ଜମୁଛି ଶିଶିର ସରସ ମେଳା, ଲାଗୁଛି ଲୋକଙ୍କ ଭିଡ଼

1 min read

ଭୁବନେଶ୍ବର: ଜମୁଛି ଶିଶିର ସରସ ମେଳା । ପ୍ରତିଦିନ ସଂଧ୍ୟା ନଇଁଲେ ବରମୁଣ୍ଡା ପଡ଼ିଆର ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି । ମେଳାର ଦେଖଣାହାରୀଙ୍କ ପ୍ରମୁଖ ଆକର୍ଷଣ ସାଜିଛି ନକଲି ଫୁଲ ଓ ଛୁଆଙ୍କ ପାଇଁ କିଡ୍ସ କାର । ପ୍ରାୟ ୪ଶହ ଷ୍ଟଲରେ ପଡ଼ିଥିବା ମସଲା, ଖାଦ୍ୟ , କାଠ କାମ, ଲୁଗାପଟା, ଘରସଜ୍ଜ ସାମଗ୍ରୀ କିଣିବା ପାଇଁ ଜମୁଛି ଗହଳି ।

ବିଭିନ୍ନ ରଙ୍ଗ ଓ ଡିଜାଇନର ଫୁଲ । ଦେଖିଲେ ଆଖି ଲାଖି ଯାଉଛି । ଏହାରି ଭିତରେ ବୁଲିବା ସହ ଫଟୋ ଉଠାଉଛନ୍ତି ଲୋକ । କିଏ ଘରର ଶୋଭା ବଢାଇବାକୁ କିଣି ବି ନେଉଛନ୍ତି । ଅସଲି ଦେଖାଉଥିବା ଏହି ନକଲି ଫୁଲ ଏବେ ଶିଶିର ସରସ ମେଳାର ସାଜିଛି ପ୍ରମୁଖ ଆକର୍ଷଣ। ମେଳାକୁ ବୁଲିବାକୁ ଆସୁଥିବା ଦର୍ଶକ ଏହାକୁ କିଣିବାକୁ ବେଶ୍ ଆଗ୍ରହ ପ୍ରକାଶ କରୁଛନ୍ତି। ଘର ସଜ୍ଜା ସାମଗ୍ରୀ ସାଙ୍ଗକୁ ଘରର ସଜାଇବାକୁ ବିଭିନ୍ନ ରଙ୍ଗର ଫୁଲ କିଣି ନେଉଛନ୍ତି ଲୋକ।

ସମସ୍ତେ କିଣା କିଣିରେ ମଜି ଯାଉଥିଲା ବେଳେ ପାଇଁ ଆସିଥିବା କିଡ୍ସ କାର ନିକଟରେ କିନ୍ତୁ ଜମୁଛି ପିଲାଙ୍କ ଭିଡ଼ । ଛୋଟ ଛୋଟ ଛୁଆଙ୍କ ମନୋରଞ୍ଜନର ଖୋରାକ ଯୋଗାଇଛି ଏହି କିଡସ କାର । କାରରେ ବସି  ଭରପୁର ଆନନ୍ଦ ଉଠାଉଛନ୍ତି କୁନିକୁନି ପିଲା । କାରରେ ବସି ମେଳା ବୁଲିବାର ମଜା ବେଶ ନିଆରା । ମେଳାରେ ଏପରି ସୁବିଧା ମିଳୁଥିବାରୁ ଅଭିଭାବକ ବି ବେଶ ଖୁସ । ଆଉ ଗୋଟିଏ ଦିନ ପରେ ସରିବ ମେଳା । ଚଳିତ ଶିଶିର ସରସ ମେଳାରେ 400 ଷ୍ଟଲରେ SHG ମାଆ ମାନଙ୍କ ବିଭିନ୍ନ ଖାଦ୍ୟ ପଦାର୍ଥ ଓ ମସଲା ବିକ୍ରି ହେଉଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୯ କୋଟି ଟଙ୍କାର ବ୍ୟବସାୟ ହୋଇଥିବା ଓରମାସ୍ ପାଖରୁ ସୂଚନା ଦିଆଯାଇଛି ।