ଗୁଳି ଫୁଟାଇ ସୁନା ଦୋକାନୀଙ୍କ ଠାରୁ ଲୁଟ୍ ଉଦ୍ୟମ: ଜଣେ ଗୁରୁତର

ଭୁବନେଶ୍ୱର: ପୁଣି ରାଜଧାନୀରେ ଫୁଟିଲା ଗୁଳି । ଲୁଟେରାଙ୍କ ଟାର୍ଗେଟରେ ସୁନା ଦୋକାନୀ। ଲୁଟ୍ ଉଦ୍ଦେଶ୍ୟରେ ସାମନ୍ତରାପୁର ଛକରେ ହୋଇଛି ଗୁଳିମାଡ଼ । ଦେବୀ ଦୁର୍ଗା ଜୁଏଲାରୀ ମାଲିକ ଓ କାରିଗର ଲୁଟ୍‌ର ଶିକାର ହୋଇଥିବା ବେଳେ କାରିଗର ରାଜେନ୍ଦ୍ର ସାହୁଙ୍କ ଗୋଡ଼ରେ ବାଜିଛି ଗୁଳି । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେପଟେ ଅଳ୍ପକେ ବର୍ତ୍ତିଛନ୍ତି ସୁନା ଦୋକାନ ମାଲିକ ପ୍ରଶାନ୍ତ କୁମାର ସାହୁ । ସ୍ଥାନୀୟ ଲୋକ ଆସିବାରୁ ଦୋକାନ ଲୁଟିବା ଯୋଜନା ଫେଲ୍ ମାରିଛି ।

କାଲି ରାତିରେ ଦୋକାନ ବନ୍ଦ କରି ଘରକୁ ଯାଉଥିବା ବେଳେ କଳାପଲସରରେ ୩ଜଣ ଲୁଟେରା ଆସି ୩ରାଉଣ୍ଡ ଗୁଳି ଚଲାଇଥିଲେ । ସୁନା ଦୋକାନ କର୍ମଚାରୀଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ମାଲିକ ପ୍ରଶାନ୍ତଙ୍କ ଗୋଡ଼ରେ ଘସି ହୋଇ ଗୁଳି ଖସିଯାଇଛି । ଲିଙ୍ଗରାଜ ଥାନା ପୋଲିସ ଘଟଣାର ତଦନ୍ତ କରୁଛି । ସିସିଟିଭି ଫୁଟେଜ୍ ଆଧାରରେ ଚାଲିଛି ଛାନବିନ୍ ।