ଲୋକଙ୍କ ଯିବା ଆସିବା ଅସୁବିଧା ହେଉଛି ସତ, ହେଲେ ଦୀର୍ଘଦିନ ଧରି ଥିବା ସ୍ବେରେଜ ସମସ୍ୟାର ସମାଧାନ ସ୍ଥାୟୀ ଭାବେ ହେଉଥିବାରୁ କିଛିଟା ଅସୁବିଧା ସହିବାକୁ ପ୍ରସ୍ତୁତ ସ୍ଥାନୀୟ ବାସିନ୍ଦା । ଏପଟେ ଲୋକଙ୍କ ଅସୁବିଧା କଥାକୁ ଓ୍ବାଟକୋ ଅଧିକାରୀ ସ୍ବୀକାର କରିଥିବା ବେଳେ ଆଉ ମାସକ ପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗ କାମନା କରିଛନ୍ତି ।

ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲର ନିର୍ଦ୍ଦେଶ କ୍ରମେ ରାଜଧାନୀର ସ୍ବେରେଜ ବ୍ୟବସ୍ଥାକୁ ସଠିକ କରିବା, ସ୍ବେରେଜ ବର୍ଜ୍ୟଜଳକୁ ଟ୍ରିଟମେଣ୍ଟ ପ୍ଲାଣ୍ଟ ଜରିଆରେ ବିଶୋଧନ କରି ଛାଡ଼ିବା, ସବୁ ଘରକୁ ମୁଖ୍ୟ ପାଇପ ଲାଇନ ସହିତ ସଂଯୋଗ କରିବା କାମକୁ ପ୍ରାଥମିକତା ଭିତ୍ତିରେ ଶୀଘ୍ର ସାରିବାକୁ ଉଦ୍ୟମ ଜାରି ରଖିଛି ଓ୍ବାଟକୋ ବା ଓଡ଼ିଶା ଜଳ ନିଗମ ।