ବନ୍ଦ ହେବାକୁ ଯାଉଛି ବାରିପଦାର ଏକମାତ୍ର ଭିନ୍ନକ୍ଷମ ବିଦ୍ୟାଳୟ

1 min read

ବାରିପଦା: ଭିନ୍ନକ୍ଷମ ପିଲାଙ୍କୁ ନେଇ ବାରିପଦା ଲକ୍ଷ୍ମୀପୋଷି ଠାରେ ଆରମ୍ଭ ହୋଇଥିଲା ବିଦ୍ୟାଳୟ  । ହେଲେ ଏବେ ଏହାକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଆସିଥିବା ବେଳେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି  । ଆର୍ଥିକ ସଙ୍କଟ ଆଳ ଦେଖାଇ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅପରପକ୍ଷରେ ଏହାର ପୁନଃ ବିଚାର ପାଇଁ ଦାବି ହୋଇଛି  ।

ବାରିପଦା ଲକ୍ଷ୍ମୀପୋଷି ଠାରେ ସ୍ୱର୍ଗତ ପ୍ରଶାନ୍ତ ମହାନ୍ତି ୧୯୮୬ରେ ଏଠାରେ ଆରମ୍ଭ କରିଥିଲେ ଭିନ୍ନକ୍ଷମ ବିଦ୍ୟାଳୟ  । ୨୦୦୪ ମସିହାରେ ପ୍ରଶାସନର ଜରୁରୀକାଳୀନ ବିଭାଗ ଏହାର ଦାୟିତ୍ୱ ନେଇଥିବା ବେଳେ ପରେ ୨୦୧୬ରେ ସାମାଜିକ ସୁରକ୍ଷା ବିଭାଗ ଦାୟିତ୍ୱ ହାତକୁ ନେଇଥିଲେ ।

ହେଲେ ଏବେ ଏହା ବନ୍ଦ ହେବାକୁ ଯାଉଛି । ଆର୍ଥିକ ସଙ୍କଟ ଆଳ ଦେଖାଇ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଶାସନ ।ଅନ୍ୟପେଟ ୨୦୨୦-୨୧ ପାଇଁ ଛାତ୍ରଛାତ୍ରୀଙ୍କ ନାମ ଲେଖା ମଧ୍ୟ ବନ୍ଦ କରାଯିବା ନେଇ ନୋଟିସ୍ ଦିଆଯାଇଛି  । ଯାହାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ ।

ସ୍କୁଲରେ ମୋଟ ୫୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରିଆସୁଥିଲେ  । ଏବେ ହଠାତ୍ ସ୍କୁଲ ବନ୍ଦ ନିଷ୍ପତ୍ତି ଯୋଗୁ ଏମାନଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି  । ପ୍ରଶାସନର ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଥିବା ବେଳେ ପୁନଃ ବିଚାର ପାଇଁ ଦାବି ହୋଇଛି  ।.

Leave a Reply