ବିଲ ମଝିରେ ପୁଅ ହାବୁଡ଼ରେ ପଡ଼ିଲା ମା’, ଠେଙ୍ଗାରେ ପିଟିପିଟି ମାରିଦେଲା…!

ଭଦ୍ରକ: ମା’କୁ ପିଟିପିଟି ମାରିଲା ପୁଅ । ଏଭଳି ଏକ ଅମାନୁଷିକ ଘଟଣା ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲାରୁ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୁଅକୁ ଅଟକ ରଖିଛି ।

ପାରିବାରିକ କଳହକୁ ନେଇ ଏଭଳି ଏକ ଅଭାବନୀୟ କାଣ୍ଡ ଘଟିଛି । ସାନ ପୁଅ ନିରଞ୍ଜନ ଜେନା ତାର ମା’ ମାତାଜୀ ଜେନାକୁ ପିଟିପିଟି ମାରିଥିବା ନେଇ ବାପା ଭଦ୍ରକ ଜିଲ୍ଲା ଧୂସୁରି ଥାନାରେ ଅଭିଯୋଗ କରିଛନ୍ତି । ବାପାର ଅଭିଯୋଗ ପରେ ଧୂଷୁରୀ ପୋଲିସ ନିରଞ୍ଜନକୁ ଗିରଫ କରିଛି । ଏହାସହ ବିଲ ମଝିରେ ପଡ଼ିଥିବା ମାତାଜୀଙ୍କ ମୃତଦେହକୁ ମଧ୍ୟ ପୋଲିସ ଉଦ୍ଧାର କରିଛି । ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଅଭିଯୋଗ ଅନୁଯାୟୀ, ସାନ ପୁଅ ନିରଞ୍ଜନ ବାଙ୍ଗାଲୋରରେ ଏକ ଘରୋଇ କମ୍ପାନୀରେ କାମ କରେ । ହେଲେ କିଛି ଦିନ ହେବ ସେ ଗାଁକୁ ଫେରିଥିଲା । ତେବେ ଗାଁରେ ରହୁଥିବା ବେଳେ ତା’ର ମା ମାତାଜୀ ଜେନା ସହ କୌଣସି କାରଣରୁ ବଚସା ହୋଇଥିଲା । ଆଉ ସେବେଠାରୁ ମା’ ପୁଅ ମଧ୍ୟରେ ତିକ୍ତତା ରହିଥିଲା । ତେବେ ଗତ ୨୯ ତାରିଖ ଦିନ ମାତାଜୀ ନିଜ ବାପ ଘରକୁ ଯାଉଥିବା ବେଳେ ବିଲରେ ନିରଞ୍ଜନଙ୍କ ହାବୁଡ଼ରେ ପଡ଼ିଥିଲେ । ସେଠାରେ ମା’ ପୁଅଙ୍କ ମଧ୍ୟରେ ପୁଣି ଯୁକ୍ତି ତର୍କ ହୋଇଥିଲା । ଆଉ ଏଥିରେ ଉତ୍‌କ୍ଷିପ୍ତ ହୋଇ ନିରଞ୍ଜନ ମା’ର ବେକକୁ ଲୁଗା କାନିରେ ଗୁଡ଼ାଇ ମାରିବାକୁ ଚେଷ୍ଟା କରିଥିଲା । ପରେ ଏକ ଠେଙ୍ଗାରେ ମୁଣ୍ଡକୁ ବାରମ୍ବାର ପିଟିଥିଲା । ଫଳରେ ମାତାଜୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଆଉ ସେ ତଳେ ପଡ଼ିଯାଇଥିଲେ ଓ ମୃତ୍ୟୁ ବରଣ କରିଥିଲେ । ସେଠାରେ ମାତାଜୀଙ୍କୁ ଛାଡ଼ି ନିରଞ୍ଜନ ଚାଲି ଆସିଥିଲା । ଅଭିଯୋଗ ପରେ ପୋଲିସ ନିରଞ୍ଜନକୁ ଗିରଫ କରିଛି ।

Leave a Reply