ଶ୍ରୀଜୀଉଙ୍କ ବାଙ୍କଚୂଡ଼ା ବେଶ ଦର୍ଶନ କରି ପୁଣ୍ୟ ଅର୍ଜନ କରିଛନ୍ତି ଅଗଣିତ ଶ୍ରଦ୍ଧାଳୁ
ପୁରୀ : ମହାପ୍ରଭୁଙ୍କ ବାଙ୍କଚୂଡା ବେଶ । ଦୁର୍ଲଭ ବେଶ ଦର୍ଶନ କରି ଭକ୍ତ ଭଗବାନ ଏକାକାର । କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତଥା ଆଜି ପଞ୍ଚୁକର ଦ୍ୱିତୀୟ ଦିନରେ ମହାପ୍ରଭୁ ବାଙ୍କଚୂଡ଼ା ବେଶରେ ଲକ୍ଷାଧିକ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି ପରେ ଖୁଣ୍ଟିଆ, ମେକାପ ଓ ପୁଷ୍ପାଳକ ସେବାୟତ ମାନେ ଶ୍ରୀଜୀଉଙ୍କୁ ଏହି ଦୁର୍ଲଭ ବେଶରେ ସଜ୍ଜିତ କରିଥିଲେ । କିମ୍ବଦନ୍ତୀ ଅନୁଯାୟୀ, ଭକ୍ତ ଅକୃର ଶ୍ରୀକୃଷ୍ଣଙ୍କୁ ମଥୁରା ନେବା ପାଇଁ ଗୋପପୁରକୁ ଆସି ଏହି ବେଶ ଦର୍ଶନ କରିଥିଲେ। ଏଣୁ ଏହାର ସ୍ମୃତି ସ୍ୱରୁପ ଏହି ବେଶ ପଞ୍ଚୁକର ଦ୍ୱାଦଶୀ ତିଥିରେ ଅନୁଷ୍ଠିତ ହେଉଛି। ଏହି ବେଶରେ ମହାପ୍ରଭୁଙ୍କର ମସ୍ତକର ଦକ୍ଷିଣ ପାର୍ଶ୍ୱରେ ସୁନା କିଆ ଶୋଭା ପାଇଥାଏ । ବାଙ୍କଚୂଡ଼ା ବେଶ ଦର୍ଶନରେ ଅଶେଷ ପୁଣ୍ୟ ମିଳେ ବୋଲି ବିଶ୍ୱାସ ଥିବାରୁ ଲକ୍ଷାଧିକ ଭକ୍ତ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କରି ନିଜକୁ ଭାଗ୍ୟବାନ ମନେ କରିଛନ୍ତି।
ପଞ୍ଚୁକ ବ୍ରତର ଦ୍ୱିତୀୟ ଦିନରେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁ ଓ ହବିଷ୍ୟାଳିଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ନୀତି କାନ୍ତିକୁ ତ୍ୱରାନ୍ୱିତ କରାଯାଇ ମହାପ୍ରଭୁଙ୍କର ବେଶ ଅନୁଷ୍ଠିତ କରାଯିବା ସହ ଶୃଙ୍ଖଳିତ ଦର୍ଶନ ନେଇ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଧ୍ୟାନ ଦିଆଯାଇଛି । ତେବେ ଗତକାଲି ପଞ୍ଚକର ପ୍ରଥମ ଦିନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନେକ ବିଶେଷ ନୀତି ଅନୁଷ୍ଠିତ ହୋଇଥିବାରୁ ରାତ୍ର ପହୁଡ଼ କରାଯାଇପାରିନଥିଲା । ତେବେ ଆଜି ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ସୂଚାର ରୂପେ କରାଯାଇ ପହୁଡ଼ ନୀତି ଅନୁଷ୍ଠିତ ହେବ । ସେନେଇ ସେବାୟତ ମାନେ ତତ୍ପର ରହିଛନ୍ତି । ଧର୍ମ ମାସରେ ଧାର୍ମିକ ପୁଣ୍ୟ ନେଇ ଶ୍ରୀକ୍ଷେତ୍ରରେ ପ୍ରବଳ ଲାଗିରହିଥିବା ବେଳେ ଆଜି ଶ୍ରୀମନ୍ଦିରରେ ଗରୁଡ଼ ଉତ୍ଥାପନ ନୀତି ମଧ୍ୟ ଅନୁଷ୍ଠିତ ହୋଇଥିବା ଜଣାପଡିଛି । ଆସନ୍ତାକାଲି ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ଗତ କାଲି ପ୍ରଶାସନିକ ଅବ୍ୟବସ୍ଥାରୁ ଭକ୍ତ ମାନେ ଠେଲା ପେଲା ହୋଇଥିବା ସ୍ଥାନରେ ପ୍ରଶାସନ ପକ୍ଷରୁ ସିସିଟିଭି ଲଗାଯାଇଥିବା ଦେଖିବାକୁ ମିଳିଛି ।