କଂଗ୍ରେସ କ୍ୟାଡରରେ ଅଦ୍ଭୁତପୂର୍ବ ଉତ୍ସାହ, ଶହେ ଦିନ ପୂର୍ତ୍ତିରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ

1 min read

ନୂଆଦିଲ୍ଲୀ: ଶହେ ଦିନରେ ଭାରତ ଯୋଡ ଯାତ୍ରା । ପଦଯାତ୍ରାର ଶହେ ଦିନରେ ଆଜି ରାଜସ୍ଥାନର ଜୟପୁରରେ ସ୍ବତନ୍ତ୍ର କାର୍ଯ୍ୟକ୍ରର ଆୟୋଜନ କରାଯାଇଛି । ସନ୍ଧ୍ୟାରେ ହେବାକୁ ଥିବା କନସର୍ଟରେ ବଲିଉଡ ଗାୟିକା ସୁନିଧି ଚୌହାନ ଗୀତ ଗାଇବେ । କନ୍ୟାକୁମାରୀରୁ ବାହାରିଥିବା କଂଗ୍ରେସର ଏହି ପଦଯାତ୍ରା ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ଅତିକ୍ରମ କରି ରାଜସ୍ଥାନରେ ପହଞ୍ଚିଛି ।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଚାଲୁଥିବା ଏହି ପଦଯାତ୍ରା ପ୍ରାୟ ୨୮ଶହ କିମି ଅତିକ୍ରମ କରିସାରିଛି । ରାହୁଲଙ୍କ ପଦଯାତ୍ରାରେ ଅଭିନେତା, କ୍ରୀଡ଼ାବିତଙ୍କ ଠାରୁ ଆରମ୍ଭ କରି ଅର୍ଥନୀତିଜ୍ଞ, ସାମାଜିକ କର୍ମୀ ଓ ବହୁ ପ୍ରସିଦ୍ଧ ବ୍ୟକ୍ତିବିଶେଷ ସାମିଲ ହୋଇଛନ୍ତି । ଶହେ ଦିନର ଏହି ଯାତ୍ରାରେ କଂଗ୍ରେସ କ୍ୟାଡରରେ ଅଦ୍ଭୁତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି । ପଦଯାତ୍ରା ଆରମ୍ଭ ହେବା ପରେ ରାହୁଲଙ୍କ ଇମେଜ୍ ମଧ୍ୟ ପରିବର୍ତ୍ତନ ହୋଇଛି ।

ତୃଣମୂଳସ୍ତରରେ ଲୋକଙ୍କ ସହ ମିଶିବା ପରେ ରାହୁଲଙ୍କୁ ଲୋକେ ପସନ୍ଦ ମଧ୍ୟ କରୁଛନ୍ତି । ବେରୋଜଗାରୀ, ମହଙ୍ଗାମାଡ଼, ଘୃଣା ରାଜନୀତି, ରାଜନୈତିକ ମୁଦ୍ଦାକୁ ବିରୋଧ କରି କଂଗ୍ରେସ ଆରମ୍ଭ କରିଥିବା ଏହି ପଦଯାତ୍ରାରେ ଲକ୍ଷାଧିକ ଲୋକ ସାମିଲ ହୋଇଛନ୍ତି । ପଦଯାତ୍ରା ପରେ ସାରାଦେଶରେ ରାହୁଲଙ୍କ ଲୋକପ୍ରିୟ ବଢୁଥିବା ଦେଖାଯାଉଥିବା ବେଳେ ୨୦୨୪ ନିର୍ବାଚନରେ କଂଗ୍ରେସକୁ ଏହାର ଫାଇଦା ମିଳିବ ବୋଲି ରାଜନୈତିକ ସମୀକ୍ଷକ ମତ ରଖିଛନ୍ତି ।

କର୍ଣ୍ଣାଟକରେ ସିଦ୍ଧରମୈୟା ଓ ଡିକେ ଶିବକୁମାରଙ୍କ ଗୋଷ୍ଠୀ ଏକାଠି ହୋଇ ପଦଯାତ୍ରାକୁ ସଫଳ କରିଥିଲେ । ମହାରାଷ୍ଟ୍ରରେ ଏନସିପି, ଶିବସେନା ତୁଳନାରେ କଂଗ୍ରେସ ଛୋଟ ପାର୍ଟି ହୋଇଥିବା ବେଳେ ବି ରାହୁଲଙ୍କ ପଦଯାତ୍ରାକୁ ବିପୁଳ ଜନସମର୍ଥନ ମିଳିଥିଲା । ସେହିପରି ରାଜସ୍ଥାନ ପାଇଲଟ-ଗେହଲଟ ବିବାଦ ଭିତରେ ବି ପଦଯାତ୍ରା ବେଶ ସଫଳ ହୋଇଛି ।