ଦେଶରେ ବେକାରୀ ୪୫ବର୍ଷର ରେକର୍ଡ ଭାଙ୍ଗିଲା

1 min read

ନନ୍ଦିଘୋଷ ବ୍ୟୁରୋ: ଦେଶର ଅଭିବୃଦ୍ଧିକୁ ନେଇ କେନ୍ଦ୍ର ଡିଣ୍ଡିମ ପିଟୁଛି । ହେଲେ ଅଭିବୃଦ୍ଧି ସହିତ ତାଳ ଦେଇ ସୃଷ୍ଟି ହେଉନି ରୋଜଗାର । ବେକାରୀ ସଂଖ୍ୟା ଉତ୍କଟ । ଆଇଆଇଏମ୍ ଲକ୍ଷ୍ନୌ, ବିର୍ଲା ବୈଷୟିକ ପ୍ରତିଷ୍ଠାନ ଓ ଭାରତ ସରକାରଙ୍କ କୃଷି ମନ୍ତ୍ରାଳୟର ଗବେଷଣାରୁ ଜଣାପଡ଼ିଛି, ଅପାଠୁଆ ବେକାରୀଙ୍କଠୁ ଶିକ୍ଷିତ ବେକାରୀଙ୍କ ସଂଖ୍ୟା ଢେର ଅଧିକ। ଦେଶରେ ଏଭଳି ସ୍ଥିତି ଥିବାବେଳେ ଓଡ଼ିଶା ଭଲ ସ୍ଥିତିରେ ରହିଛି। ଗତ ୧୦ ବର୍ଷରେ ରାଜ୍ୟର ମୁଣ୍ଡପିଛା ଆୟ ୩ ଗୁଣ ବୃଦ୍ଧି ପାଇଛି ।

ଦେଶରେ ବେକାରୀ ୪୫ବର୍ଷର ରେକର୍ଡ ଭାଙ୍ଗିଲା । ଏଭଳି ରିପୋର୍ଟ ଦେଇଥିଲା ଜାତୀୟ ସାମ୍ପୁଲ ସର୍ଭେ ଅଫିସ୍-ଏନ୍ଏସ୍ଏସ୍ଓ । ଆଇଆଇଏମ୍ ଲକ୍ଷ୍ନୌ, ବିର୍ଲା ବୈଷୟିକ ପ୍ରତିଷ୍ଠାନ ଓ ଭାରତ ସରକାରଙ୍କ କୃଷି ମନ୍ତ୍ରାଳୟର ମିଳିତ ରିପୋର୍ଟ । ବେକାରୀ ହାର ନକମି ନେଲାଣି ଉତ୍କଟ ରୂପ । ୫୫ କୋଟି ରୋଜଗାରକ୍ଷମ ବ୍ୟକ୍ତିଙ୍କ ଭିତରେ ୫୪.୯ ପ୍ରତିଶତ ଆତ୍ମ ନିଯୁକ୍ତି ଦ୍ବାରା ରୋଜଗାର ସୃଷ୍ଟି କରୁଥିବାବେଳେ ୨୨.୮ ପ୍ରତିଶତ ନିୟମିତ ରୋଜଗାର ଏବଂ ୨୨.୩ ପ୍ରତିଶତ ବେଳେ ବେଳେ ରୋଜଗାର ପାଉଛନ୍ତି । ଦେଶର ଅଭିବୃଦ୍ଧି ହେଉଛି ବୋଲି କେନ୍ଦ୍ର ସରକାର ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ଅଭିବୃଦ୍ଧି ସହିତ ତାଳ ଦେଇ ରୋଜଗାର ସୃଷ୍ଟି ହେଉନି ।  ଅପାଠୁଆ ଓ ଦର ଶିକ୍ଷିତଙ୍କ ତୁଳନାରେ ଉଚ୍ଚଶିକ୍ଷିତଙ୍କ ବେକାରୀ ସଂଖ୍ୟା ଦେଶରେ ଅଧିକ। ୧୫ରୁ ୨୯ ବର୍ଷ ବୟସର ଶିକ୍ଷିତ ବେକାରୀଙ୍କ ସଂଖ୍ୟା ୧୪.୭୩ ପ୍ରତିଶତ । ଖାଲି ସେତିକି ନୁହେଁ, ପୁରୁଷଙ୍କ ତୁଳନାରେ ମହିଳାଙ୍କ ନିଯୁକ୍ତି ବହୁତ କମ୍ । ସିଏମ୍ଆଇଇ ରିପୋର୍ଟ ଅନୁଯାୟୀ,  ଗୁଣାତ୍ମକ ନିଯୁକ୍ତି ଦେବାରେ ଭାରତ ବହୁ ତଳେ ରହିଛି । ଅବସ୍ଥା ଏପରି ହୋଇଛି ନିର୍ମାଣ କାର୍ଯ୍ୟ ଓ ନର୍ସିଂ କ୍ଷେତ୍ରରେ ନିଯୁକ୍ତି ପାଇଁ ଭାରତ ସରକାର ତାଇଓ୍ବାନ୍ ଓ ଇସ୍ରାଏଲ ସରକାରଙ୍କ ସହ କଥା ହେଉଛନ୍ତି । ଏପରିକି ଚଳିତମାସରେ ତାଇଓ୍ବାନ୍ ସରକାରଙ୍କ ସହ ସ୍ବାକ୍ଷରିତ ହୋଇଛି ବୁଝାମଣା ପତ୍ର ।

ଜାତୀୟ ବେକାରୀ ହାରଠାରୁ ଢେର ଭଲ ସ୍ଥିତିରେ ରହିଛି ଓଡ଼ିଶା । ଖାଦ୍ୟଶସ୍ୟ ନିଅଣ୍ଟିଆ ରାଜ୍ୟରୁ ଖାଦ୍ୟ ବଳକା ରାଜ୍ୟରେ ପରିଣତ ହୋଇଛି। ଇସ୍ପାତ ଶିଳ୍ପଠାରୁ ଆରମ୍ଭ କହି ବିଶ୍ବର ବୃହତ୍ତମ ଆମୋନିଆ ପ୍ଲାଣ୍ଟ, ଗ୍ରୀନ ହାଇଡ୍ରୋଜେନ୍ ଆଧାରିତ ଇସ୍ପାତ ପ୍ଲାଣ୍ଟ୍, ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ, ମିଶନ ଶକ୍ତି ମହିଳାଙ୍କ ଆତ୍ମନିଯୁକ୍ତିରେ ଯୋଡ଼ିଛି ନୂଆ ଅଧ୍ୟାୟ । ସହରାଞ୍ଚଳରେ ଶ୍ରମଜୀବୀଙ୍କ ପାଇଁ ମୁକ୍ତା ଯୋଜନାଠୁ ଆରମ୍ଭ କରି ଉଠାଦୋକାନୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ରୋଜଗାର ଦେବା ପାଇଁ ବ୍ୟବସ୍ଥା କରିଛନ୍ତି ସରକାର । ବିଶ୍ବ ଦକ୍ଷତା ବିକାଶ କେନ୍ଦ୍ର, ବ୍ୟାଟେରି ଗାଡ଼ି ଉତ୍ପାଦନ ପ୍ଲାଣ୍ଟ ପାଇଁ ପୁଞ୍ଜି ଆକୃଷ୍ଟି କରିପାରିଛି ଓଡ଼ିଶା । ରାଜ୍ୟରେ ସ୍ଥିର ସରକାର ଓ ଦୂରଦୃଷ୍ଟି ସମ୍ପନ୍ନ ଭିଜନ ଯୋଗୁ ଏକଥା ସମ୍ଭବ ହୋଇପାରିଛି । ଗତ ୧୦ ବର୍ଷ ଭିତରେ ରାଜ୍ୟରେ ମୁଣ୍ଡପିଛା ଆୟ ୩ ଗୁଣା ବୃଦ୍ଧି ପାଇଛି ।