ଅବିଶ୍ରାନ୍ତ ବର୍ଷାରେ ବେଙ୍ଗାଲୁରୁ ସହର ଉବୁଟୁବୁ

ବେଙ୍ଗାଲୁରୁ: ଅବିଶ୍ରାନ୍ତ ବର୍ଷାରେ ଉବୁଟୁବୁ ବେଙ୍ଗାଲୁରୁ । ରାତି ତମାମ ବର୍ଷା ପରେ ନଦୀର ଭ୍ରମ ସୃଷ୍ଟି କରୁଛି ଆଇଟି କରିଡରର ସ୍ମାର୍ଟ ରୋଡ୍ । ଅଧିକାଂଶ ଅଞ୍ଚଳରେ ବର୍ଷା ପାଣି ଜମି ରହିଥିବା ବେଳେ ଉପୁଜିଛି ବନ୍ୟା ସ୍ଥିତି । ବେଲାନ୍ଦୁର, ସରଜାପୁର ରୋଡ, ହ୍ବାଇଟଫିଲ୍ଡ , ଆଉଟର ରିଂ ରୋଡ୍, ଏୟାରପୋର୍ଟ ଆଦି ଅଞ୍ଚଳରେ ବର୍ଷା ପାଣି ନିଷ୍କାସନ ହୋଇ ନପାରିବାରୁ ରାସ୍ତା ଉପରେ ଶହ ଶହ ଗାଡ଼ିମୋଟର ଅଟକି ରହିଛି ।

କେତେକ ସ୍ଥାନରେ ରାସ୍ତା ଉପରେ ବାଇକଗୁଡ଼ିକ ବୁଡ଼ି ରହିଥିବା ଦେଖାଯାଇଛି । ଆପାର୍ଟମେଣ୍ଟ ବେସମେଣ୍ଟରେ ବର୍ଷା ପାଣି ଜମି ରହିଥିବାରୁ ଘରୁ ବାହାରି ପାରୁନାହାନ୍ତି ଲୋକେ । ୭ଦିନ ମଧ୍ୟରେ ଦ୍ବିତୀୟ ଥର ଲାଗି ବେଙ୍ଗାଳୁରୁରେ ଏଭଳି ସ୍ଥିତି ଦେଖାଯାଇଛି । ବୋଟ୍‌ ରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଥିବା ବେଳେ ପିଲାଙ୍କୁ ସ୍କୁଲ ନପଠାଇବାକୁ ଆହଭାଇଜରୀ ଜାରି କରାଯାଇଛି ।

ଓ୍ବାଟର ଲଗିଂ ଏରିଆ ପାଇଁ ଜୋନାଲ ହେଲ୍ପଲାଇନ ନମ୍ବର ଜାରି କରିଛି ବେଙ୍ଗାଳୁରୁ ମ୍ୟୁନିସିପାଲିଟି । ଗତକାଲି ରାତି ୧୧ଟାରୁ ୪ଟା ମଧ୍ୟରେ ବେଙ୍ଗାଲୁରୁ ଏୟାରପୋର୍ଟ ଏରିଆରେ ୧୦୯ ମିମି ବର୍ଷା ରେକର୍ଡ ହୋଇଛି । ଟର୍ମିନାଲ ପାର୍କିଂରେ ବର୍ଷା ପାଣି ଜମି ରହିଥିବା ଯୋଗୁ ଯାତ୍ରୀମାନେ ବହୁସମସ୍ୟାର ସମ୍ମୁଖିନ ହୋଇଥିଲେ । ପ୍ରବଳ ବର୍ଷା ଯୋଗୁ କେମ୍ପେଗୌଡ଼ା ଏୟାରପୋର୍ଟକୁ ଆସୁଥିବା ୬ଟି ବିମାନକୁ ଚେନ୍ନାଇ ଏୟାରପୋର୍ଟକୁ ଡାଇଭର୍ଟ କରିଥିଲା ଏଟିସି ।