କାର୍‌ରେ ଅଚେତ ହୋଇପଡ଼ିଥିଲେ ମହିଳା; ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କଲେ EOW ଏସ୍‌ପି

ଭୁବନେଶ୍ୱର: ଦେବଦୂତ ସାଜିଲେ ଇଓଡବ୍ଲ୍ୟୁ ଏସପି ।  ଇଓଡବ୍ଲ୍ୟୁ ଏସପି ଦିଲ୍ଲୀପ କୁମାର ତ୍ରିପାଠୀଙ୍କ ମାନବିକତା ଯୋଗୁଁ ନୂଆ ଜୀବନ ପାଇଲେ ଜଣେ ମହିଳା । ବଞ୍ଚିଗଲା ଗାଡ଼ି ଭିତରେ ଅଚେତ ହୋଇପଡ଼ିଥିବା ମହିଳାଙ୍କ ଜୀବନ । ଘଟଣାନୁଯାୟୀ ଗତକାଲି ଅଫିସରୁ ଘରକୁ ଫେରିବା ବାଟରେ ଦିଲ୍ଲୀପଙ୍କ ଅଫିସ ଗାଡ଼ିକୁ ୨ଜଣ ଅଟକାଇଥିଲେ ଏବଂ ଅନ୍ୟ ଏକ କାର୍ ଆଡ଼କୁ ଇସାରା କରିଥିଲେ । ଯାହାକୁ ଦେଖି ଗାଡ଼ି ଅଟକାଇଥିଲେ ଏସପିଙ୍କ ଡ୍ରାଇଭର । ଗାଡ଼ି ଅଟକାଇବା ପରେ ନିଜ ଡ୍ରାଇଭରଙ୍କ ସହ ସେହି ଗାଡ଼ି ନିକଟକୁ ଯାଇଥିଲେ ଦିଲ୍ଲୀପ । ଗାଡ଼ି ନିକଟକୁ ପହଞ୍ଚି ଦେଖିଲା ବେଳେ ୩୦ ବର୍ଷୀୟ ଜନୈକ ମହିଳା ସେହି ଗାଡ଼ି ଭିତରେ ଅଚେତ ହୋଇପଡ଼ିଥିବା ଦେଖିବାକୁ ପାଇଥିଲେ । ଏହାପରେ ସେଠାରେ ଉପସ୍ଥିତ ଲୋକ ଓ ଡ୍ରାଇଭରଙ୍କ ସହାୟତାରେ ତାଙ୍କୁ କାର୍ ଭିତରୁ ଉଦ୍ଧାର କରିବା ସହ ନିକଟସ୍ଥ ହସ୍ପିଟାଲର ଜରୁରୀକାଳୀନ ସେବା ବିଭାଗରେ ଭର୍ତ୍ତି କରାଇଥିଲେ । ଆବଶ୍ୟକ ଚିକିତ୍ସା ପରେ ମହିଳାଙ୍କ ଚେତା ଫେରିଥିଲା । ଏବଂ ଅଳ୍ପ ସମୟ ମଧ୍ୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ସୁଧାର ଆସିଥିଲା । ତେବେ ଘଟଣା ସମ୍ପର୍କରେ ଅବଗତ ହେବା ପରେ ହସ୍ପିଟାଲରେ ପହଞ୍ଚିଥିଲେ ମହିଳାଙ୍କ ପରିବାର ଲୋକେ । ସେମାନଙ୍କୁ ମହିଳାଙ୍କ ମୋବାଇଲ ଫୋନ୍ ଓ ଭ୍ୟାନିଟ୍ ବ୍ୟାଗ୍ ପ୍ରଦାନ କରିଥିଲେ ଏସପି । ତେବେ ମହିଳାଙ୍କ ଜଣଙ୍କ ହେଉଛନ୍ତି ରଘୁନାଥପୁର ମୋନାଲିସା ରଥ । ନିଜ ପୁଅକୁ ଟ୍ୟୁସନରୁ ଫେରାଇ ଆଣିବାକୁ ଯାଉଥିବା ବେଳେ ବାଟରେ ଅଚେତ ହୋଇପଡ଼ିଥିଲେ ।

            ଘଟଣାଟି ରେଳ ସଦନ ନିକଟରେ ଘଟିଥିବା ବେଳେ ମହିଳାଙ୍କୁ ଉଦ୍ଧାର କରିବା ଏବଂ ମେଡିକାଲରେ ଭର୍ତ୍ତି କରାଇବାରେ ସହାଯ୍ୟ କରିଥିବା ସ୍ଥାନୀୟ ପରିବା ବିକାଳୀ ମହିଳା ଓ ଅନ୍ୟ ଜଣେ ଗାଡ଼ି ଚାଳକ ସଦାଶିବଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହାସହିତ ନିଜ ଡ୍ରାଇଭରଙ୍କୁ ମଧ୍ୟ ସବାସୀ ଜଣାଇଛନ୍ତି ଏସପି । ଏବଂ ଏ ପୂରା ଘଟଣାକୁ ସାମାଜିକ ଗଣମାଧ୍ୟମ ଜରିଆରେ ଶ୍ରୀ ତ୍ରିପାଠୀ ପ୍ରକାଶ କରିବା ସହ ଏଭଳି କାର୍ଯ୍ୟ ତାଙ୍କ ମଧ୍ୟରେ ଦିବ୍ୟ ଆନନ୍ଦ ଭରିଦେଇଥିବା ଲେଖିଛନ୍ତି ।