ବାଲିପାଟଣା ଗୁଳିକାଣ୍ଡରେ ନୂଆ ଟୁଇଷ୍ଟ: ନିଜକୁ ନିଜେ ଗୁଳି ମାରିଛି ଦୀପ୍ତି, ତିନି ଗିରଫ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଥାନା ନିକଟରେ ଗୁଳିକାଣ୍ଡ ଘଟଣାରେ ନୂଆ ଟୁଇଷ୍ଟ । କୌଣସି ଦୁର୍ବୃତ୍ତ ବାଇକରେ ଆସି ନଥିଲେ କି ଗୁଳି ମାରି ନଥିଲେ । ନିଜେ ନିଜକୁ ଗୁଳି ମାରିବା ପରେ ଦୁର୍ବୃତ୍ତ ଗୁଳି ମାରିଥିବାର ନାଟକ କରିଥିଲେ ପୀଡ଼ିତ ଦୀପ୍ତି ରଞ୍ଜନ ମହାପାତ୍ର । ଅନ୍ୟଙ୍କୁ ଫସାଇବାକୁ ଯାଇ ନିଜ ଜାଲରେ ନିଜେ ଫସିଛନ୍ତି ଦୀପ୍ତି । ଏହାସହ ପୋଲିସ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରିଛି । ପୀଡ଼ିତ ନିଜେ ଗିରଫ ହୋଇଥିବା ବେଳେ ବନ୍ଧୁକ ଯୋଗାଇଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ଅନ୍ୟ ଜଣେ ଅଭିଯୁକ୍ତଙ୍କ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନି । ଅଭିଯୁକ୍ତଙ୍କ ପାଖଣୁ ଏକ ୯ ଏମଏମ ପିସ୍ତଲ ଜବତ କରିଛି ପୋଲିସ ।

ଘଟଣା ଘଟିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପ୍ରାଥମିକ ତଦନ୍ତରୁ ଦୀପ୍ତି ନିଜେ ନିଜକୁ ଗୁଳି ମାରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରତିପକ୍ଷଙ୍କୁ ଫସାଇବା ପାଇଁ ଯୋଜନା ରଚିଥିଲା ଦୀପ୍ତି । ଗୁଳିକାଣ୍ଡରେ ବ୍ୟବହୃତ ବନ୍ଧୁକ ଯୋଗାଇଥିବା ବ୍ୟକ୍ତି ବିଷୟରେ ପୋଲିସ ଜାଣିବାକୁ ପାଇଛି । ଏପରିକି ପୋଲିସ ସେ ବ୍ୟକ୍ତିଙ୍କ ପାଖରେ ବି ପହଞ୍ଚି ସାରିଛି । ଏପଟେ ଗୁଳିକାଣ୍ଡରେ ବ୍ୟବହୃତ ବନ୍ଧୁକକୁ ଖୋଜୁଛି ପୋଲିସ ।

ପୋଲିସ ସୂଚନା ଅନୁସାରେ, ୨୦୨୪ରେ ଏକ ଦୁଷ୍କର୍ମ ମାମଲାରେ ପୂର୍ବରୁ ଗିରଫ ହୋଇଥିଲା ଆହତ ଦୀପ୍ତି । ଦୁଷ୍କର୍ମ ଅଭିଯୋଗ ଆଣିଥିବା ପରିବାରକୁ ଫସାଇବା ପାଇଁ ଦୀପ୍ତି ଏଭଳି ଯୋଜନା ରଚିଥିଲା ।

ଗତକାଲି ବାଲିପାଟଣା ଥାନା ନିକଟରେ ଦୀପ୍ତିଙ୍କ ଉପରକୁ ଗୁଳି ମାଡ ହୋଇଥିଲା । ଗୁଳି ମାଡ ଘଟଣାରେ ଦୁଷ୍କର୍ମ ପୀଡିତାଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଦୀପ୍ତି । ପୋଲିସ ଅଭିଯୋଗ ଆଧାରରେ ଖୋଳ ତାଡ଼ କରିବା ପରେ ଗୁଳିକାଣ୍ଡ ଘଟଣାର ଅସଲ ସତ ସାମ୍ନାକୁ ଆଣିଛି ।