ଶୀଘ୍ର ଫ୍ରି ଓ୍ବାଇଫାଇ ସହର ହେବ ଭୁବନେଶ୍ବର

1 min read

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ହେବ ଫ୍ରି ଓ୍ବାଇଫାଇ ସହର । ସ୍ମାର୍ଟସିଟିର ଟାର୍ଗେଟରେ ୧୮ ଶହ ପଏଣ୍ଟ । କାର୍ଯ୍ୟକ୍ଷମ ହୋଇ ସାରିଛି ୧ ହଜାର ୩୫୦ ପଏଣ୍ଟ । ଦୈନିକ ହାଇସ୍ପିଡ଼ ନେଟଓ୍ବର୍କ ସହ ଉପଲବ୍ଧ ହେବ ମାଗଣା ୫୦ MB । ସ୍ମାର୍ଟସିଟିକୁ ସ୍ମାର୍ଟ କରିବ ଅତ୍ୟାଧୁନିକ ଯୋଜନା । ସମସ୍ତଙ୍କୁ ମିଳବ ଇଣ୍ଟରନେଟର ସୁବିଧା । ୨୦୧୮ରେ ମାତ୍ର ୨ ଶହ ପଏଣ୍ଟରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ ଇତିମଧ୍ୟରେ ପାଖାପାଖି ୧୪ ଶହ ପଏଣ୍ଟ ସଂଯୋଗ ହୋଇପାରିଛି । ଲୋକଙ୍କୁ ଉନ୍ନତମାନର ତଥା ନିରାବଚ୍ଛିନ୍ନ ସେବା ଯୋଗାଇବା ପାଇଁ ଭିତ୍ତିଭୂମିର ବିକାଶ ହୋଇଛି । ଦୈନିକ ୫୦ MB ମାଗଣା ନେଓ୍ବର୍କର ସୁବିଧା ମିଳିବ । ପ୍ରାଥମିକ ପର୍ଯ୍ୟାୟରେ କମ ସଂଖ୍ୟକ ଜଂକ୍ସନ ବକ୍ସକୁ ନେଇ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ ଏବେ ୧ ହଜାର ଜଂକ୍ସନ ବକ୍ସ ଯୋଡି ହୋଇଛି । ଲୋକଙ୍କ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ୨୪ ଘଣ୍ଟିଆ କର୍ମଚାରୀ ବି ନିୟୋଜିତ ହୋଇଛନ୍ତି । ଖୁବଶୀଘ୍ର ସମସ୍ତ ୧୮ ଶହ ଟାର୍ଗେଟ ପୂରଣ ସହିତ ରାଜଧାନୀରେ ଏହା ଉପଲବ୍ଧ ହେବ । ଏହି ସୁବିଧା ପାଇବାକୁ ହେଲେ ଗ୍ରାହକଙ୍କୁ ଭୁବନେଶ୍ବର ମି ଆପକୁ ଲଗଇନ୍ କରି ନିଜ ମୋବାଇଲ ନମ୍ବର ଦେଲେ ସେଥିରେ ଏକ OTP ନମ୍ବର ଆସିବ । ଏହାକୁ ଦାଖଲ କଲେ ମିଳିବ ଓ୍ବାଇଫାଇ । କିଛି ସମସ୍ୟା ଥିଲେ ୧୯୨୯ ନମ୍ବରରେ ଯୋଗାଯୋଗ କରିପାରିବେ ଲୋକେ ।

ଧନୀ ହେଉ କି ଗରିବ, ସମସ୍ତଙ୍କ ହାତରେ ଏବେ ସ୍ମାର୍ଟଫୋନ । ହାତପାଆନ୍ତରେ ମିଳିପାରୁଛି ସବୁ ଖବର । ଏଭଳି ସ୍ଥିତିରେ ଅନ୍ୟ ମେଟ୍ରୋ ଭଳି ରାଜଧାନୀବାସୀଙ୍କ ପାଇଁ ସ୍ମାର୍ଟସିଟି ଆଣି ଦେଇଛି ଖୁସି ଖବର । ଯାହାର ସୁବିଧା ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଅଟୋ ଚାଳକ ପର୍ଯ୍ୟନ୍ତ ସବୁ ବର୍ଗର ଲୋକ ନେଇପାରିବ । ଯାହାକୁ ନେଇ ସ୍ମାର୍ଟସିଟି କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଛନ୍ତି ସମସ୍ତେ ।

କେବଳ ଓ୍ବାଇଫାଇ ନୁହଁ ବରଂ ଉନ୍ନତମାନର ସୁବିଧା ସହ ଜୀବନ ବିତାଇବା ପାଇଁ ବିଏମସି ଓ ସ୍ମାର୍ଟସିଟି ଚେଷ୍ଟା କରୁଛି । ଏଥିପାଇଁ ରାଜଧାନୀବାସୀଙ୍କ ସହଯୋଗ କାମନା କରାଯାଇଛି ।