ଚକ୍ ଚକ୍ ଦିଶିଲାଣି ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲ

1 min read

ଭୁବନେଶ୍ବର: ଚକ୍ ଚକ୍ ଦିଶିଲାଣି ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲ । ଟର୍ମିନାଲରେ ଶେଷ ସ୍ପର୍ଶ ଦେଉଛନ୍ତି ଶ୍ରମିକ । ବିଶ୍ବସ୍ତରୀୟ ଟ୍ରାଞ୍ଜିଟସିଷ୍ଟମ ସହ ନିର୍ମାଣ ହୋଇଛି ବରମୁଣ୍ଡା ବସଷ୍ଟାଣ୍ଡ । ‘ଫାଇଭ-ଟି’ ନୀତି ଆଧାରରେ ନିର୍ମାଣ ହେଉଥିବା ଏହି ଆନ୍ତଃରାଜ୍ୟ ବସ ଟର୍ମିନାଲ ପାଇଁ ରାଜ୍ୟ ସରକାର ୧୮୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ପୂର୍ଣ୍ଣାଙ୍ଗ ରୂପ ପାଇବା ପରେ ଏୟାରପୋର୍ଟ ଭଳି ଅନୁଭୂତି ସାଉଁଟିବେ ଯାତ୍ରୀ । ଆସନ୍ତୁ ନଜର ପକାଇବା କେମିତି ଦିଶିଲାଣି ଆମ ବରମୁଣ୍ଡା ନୂଆ ବସଷ୍ଟାଣ୍ଡ ।

ଆକର୍ଷଣୀୟ ଦିଶିଲାଣି ବରମୁଣ୍ଡା ବସଷ୍ଟାଣ୍ଡ । ଚାରିଆଡ ଚକ୍ ଚକ୍ । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କାମ । ଖୁବ୍ ଶୀଘ୍ର ରାଜ୍ୟବାସୀଙ୍କ ପାଇଁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଖର୍ଚ୍ଚ ହୋଇଛି ୧୮୦ କୋଟି ଟଙ୍କା । ସବୁଠି ହାଇଟେକ୍ ବ୍ୟବସ୍ଥା । ଫୁଡକୋର୍ଟ ସାଙ୍ଗକୁ ବୈଦ୍ୟୁତିକ ଶିଡ଼ି, ଲିଫ୍ଟ, ବହୁତଳବିଶିଷ୍ଟ କାର ର୍ପାର୍କିଂ ବ୍ୟବସ୍ଥାର କାମ ଶେଷ ହୋଇ ଡ୍ରାଏରନ୍ ମଧ୍ୟ ସରିଛି ।

୧୧ ଏକର ପରିମିତ ଅଞ୍ଚଳରେ ନିର୍ମାଣ ହୋଇଥିବା ଏହି ବସଟର୍ମିନାଲଟି ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ରହିଛି । ରେଷ୍ଟରୁମ୍ ସହ ବସଷ୍ଟାଣ୍ଡ ଆସୁଥିବା ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏଠାରେ ଆହାର ପ୍ଲସ କେନ୍ଦ୍ର ସ୍ଥାପନ କରାଯାଉଛି । ଏସି ରୁମରେ ଆହାର ପରଷାଯିବା ସହିତ ଷ୍ଟାର ହୋଟେଲ ଭଳି ଡାଇନିଂ ଟେବୁଲରେ ବସି ଯାତ୍ରୀମାନେ ଆହାର ସେବନ କରିବାର ବ୍ୟବସ୍ଥା କରାଯାଇଛି।

କେଉଁ ବସ କେଉଁ ରୁଟରେ ଯିବ, କେତେବେଳେ ବସଷ୍ଟାଣ୍ଡ ଛାଡ଼ିବ । ଏ ସବୁର ତଥ୍ୟ ସ୍କ୍ରିନରେ ଝଲସିବ । ବସଷ୍ଟାଣ୍ଡକୁ ଆସିବା ଓ ଛାଡ଼ିବାର ସୂଚନା ସ୍ବୟଂଚାଳିତ ଆନାଉନ୍ସ କରାଯିବ । କେଉଁ ବସ କେତେବେଳେ କେଉଁ ବେ’ରେ ପହଞ୍ଚିବ ଓ ସେଠାରୁ ଗନ୍ତବ୍ୟସ୍ଥଳକୁ ଗତି କରିବ, ତା’ର ସୂଚନା ଆପେ ଆପେ ଚାଳକଙ୍କ ନିକଟରେ ପହଞ୍ଚିଯିବ । ବସଟର୍ମିନାଲ କାର୍ଯ୍ୟକ୍ଷମ ହେବା ପରେ ଏଠାରୁ ଦେଶର ବିଭିନ୍ନ ସ୍ଥାନ ଯଥା ବିଶାଖାପାଟନା, ହାଇଦ୍ରାବାଦ, ରାୟପୁର, ରାଞ୍ଚି, କୋଲକାତା ଓ ବେଙ୍ଗାଲୁରୁ ସମେତ ଦେଶର ଅନେକ ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ବସ୍ ଚଳାଚଳ କରିବ ।