ରାଜଧାନୀରେ ଅଭାବନୀୟ ଘଟଣା; ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼

ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁ କୋର୍ଟ । ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମରାଗଲା ମାଡ଼ । ଖବର ପାଇ ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଛନ୍ତି । ମଞ୍ଚେଶ୍ୱର ଲେପର୍ସି କଲୋନୀରେ ଏଭଳି ଘଟଣା ଦେଖିବାକୁ ମିଳିଛି । ପୋଲିସ ସୂଚନା ଅନୁସାରେ ସୋମବାର ସନ୍ଧ୍ୟାରେ କୋଲନୀର ପ୍ରେମିକ ଶଙ୍କର ମଣ୍ଡଳ ପାଖକୁ ଦେଖା କରିବାକୁ ଆସିଥିଲେ ଯୁବତୀ । ଏକଥା ଜାଣିବା ପରେ କଲୋନୀର ମହିଳା ମାନେ ଏକଜୁଟ ହୋଇ ଯୁବତୀଙ୍କୁ କାବୁ କରିବା ସହ ହାତ ଗୋଡ଼ ବାନ୍ଧି ମାଡ଼ ମାରିଥିଲେ ।

ଏହି ଘଟଣାରେ ଯୁବତୀ କୌଣସି ଅଭିଯୋଗ କରିନଥିବା ବେଳେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସେପଟେ ଆଜି ଘଟଣା ସ୍ଥଳକୁ ଯାଇ ମଞ୍ଚେଶ୍ବର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । କୋଲନୀ ବାସିନ୍ଦା କହିବା ଅନୁସାରେ ଯୁବତୀ ଜଣଙ୍କୁ ବାରମ୍ବାର ନଆସିବା ପାଇଁ କହିବା ସ୍ୱତ୍ତ୍ୱେ ଆସୁଥିଲେ । ସେ ଏଠାକୁ ଆସି ଖରାପ କାମ କରୁଥିଲେ । ଯାହା ଫଳରେ କୋଳନୀରେ କୁପ୍ରଭାବ ପଡୁଛି ବୋଲି ଅଭିଯୋଗ ହୋଇଥିଲା ।