ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ, ଶ୍ରୀବିଗ୍ରହଙ୍କ ମୁଖମଣ୍ଡଳ ଶୃଙ୍ଗାର କରିବେ ସେବାୟତ

ପୁରୀ: ଆଜି ଚାରି ଘଣ୍ଟା ପାଇଁ ଶ୍ରୀମନ୍ଦିରରେ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ। ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ। ଶ୍ରୀଜିଉ ମାନଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କର ଏହି ସ୍ୱତନ୍ତ୍ର ଗୁପ୍ତ ନୀତି ଅପରାହ୍ନ ୪ଟାରୁ ସଂଧ୍ୟା ୮ଟା ମଧ୍ୟରେ ଅନୁଷ୍ଠିତ ହେବ। ଶ୍ରୀଜିଉ ମାନଙ୍କର ଶ୍ରୀମୁଖ ଶୃଙ୍ଗାର ନୀତି ଦତ୍ତ ମହାପାତ୍ର ସେବାୟତ ଏହା ସମ୍ପାଦନ କରିବେ। ପାରମ୍ପରିକ ରଙ୍ଗରେ ଶ୍ରୀଜିଉମାନଙ୍କର ଶୃଙ୍ଗାର କରାଯିବ । ସେହି ସମୟରେ ସାଧାରଣ ଦର୍ଶନ ୪ ଘଣ୍ଟା ପାଇଁ ବନ୍ଦ ହେବ ।
ପ୍ରତିମାସରେ ହାରାହାରି ଦୁଇଥର ଶ୍ରୀଜୀଉମାନଙ୍କର ମୁଖଶ୍ରୀର ପ୍ରସାଧନ (ରଙ୍ଗଲାଗି) ବା ବନକଲାଗି ହୋଇଥାଏ। ବନକଲାଗି ରୀତି ‘ଦତ୍ତ ମହାପାତ୍ର’ ଗୋଷ୍ଠୀର ସେବକମାନଙ୍କ ଦ୍ୱାରା କରାଯାଇଥାଏ। ନିୟମ ଅନୁଯାୟୀ ବୁଧବାର ଦିନ ବନକଲାଗି ହୋଇଥାଏ। ଦି’ପ୍ରହର ଧୂପ ସରିବାପରେ ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି କରାଯାଇଥାଏ। ଦତ୍ତମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଦେବତାମାନଙ୍କର ମୁଖସିଂହାର କରନ୍ତି। ଏହି ନୀତି ସମାପନ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିରର ସମସ୍ତ ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ରହେ। ତିନି ଦାରୁମୂର୍ତ୍ତିଙ୍କ ମୁଖମଣ୍ଡଳରେ ଶୃଙ୍ଗାରକୁ ମନ୍ଦିର ଭାଷାରେ ବନକଲାଗି କୁହାଯାଏ ।
କବି ସାଲବେଗ ମହାପ୍ରଭୁଙ୍କ ଶ୍ରୀମୁଖ ଦେଖି ଲେଖିଛନ୍ତି ‘ଝଲମଲ ଦିଶୁଥାଇ ମୁକୁତାର ଝଟକ’। କୌଣସି ଆଭୂଷଣ ନଥାଇ ମହାପ୍ରଭୁଙ୍କ ମୁଖମଣ୍ଡଳ ଭକ୍ତଙ୍କୁ ଆକର୍ଷିତ କରେ। ଏହି ଆକର୍ଷଣର କାରଣ ମୁହଁର ରଙ୍ଗବିନ୍ୟାସ। ଏହି ରଙ୍ଗବିନ୍ୟାସ ବା ବନକଲାଗି ନୀତି ପାଇଁ ଏକ ସ୍ୱତନ୍ତ୍ର ସେବାୟତ ଗୋଷ୍ଠୀ ଅଛନ୍ତି। ଏମାନଙ୍କୁ ଦତ୍ତ ମହାପାତ୍ର କୁହାଯାଏ। ଏମାନଙ୍କ କାମ ହେଲା ରଙ୍ଗପ୍ରସ୍ତୁତ କରିବା ଓ ବିଗ୍ରହରେ ଲଗାଇବା। ରଙ୍ଗ ସହିତ କସ୍ତୁରୀ ଓ କେଶର ଭଳି ଦାମୀ ସୁବାସିତ ପଦାର୍ଥ ବ୍ୟବହୃତ ହେଉଥିବାରୁ, ବିଧିମତେ ଥରେ ବନକଲାଗି ପାଇଁ ୭ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହୁଏ।
ବଜାରରେ ମିଳୁଥିବା ରଙ୍ଗ ବନକଲାଗିରେ ବ୍ୟବହାର ହୁଏ ନାହିଁ। ମହାପ୍ରଭୁଙ୍କ ଲାଗି ଉର୍ଦ୍ଦିଷ୍ଟ ରଙ୍ଗଗୁଡିକ ପ୍ରସ୍ତୁତ ପାଇଁ ଭିତର ବେଢାର ଉତ୍ତର ପଟେ ଗୋଟିଏ କୋଠରୀ ରହିଛି। ଏହାକୁ ବନକଲାଗି ଘର କୁହାଯାଏ। ଶଙ୍ଖକୁ ଚୂର୍ଣ୍ଣ କରି ଧଳାରଙ୍ଗ, ହରିତାଳରୁ ହଳଦିଆ ଓ ହିଙ୍ଗୁଳରୁ କଳା ପ୍ରସ୍ତୁତ ହୁଏ। ଏସବୁ ରଙ୍ଗରେ କର୍ପୁର ଓ କସ୍ତୁରୀ ମିଶେ। କସ୍ତୁରୀ ଯୋଗୁଁ ମହାପ୍ରଭୁଙ୍କ ମୁଖମଣ୍ଡଳ ଉଜ୍ଜଳ ଓ ମସୃଣ ରହେ। ରତ୍ନସିଂହାସନ ଆଗରେ ଯେଉଁ ଭୋଗ ବଢାହୁଏ ତା’ର ଗରମବାଷ୍ପ ଯୋଗୁଁ ମୁଖମଣ୍ଡଳର ଉଜ୍ଜଳତା କମିଯାଏ। କସ୍ତୁରୀ ବ୍ୟବହାର ଯୋଗୁଁ ରଙ୍ଗ ଦୀର୍ଘସ୍ଥାୟୀ ହୁଏ।