ମହନ୍ତ ନରେନ୍ଦ୍ର ଗିରିଙ୍କୁ ଭାଇ ବୋଲି ଦାବି କଲେ ବାଲେଶ୍ୱରର ଲକ୍ଷ୍ମୀକାନ୍ତ

ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହନ୍ତ ନରେନ୍ଦ୍ର ଗିରିଙ୍କ ହତ୍ୟା ଅଭିଯୋଗ ନେଇ ସାରାଦେଶରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ଏକ ନୂଆ ତଥ୍ୟ ପଦାକୁ ଆସିଛି । ମହନ୍ତ ନରେନ୍ଦ୍ର ଗିରି ଜଣେ ଓଡ଼ିଆ ଏବଂ ତାଙ୍କ ଜନ୍ମସ୍ଥାନ ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ ଅନ୍ତର୍ଗତ ପାଣିଷଣ୍ଡା ଗାଁରେ । ସେହି ଗାଁର ଏକ ପରିବାର ମହନ୍ତ ନରେନ୍ଦ୍ର ଗିରି ତାଙ୍କ ଘର ସଦସ୍ୟ ବୋଲି ଦାବି କରିଛନ୍ତି ।

ସୂଚନା ଅନୁଯାୟୀ, ବାପାଙ୍କ ସହ ଝଗଡ଼ା ହେବାରୁ ନରେନ୍ଦ୍ର ଗିରି ୫୨ ବର୍ଷ ତଳେ ଘର ଛାଡ଼ି ଚାଲିଯାଇଥିଲେ । ବହୁ ଖୋଜାଖୋଜି ପରେ ତାଙ୍କ ପତ୍ତା ମିଳି ନଥିଲା । ପ୍ରାୟ ୧୦ ବର୍ଷ ତଳେ ସେ ନିଜ ଗାଁକୁ ଆସିଥିଲେ ବୋଲି ତାଙ୍କ ଭାଇ ବୋଲି ଦାବି କରୁଥିବା ଲକ୍ଷ୍ମୀକାନ୍ତ ଗିରି କହିଛନ୍ତି। ଗାଁରେ ପ୍ରାୟ ୧୫ ଦିନ ରହିଥିଲେ । ଏହି ସମୟରେ ସାନଭାଇ ପୂର୍ଣ୍ଣଚନ୍ଦ୍ର ଗିରିଙ୍କ ସ୍ତ୍ରୀ ନରେନ୍ଦ୍ର ଗିରିଙ୍କର ସମସ୍ତ ସେବା କରିଥିଲେ । ଭଉଣୀ ବାସନ୍ତୀ ବେହେରାଙ୍କ ଘରକୁ ମଧ୍ୟ ଯାଇ ୩ ଦିନ ରହିଥିଲେ । ଘରୁ ଯିବା ବେଳେ ସେ ଅଯୋଦ୍ଧାରେ ରହୁଛନ୍ତି ଓ ସେଠାରେ ବାବାଜୀ ହେବା ପାଇଁ ସାଧନା କରୁଛନ୍ତି ବୋଲି କହିଥିଲେ ।
ଏବେ ଗଣମାଧ୍ୟମରେ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ସମ୍ପର୍କିତ ଖବର ଜାଣିବା ପରେ ପାଣିଷଣ୍ଡା ଗାଁର ପୂର୍ଣ୍ଣଚନ୍ଦ୍ରଙ୍କ ପରିବାର ତାଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ଦେବାକୁ ଦାବି କରିଛନ୍ତି । ନରେନ୍ଦ୍ର ଗିରିଙ୍କ ମୁଣ୍ଡରେ ଏକ ବଡ଼ କ୍ଷତ ଚିହ୍ନ ଥିଲା ବୋଲି ପରିବାର ଲୋକେ କହିଛନ୍ତି ।

Leave a Reply