ଛାତ୍ରଙ୍କ ଚାପରେ ଇସ୍ତଫା ଦେଲେ ବାଂଲାଦେଶର ପ୍ରଧାନ ବିଚାରପତି

ନନ୍ଦିଘୋଷ ବ୍ୟୁରୋ: ପ୍ରଥମେ ପ୍ରଧାନମନ୍ତ୍ରୀ, ୪ ଦିନ ପରେ ପ୍ରଧାନ ବିଚାରପତି। ଏମାନେ ହୋଇଛନ୍ତି ଗାଦିଚ୍ଯୁତ। ଛାତ୍ର ଆନ୍ଦୋଳନ ନେଇଛି ଏହି ଦୁଇଟି ବଡ଼ ବଡ଼ ପଦ। ବାଂଲାଦେଶରେ ଦେଖିବାକୁ ମିଳିଛି ଏହି ଘଟଣା। ପ୍ରଧାନ ବିଚାରପତି ଓବୈଦୁଲ ହସନ ଆଜି ଇସ୍ତଫା ଦେଇଛନ୍ତି। ଛାତ୍ରଙ୍କ ଆନ୍ଦୋଳନ ପରେ ସେ ଇସ୍ତଫା ଦେବାକୁ ବାଧ୍ଯ ହୋଇଛନ୍ତି। ଆଜି ସୁପ୍ରିମକୋର୍ଟର ସବୁ ବିଚାରପତିଙ୍କ ଏକ ବୈଠକ ଡାକିଥିଲେ ପ୍ରଧାନ ବିଚାରପତି ଓବୈଦୁଲ ହସନ। ଏହି ଖବର ପରେ ତାତିଥିଲେ ଛାତ୍ରମାନେ। ନୂଆ ସରକାରର ବିନା ଅନୁମତିରେ କେଉଁ ଅଧିକାରରେ ସେ ବୈଠକ ଡାକିଛନ୍ତି ପ୍ରଶ୍ନ କରିଥିଲେ ଛାତ୍ରମାନେ। ହଜାର ହଜାର ଛାତ୍ର ସୁପ୍ରିମକୋର୍ଟ ଘେରାଉ କରିବା ସହିତ ଇସ୍ତଫା ଦେବାକୁ ମାତ୍ର ୧ ଘଣ୍ଟା ସମୟ ଦେଇଥିଲେ। ସମସ୍ତ ବିଚାରପତି ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲେ ଛାତ୍ରମାନେ। ସଂରକ୍ଷଣ ଷଡ଼ଯନ୍ତ୍ରରେ ବିିଚାରପତିଙ୍କ ହାତ ଥିବା ମଧ୍ଯ ସେମାନେ ଅଭିଯୋଗ କରିଛନ୍ତି। ଉତ୍ତେଜନାମୂଳକ ପରିସ୍ଥିତି ଦେଖି ପ୍ରଧାନ ବିଚାରପତି ପଦରୁ ଇସ୍ତଫା ଦେଇଛନ୍ତି ହସନ। ସୁପ୍ରିମକୋର୍ଟରୁ ସେ ପଳାୟନ କରିଥିବା ମଧ୍ଯ ସୂଚନା ମିଳିଛି। ଅର୍ଥାତ ଛାତ୍ର ଆନ୍ଦୋଳନ ଖାଇଛି ପ୍ରଧାନମନ୍ତ୍ରୀ ପଦ ଓ ପ୍ରଧାନବିଚାରପତି ପଦ। ଗତ ଜୁଲାଇ ମାସରୁ ଆରମ୍ଭ ହୋଇଥିବା ବାଂଲାଦେଶର ଛାତ୍ର ଆନ୍ଦୋଳନରେ ଶେଖ ହସିନା ସରକାରର ପତନ ଘଟିଛି। ଆନ୍ଦୋଳନରେ ୪୫୦ରୁ ଅଧିକ ଲୋକଙ୍କ ମୃତ୍ଯୁ ହୋଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ଶେଷରେ ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଶେଖ ହସିନା। ଏହା ସହିତ ସେ ଦେଶ ଛାଡ଼ି ଭାରତକୁ ପଳାଇ ଆସିଛନ୍ତି ଶେଖ ହସିନା। ତାଙ୍କର ପରବର୍ତ୍ତୀ ପଦକ୍ଷେପ କଣ ହେବ, ତାହା ଜଣାପଡ଼ିନି। ଗତ ଶୁକ୍ରବାର ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ଵରେ ବାଂଲାଦେଶରେ ଗଠନ ହୋଇଛି ନୂଆ ସରକାର।